Latest Odisha News

ବିଜେଡି ଦେଲା ପ୍ରତିଶ୍ରୁତି: ରାଜ୍ୟ ସରକାର ଗରିବଙ୍କୁ ଯୋଗାଇବେ ଘର

ଭୁବନେଶ୍ୱର: ବଢିଲା ଆବାସ କଳି । ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଆଜି ପ୍ରେସମିଟ କରି ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ କରିଛି, ଗରିବ ଲୋକଙ୍କୁ ଘର କରାଇ ନ ଦେବାକୁ ଷଡଯନ୍ତ୍ର କରୁଛି ବିଜେପି  । ପିଏମଏୱାଇ ଘର ନିର୍ମାଣ ଅଟକାଇବାକୁ ଏହା ବିଜେପିର ନୂଆ ନାଟକ । ବିଜେପିର ଏଭଳି ଘୃଣ୍ୟ ରାଜନୀତି ଓଡିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ । ଏପରି ହୀନ ରାଜନୀତି ପାଇଁ ଓଡିଶାବାସୀ କ୍ଷମା କରିବେନି ବୋଲି କହିଛି ବିଜେଡି ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଲୋକ ପ୍ରତିନିଧିମାନେ ସେମାନଙ୍କୁ ନିର୍ବାଚିତ କରିଥିବା ଲୋକଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା କୌଣସିଠାରେ ଦେଖାଯାଏ ନାହିଁ । ହେଲେ ୨୦୧୯ ମସିହାରେ ଓଡିଶା ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)କୁ ଷଡଯନ୍ତ୍ର କରି ଅଟକାଇଥିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଗ୍ରାମୀଣ ଆବାସ ଘର ବନ୍ଦ କରିବା ଷଡଯନ୍ତ୍ର ହେଉଛି ବିଜେପିର ଓଡିଶା ଲୋକଙ୍କୁ ଉପହାର ।  ଯେଉଁମାନେ ସେମାନଙ୍କୁ ଭୋଟ ଦେଇ ଜିଣାଇଥିଲେ,  ସେମାନେ ଲୋକ ପ୍ରତିନିଧି ଭାବେ ଦିଲ୍ଲୀ ଯାଇ ଓଡିଶା ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି ।   ଚଞ୍ଚକତା କରି ଓଡିଶା ଲୋକଙ୍କୁ ପିଏମ୍‍ଏୱାଇ (ଗ୍ରାମୀଣ) ଯୋଜନାରେ ମିଳିବାକୁ ଥିବା ଲକ୍ଷାଧିକ ଘରକୁ ଅଟକାଇ ଦେଇଛନ୍ତି ।

ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଓଡିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଥିଲେ, କିନ୍ତୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟକୁ ଗୃହ ମଞ୍ଜୁର ବନ୍ଦ କରିବାକୁ ରାଜ୍ୟ ବିଜେପି ଜୋରଦାର ଚାପ ପ୍ରୟୋଗ କରିଥିଲା । ବିଜେପି ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇଥିବା ଲୋକମାନଙ୍କ ଭରସାକୁ ଅସମ୍ମାନ କରିଥିଲେ । ସେମାନଙ୍କର ଷଡଯନ୍ତ୍ର ସଫଳ ହୋଇଥିଲା ଏବଂ ଗ୍ରାମୀଣ ଆବାସ ଯୋଜନାରେ ମିଳିବାକୁ ଥିବା ଘରଗୁଡ଼ିକୁ କେନ୍ଦ୍ର ବନ୍ଦ କରି ଦେଇଥିଲା ବୋଲି ଅଭିଯୋଗ ଆଣିଛି ବିଜେଡି ।

ଯଦି ତାଲିକାରେ ତ୍ରୁଟି ରହିଛି ତେବେ ବିଜେପି ନିଜେ ତାଲିକା ପ୍ରସ୍ତୁତ କରିବାକୁ କହିଛି ବିଜେଡି । ଅନ୍ୟପକ୍ଷେ ଯଦି କେନ୍ଦ୍ର ଆବାସ ଯୋଜନା ବନ୍ଦ କରିଦିଏ ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର ଯୋଗାଇ ଦେବେ ବୋଲି କହିଛନ୍ତି ସାଂସଦ ତଥା ଦଳ ମୁଖପାତ୍ର ସସ୍ମିତ ପାତ୍ର ।  ସେ କହିଛନ୍ତି, ଓଡିଶାରେ ୧୫ ଲକ୍ଷରୁ ଅଧିକ ଘର ଆବଶ୍ୟକ ଥିବାବେଳେ କେନ୍ଦ୍ର ମାତ୍ର ୮ ଲକ୍ଷ ଘରକୁ ମଞ୍ଜୁର କରିଛି ଏବଂ ଚଳିତ ବର୍ଷ ଠାରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାକୁ ବନ୍ଦ କରିବାକୁ ଯାଉଛି । ତେବେ ଏହି ୭ ଲକ୍ଷ ବାସହୀନ ଲୋକ କ’ଣ କରିବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି । ଚଳିତ ବର୍ଷ ଠାରୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନା ବନ୍ଦ କରୁଛନ୍ତି ତେଣୁ ସେମାନେ ଏହା ଉପରେ ପରଦା ଢାଙ୍କିବା ଆରମ୍ଭ କରିଛନ୍ତି   ।

 

Leave A Reply

Your email address will not be published.