Latest Odisha News

BREAKING NEWS

ଓଡ଼ିଶା କଂଗ୍ରେସକୁ ଝଟକା, କେସିଆରଙ୍କ ବିଆରଏସରେ ସାମିଲ ହେଲେ କୈଳାଶ ମୁଖୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ଝଟକା। ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ କଂଗ୍ରେସର ପ୍ରମୁଖ ନେତା କୈଳାଶ କୁମାର ମୁଖୀ। ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜର ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି କୌଳାଶ ମୁଖୀ।

ଚିଠିରେ କୈଳାଶ କେସିଆରଙ୍କୁ ପ୍ରଶଂସା କରିବା ସହିତ ସେ ଜଣେ ଦଳିତ ଲୋକଙ୍କ ବନ୍ଧୁ ବୋଲି କହିଛନ୍ତି। ନୂଆ ତେଲେଙ୍ଗାନା ଗଠନ ଦିଗରେ କେସିଆରଙ୍କ ଭୂମିକାକୁ ସେ ଇସ୍ତଫା ପତ୍ର ଜରିଆରେ ପ୍ରଶଂସା କରିଛନ୍ତି। ଏଥିସହ କେସିଆରଙ୍କ ସହ ହେଲିକପ୍ଟରରେ ଯାଉଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି କୈଳାଶ।

ନିକଟରେ ଓଡ଼ିଶାର ପ୍ରମୁଖ ନେତା ଜୟରାମ ପାଙ୍ଗୀ, ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ କେସିଆରଙ୍କୁ ଭେଟିଥିଲେ। ହେଲେ କେସିଆରଙ୍କ ଦଳରେ ଯୋଗ ଦେବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ। ହେଲେ କୈଳାଶ କିନ୍ତୁ ବିଆରଏସରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

କୈଳାଶ କନ୍ଧମାଳର ଜଣେ କଂଗ୍ରେସ ନେତା ଭାବେ ପରିଚିତ ଥିଲେ। ଏଥିସହ ଓଡ଼ିଶା କଂଗ୍ରେସର ସାଧାରଣ ସମ୍ପାଦକ, ଆସ୍କୋ ଲୋକସଭା ଆସନର ପ୍ରଭାରୀ ଏବଂ ଆସାମ ଓ ବିହାରର ଏଆଇସିସି ତରଫରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ।

ଉଲ୍ଲେଖଯୋଗ୍ୟ, କେସିଆର ତାଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ର ସମିତି କରିଛନ୍ତି। ଏପରି କରି ସେ ସାରା ଦେଶରେ ନିଜ ଦଳୀୟ ପଦ ଚିହ୍ନ ରଖିବାକୁ ଯୋଜନା କରୁଛନ୍ତି। ଆଉ ଓଡି଼ଶାରେ ଆଗାମୀ ନିର୍ବାଚନ ବେଳେ ତେଲଗୁ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଯାଇ ଓଡ଼ିଶା ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯୋଜନା କରୁଛନ୍ତି। ତେଣୁ ଓଡ଼ିଶାର ଅନେକ ନେତାଙ୍କ ସହ କେସିଆର ଯୋଗାଯୋଗ କରୁଥିବା ସୂଚନା ରହିଛି।

 

Comments are closed.