Latest Odisha News

BREAKING NEWS

ପରିବେଶ ପରିଚାଳନା ପାଇଁ ଜେଏସ୍‌ଡବ୍ଲ୍ୟୁକୁ ପୁରସ୍କାର

ଭୁବନେଶ୍ୱର: ପରିବେଶ ପରିଚାଳନାରେ ଉତ୍କୃଷ୍ଟତା ପାଇଁ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ(ମାଇନିଂ ଡିଭିଜନ)କୁ ଏକାଧିକ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛି ।

ନୂଆଗାଁ ଲୁହାପଥର ଖଣି ମନିଟରିଂ ଓ ପରିବେଶ ପରିଚାଳନାରେ କମ୍ପାନୀ ପ୍ରଥମ ସ୍ଥାନରେ ରହି ପୁରସ୍କାର ପାଇଛି । ସେହିପରି ଜଜାଙ୍ଗ ଖଣି ଓ ପରିବେଶ ପରିଚାଳନାରେ କମ୍ପାନୀ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ଗନୁଆ ଖଣି ଏବଂ ପରିବେଶ ପରିଚାଳନାରେ କମ୍ପାନୀକୁ ଦ୍ୱିତୀୟ ପୁରସ୍କାର ମିଳିଛି । ଏଥି ସହ ନାରାୟଣପୋଷି ଲୁହା ଏବଂ ମାଙ୍ଗାନିଜ୍ ଖଣିରେ ବର୍ଜ୍ୟ ପରିଚାଳନାରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି ।

ଭୁବନେଶ୍ୱରରେ ଆୟୋଜିତ ୨୪ତମ ମାଇନ୍ସ ଏନ୍‌ଭାଇରନମେଣ୍ଟାଲ ଏବଂ ମିନେରାଲ କଞ୍ଜରଭେଶନ ୱିକ୍‌ରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଏହି ପୁରସ୍କାର ଗ୍ରହଣ କରିଛି । ଆଇବିଏମ୍ ନାଗପୁରର ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଳକ୍ଷେତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଆଇବିଏମ୍‌ର କଣ୍ଟ୍ରୋଲର ଅଫ୍ ମାଇନ୍ସ(ଇଷ୍ଟ ଜୋନ୍‌) ଡ. ୱାଇ.ଜି. କାଲେ ଏବଂ ଇଷ୍ଟର୍ଣ୍ଣ ଜୋନ୍ ମାଇନିଂ ଆସୋସିଏସନ ପ୍ରେସିଡେଣ୍ଟ ଆର୍‌.ଏଲ୍‌. ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଖଣି ପରିଚାଳନା ଅଧିକାରୀ ଏବଂ ଭୂବିଜ୍ଞାନ ଓ ପରିବେଶ ବିଭାଗର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଯୁବ ଖଣି ଇଞ୍ଜିନିୟର, ଅପରେଟର(ମହିଳା ଅପରେଟର ମଧ୍ୟ)ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.