Latest Odisha News

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଅନୁମାନ କରାଯାଉଛି । ଦେଶର ନାରୀଶକ୍ତିଙ୍କୁ ସମର୍ପିତ ହୋଇଥିବା ଏହି କାର୍ଯ୍ୟକ୍ରମର ନାମ ରହିଛି ବନ୍ଦେ ଭାରତମ୍‍ । ଏହି ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ କୋରିଓଗ୍ରାଫ କରିଛନ୍ତି ଦେଶର ୪ଜଣ ପ୍ରମୁଖ ମହିଳା ନୃତ୍ୟାଙ୍ଗନା ।

ଆଉ ଉଲ୍ଲେଖନୀୟ ବିଷୟ ହେଉଛି ଏହି ୪ଜଣଙ୍କ ଭିତରେ ସାମିଲ ଅଛନ୍ତି ଦୁଇଜଣ ଓଡ଼ିଆ । ସେମାନେ ହେଲେ ନିବେଦିତା ମହାପାତ୍ର ଏବଂ କବିତା ଦ୍ୱିବେଦୀ । ଏହି ଦୁଇ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ସହ ଜୟପ୍ରଭା ମେନନ ଏବଂ ଭାବିନୀ ମିଶ୍ରା ମଧ୍ୟ ଏହି କାର୍ଯ୍ୟକ୍ରମର କୋରିଓ ଗ୍ରାଫର ଭାବରେ ଅଛନ୍ତି । କର୍ତ୍ତବ୍ୟ ପଥରେ ଜାତୀୟ ପ୍ୟାରେଡରେ ଏହି କାର୍ଯ୍ୟକ୍ରମ ସାମିଲ ହେବାକୁ ଯାଉଥିଲା ବେଳେ ମହିଳା ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ନାରୀମାନଙ୍କୁ ସମର୍ପିତ କାର୍ଯ୍ୟକ୍ରମ କରାଇ ନାରୀଶକ୍ତିକୁ ସଲାମ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦେଶସାରାରୁ କଡ଼ା ଚୟନ ପ୍ରକ୍ରିୟା ମଧ୍ୟରେ ୧୭ ରୁ ୩୦ବର୍ଷ ବୟସ ବର୍ଗର ୪୭୯ଜଣ କଳାକାରଙ୍କୁ ଏହି କାର୍ଯ୍ୟକ୍ରମ ସକାଶେ ବଛା ଯାଇଛି ।

ରାଜ୍ୟ, ଜୋନାଲ ଏବଂ ଜାତୀୟ ଚୟନ ପ୍ରକ୍ରିୟା ଦେଇ ବଛା ଯାଇଛି ଏମାନଙ୍କୁ । ଏଥିରେ ଶାସ୍ତ୍ରୀୟ, ପାରମ୍ପାରିକ ଓ ଲୋକନୃତ୍ୟ କଳାକାରମାନେ ଅଛନ୍ତି ସାମିଲ । ୩୦ରୁ ଊର୍ଦ୍ଧ୍ୱ ଦେଶରେ ଓଡ଼ିଶୀ କାର୍ଯ୍ୟକ୍ରମ ପରିବେଷଣ କରିବାର ଗୌରବ ହାସଲ କରିସାରିଥିବା ନୃତ୍ୟାଙ୍ଗନା ନିବେଦିତା ମହାପାତ୍ର ଆଜି ଦେଶର ଜଣେ ଅଗ୍ରଣୀ ଶାସ୍ତ୍ରୀୟ ନୃତ୍ୟ କଳାକାର । ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଜୁନିୟର ଓ ସିନିୟର ଫେଲୋସିପ ଓ ବୃତ୍ତି ପାଇସାରିଥିଲା ବେଳେ କେନ୍ଦ୍ର ସରକାରଙ୍କ ବହୁ ପ୍ରମୁଖ କାର୍ଯ୍ୟକ୍ରମରେ ତାଙ୍କ ପରିକଳ୍ପିତ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇସାରିଛି ।

ବେଶ କିଛି ଦିନ ଧରି ନୂଆଦିଲ୍ଲୀରେ ୪୭୯ଜଣ କଳାକାରଙ୍କୁ ନେଇ ଜାତୀୟ ପ୍ୟାରେଡ ସକାଶେ ନିବେଦିତା ଓ ଅନ୍ୟମାନେ ଲାଗିପଡ଼ିଛନ୍ତି ସୁନ୍ଦର ପରିବେଷଣ ସକାଶେ । ମହିଳାଙ୍କ ଶକ୍ତିର ବର୍ଣ୍ଣନା ପୃଥିବୀ, ଜଳ,ବାୟୁ, ମହାକାଶ ଏବଂ ଅଗ୍ନି ମାଧ୍ୟମରେ ପ୍ରଦର୍ଶିତ ହେବାକୁ ଯାଉଥିଲା ବେଳେ ଏଥିରେ ୩୨୬ଜଣ ମହିଳା ନୃତ୍ୟାଙ୍ଗନା ଏବଂ ୧୫୩ ଜଣ ପୁରୁଷ ନର୍ତ୍ତକ ସାମିଲ ଅଛନ୍ତି । ପଦ୍ମଶ୍ରୀ ଅଶୋକ ଚକ୍ରଧରଙ୍କ ଦ୍ୱାରା ଆଦ୍ୟ ଲେଖାକୁ ସ୍ୱର ଦେଇଛନ୍ତି ଗଜଲା ଅମିନ । ଏହି କାର୍ଯ୍ୟକ୍ରମ ପାଇଁ ସଂଗୀତ ନିର୍ଦ୍ଦେଶନା ଦୁଇଜଣ ମହିଳା ସଂଗୀତ ନିର୍ଦ୍ଦେଶକ ରାଜା ଭାବତରଣୀ ଏବଂ ଆଲୋକାନନ୍ଦା ଦାସଗୁପ୍ତ କରିଥିଲା ବେଳେ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଗୀତ ଲେଖିଛନ୍ତି ରାଜେଶ୍ୱରୀ ଦାସଗୁପ୍ତା ।

Leave A Reply

Your email address will not be published.