Latest Odisha News

BREAKING NEWS

ଘର କଳି: ସମସ୍ତ ବ୍ଲକରେ ବିଜେପି କରିବ ଆନ୍ଦୋଳନ, ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ଶାସକ-ବିରୋଧୀ ତୁ ତୁ ମେଁ ମେଁ ଜାରି ରହିଛି। ଏହାରି ଭିତରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅନିୟିମିତତା ଅଭିଯୋଗକୁ ଆଧାର କରି ରାଜ୍ୟର ୩୧୪ଟି ବ୍ଲକରେ ବିଜେପି କରିବ ଜନ ଆନ୍ଦୋଳନ। ଆସନ୍ତାକାଲି ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀ ତାଲିକାକୁ ନେଇ ଅଭିଯୋଗ ଦାଖଲ କରିବାର ଶେଷ ଦିନ। ଏହାପରେ ୨୫ ତାରିଖଠୁ ବିଜେପି ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ ବୋଲି କହିଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ୨୭ ଲକ୍ଷ ପକ୍କାଘର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବିଧାନସଭାରେ ଏହା କହିଥିଲେ। ମୋଦି ସରକାର ବର୍ତମାନ ସୁଦ୍ଧା କିନ୍ତୁ ପାଖାପାଖି ୨୮ ଲକ୍ଷ ଘର ମଂଜୁର କରିଛନ୍ତି । ସଦ୍ୟ ଆବଂଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସଂଖ୍ୟା ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବାର ଆଶଂକା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ରଖିଛନ୍ତି । ତେଣୁ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ କରିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।

ଆସନ୍ତା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରାଯିବ। ଏହା ସତ୍ୱେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିଲେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ଯଦି ଯୋଗ୍ୟ ଲୋକ ଘର ନପାଇବ ତାହେଲେ ତୃଣମୂଳ ସ୍ତରରେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ ଘେରିବ। ଆବଶ୍ୟକ ପଡିଲେ ସଚିବାଳୟ ଘେରାଯିବ ବୋଲି ଜଟଣୀ ବିଧାୟକ କହିଛନ୍ତି।

ଜବାବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି। ଯେଉଁମାନେ ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ଡରୁଛନ୍ତି ସେମାନେ ଇ-ମେଲ ଯୋଗେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ ବୋଲି କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆବାସକୁ ନେଇ ଏବେ ନିର୍ବାଚନ ଲଢିବାକୁ ବିଜେପି ତାର ଏଜେଣ୍ଡାରେ ସ୍ଥିର କରିଛି। ଆଗାମୀ ଦିନରେ ଗାଁ  ଗାଁରେ ଥିବା ପିଡିଏସ କେନ୍ଦ୍ରରେ ମୋଦୀଙ୍କୁ ଏକ ଧନ୍ୟବାଦ ଦେବ ବୋଲି ଯୋଜନା ମଧ୍ୟ କରିଛି। ଏପରି ସ୍ଥିତିରେ କାହାକୁ ଫାଇଦା ମିଳୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

 

 

Leave A Reply

Your email address will not be published.