Latest Odisha News

BREAKING NEWS

ବୀର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ। ବୀର ସୁରେନ୍ଦ୍ର ସାଏ ଜନ୍ମଜୟନ୍ତୀରେ ପାଓ୍ୱାର ଶୋ’ କରିଛନ୍ତି ଦୁଇ ଦଳର ପ୍ରମୁଖ ନେତା। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୀର ସୁରେନ୍ଦ୍ର ସାଏ ଜନ୍ମଜୟନ୍ତୀରେ ପାଓ୍ୱାର ଶୋ’ ଦେଖାଇଛନ୍ତି ତ ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶୀ, ମାହାଙ୍ଗା ବିଧାୟକ ତଥା ପୂର୍ବତନ ଆଇନ ମନ୍ତ୍ରୀ ମଧ୍ୟ ଜନ୍ମଜୟନ୍ତୀ ଅବସରରେ ପାଓ୍ୱାର ଶୋ’ କରିଛନ୍ତି। ଆଗକୁ ନିର୍ବାଚନ ରହିଛି। ଉଭୟ ଦଳ ପଶ୍ଚିମ ଓଡ଼ିଶା ଉପରେ ନଜର ରଖିଛନ୍ତି। ଯାହାକୁ ନେଇ ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ ହୋଇଛି।

ଆଜି ଖିଣ୍ଡିରେ ପ୍ରଥମେ ବିଜେଡି ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲା। ଏହାପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ହଜାର ହଜାର ବିଜେଡି ସମର୍ଥକ ଏବଂ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ। ଏହି ସମୟରେ ବରପୁତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବୈଠକରେ ଉପସ୍ଥିତ ଥିବା ବିଜେଡି ବିଧାୟକ ପ୍ରତାପ ଜେନା କହିଥିଲେ, ଜୀବନର ୭୫ ବର୍ଷ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ୩୭ ବର୍ଷ ଜେଲରେ ଥିଲେ। ଦେଶକୁ ସ୍ବାଧୀନତା ଦେବାରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକା ଏବେର ପିଢି ଜାଣିବା ଉଚିତ।

ବିଜେଡି ପରେ ବିଜେପି ମଧ୍ୟ ସମାନ ସ୍ଥାନରେ ସାଧାରଣ ସଭା କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ନୀତେଶ ଗଙ୍ଗଦେବଙ୍କ ସମେତ ପୂର୍ବତନ  ବିଧାୟକ ରବି ନାଏକ ଯୋଗ ଦେଇଥିଲେ। ବିଜେପି କର୍ମୀମାନେ ଜାତୀୟ ପତାକା ଧରି ବରପୁତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ସାଏଙ୍କ ପରିବାର ଲୋକଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଏନସିଇଆରଟି ପାଠ୍ୟପୁସ୍ତକରେ ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ସ୍ଥାନ ପାଇବ। ସୁରେନ୍ଦ୍ର ସାଏଙ୍କ ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ। ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଧରାଶାୟୀ କରିବାରେ ତାଙ୍କର ଅସୀମ ପରାକ୍ରମ ଯୁବପିଢିଙ୍କୁ ସବୁ ଦିନ ପାଇଁ ଅନୁପ୍ରାଣିତ କରିବ। ଇତିହାସ ଦର୍ପଣ ସ୍ୱରୂପ, ଇତିହାସ ଭବିଷ୍ୟତର ମାର୍ଗ ଦେଖାଏ। ଇତିହାସ ଲୋକ କଥାରେ ଆଗକୁ ବଢେ କିନ୍ତୁ ପ୍ରମାଣିତ ହୁଏ ନାହିଁ।

ଏହି ଅବସରରେ ପରାକ୍ରମ ଦିବସରେ ଆୟୋଜିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଂଗ୍ରାମୀ ମାନଙ୍କ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭେଟି ଏଗଜାମ ଓ୍ୱାରିୟର୍ସ ପୁସ୍ତକ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଦେଶରେ କେନ୍ଦ୍ର ସରକାର ଆଜାଦୀକି ଅମୃତକାଳ ଯୋଜନାରେ ସାରା ଦେଶରେ ବରପୁତ୍ରଙ୍କୁ ମନେ ପକାଇ ଦାୟଦ ମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି। ସେହିପରି ରାଜ୍ୟରେ ଶାସକ ଦଳ ବିଜେଡି ମଧ୍ୟ ବରପୁତ୍ରଙ୍କ ଗାଁକୁ ଫୋକସ କରୁଛି। ତେବେ ନିର୍ବାଚନକୁ ଆହୁରି ବର୍ଷେରୁ ଅଧିକ ଦିନ ବାକି ରହିଥିବା ବେଳେ ଏବେଠାରୁ ଜମିଲାଣି ରାଜନୀତି। ତେବେ ଲୋକଙ୍କର କହିବାର କଥା ଏବେ ଯାହା କହୁଛନ୍ତି ତାହା ଆଗାମୀ ବର୍ଷ ବେଳକୁ କେତେ ପାଳିତ ହେଉଛି ତାହା ଦେଖିବାର ବାକି ରହିଲା।

 

 

Leave A Reply

Your email address will not be published.