Latest Odisha News

BREAKING NEWS

ଏକାସାଙ୍ଗରେ ତାରା ଓ ରବି ଉପସ୍ଥିତ ରହିବା ଅସମ୍ଭବ !

ଓଡ଼ିଶା ସମ୍ବାଦ ବ୍ୟୁରୋ : ସୂର୍ଯ୍ୟ ଓ ତାରା । ଏ ଦୁଇ ଜଣ କେବେ ଏକା ସାଥିରେ ଦେଖାଯାଆନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ଦେଖାଯାଏ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆକାଶରୁ ତାରା ଗାଏବ ହୋଇଯାଇଥାଏ। ବୋଧହୁଏ ଏହାକୁ କେହି ମାନନ୍ତୁ ନ ମାନନ୍ତୁ ଶାସକ ଦଳ ବିଜେଡି କିନ୍ତୁ ଗ୍ରହଣ କରେ ବୋଲି ବୁଝାଯାଉଛି।

ରବି ନନ୍ଦଙ୍କୁ ମଞ୍ଚରୁ ତଳକୁ ନେଇଯାଉଛନ୍ତି ପ୍ରଣବ ପ୍ରକାଶ ଦାସ (1)

ଅବସର ଥିଲା ବିକ୍ରମ ଦେବ କଲେଜର ୭୫ତମ ସମାବର୍ତ୍ତନ ଉତ୍ସବ। ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ କଲେଜ ସମାବର୍ତ୍ତନ ଉତ୍ସବ ପାଳନ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ଆଉ ସମାବର୍ତ୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ିବାକୁ ଆହ୍ୱାନ କରିଛନ୍ତି। ଆଉ ମଞ୍ଚରେ ଥାଇ ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଏକ ଅଡିଟୋରିୟମ ପାଇଁ ଦାବି କରିଛନ୍ତି ଏବଂ ସେହି ସମୟରେ ଅଭିଭାଷଣ ଦେଉ ଦେଉ ନବୀନ ମଧ୍ୟ ଦାବିକୁ ଗ୍ରହଣ କରି ଅଡିଟୋରିୟମ ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇଛନ୍ତି। କିନ୍ତୁ କଲେଜର ସମାବର୍ତ୍ତନ ଉତ୍ସବରେ ଯାହା ଘଟିଛି ତାହା ଏବେ କୋରାପୁଟରୁ କଟକ ଯାଏଁ ସବୁଠି ଚର୍ଚ୍ଚା ହେଉଛି ।

ମଞ୍ଚ ଉପରକୁ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭି.କେ ପାଣ୍ଡିଆନ ଉଠିବା ପରେ ପଛେ ପଛେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ରବି ନନ୍ଦ ସାଙ୍ଗରେ ଉଠିଥିଲେ। ହେଲେ ସାଙ୍ଗେସାଙ୍ଗେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରବି ନନ୍ଦଙ୍କୁ ମଞ୍ଚ ତଳକୁ ଓହ୍ଲାଇବାକୁ କହି ସାଙ୍ଗରେ ନେଇ ଆସିବାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଛି। ଏପଟେ ରବି ନନ୍ଦଙ୍କ ଚାଲିରୁ ଅନୁମାନ କରାଯାଉଛି ସେ ହଠାତ ଏପରି ମଞ୍ଚ ତଳକୁ ସାଙ୍ଗଠନିକ ସମ୍ପାଦକ ଟାଣିଆଣିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

ଅନ୍ୟପଟେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ଅତିଥି ଓ ଜୟପୁର ବିଧାୟକ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରିଭୂରି ପ୍ରଶଂସା କରିଥିଲେ। କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ସେ ମନଖୋଲି ଧନ୍ୟବାଦ ଦେବା ସହ ନବୀନ ଜିନ୍ଦାବାଦର ନାରା ଦେଇଥିଲେ। ଏପରିକି କହୁ କହୁ କଂଗ୍ରେସ ବିଧାୟକ ତାରା ବାହୀନିପତି କହିଥିଲେ ଯେ ଆମ ସାଙ୍ଗଠନିକ ସେକ୍ରେଟେରୀ… ସମ୍ପାଦକ ବବି ଭାଇ (ପ୍ରଣବ ପ୍ରକାଶ ଦାସ)ଙ୍କୁ ଧନ୍ୟବାଦ, ପାଣ୍ଡିଆନ ସାରଙ୍କୁ ଧନ୍ୟବାଦ। ଯାହା ରାଜ୍ୟ ରାଜନୀତିକୁ ବେଶ ଖୋରାକ ଯୋଗାଇଛି।

ରାଜନୀତିରେ କେକେବେଳେ କ’ଣ ଘଟିବ ତାହା କହିବା ମୁସକିଲ। ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର। ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡ଼ିଶା ସରକାରଙ୍କୁ ଘେରିବାର ନଜିର ରହିଛି। ଆଉ ଏହି ସମୟରେ ନବୀନଙ୍କୁ ପ୍ରଶଂସାରେ ପୋତି ଦେବା ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଆମ ସାଙ୍ଗଠନିକ ସମ୍ପାଦକ କହିବା ଅନେକ ଅନେକ କିଛି ବାର୍ତ୍ତା ଦେଇଛି।

କୁହାଯାଏ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ତାରାଙ୍କର ଆଉ ସେଭଳି ସମ୍ପର୍କ ନାହିଁ। କେବଳ ଶୃଙ୍ଖଳିତ କର୍ମୀ ଭାବେ ରହିଛନ୍ତି। କିନ୍ତୁ ଭିତରେ ଭିତରେ ଦୁଇ ଜଣଙ୍କ ମଧ୍ୟରେ ମୂଷା-ବିରାଡି ଭଳି ସମ୍ପର୍କ ରହିଛି। ଏପରି ସ୍ଥିତିରେ ତାରା ନବୀନଙ୍କୁ ପ୍ରଶଂସା କରି ରାଜ୍ୟ କଂଗ୍ରେସ ନେତୃତ୍ୱକୁ ଗୋଟିଏ ବଡ଼ ଚେତାବନୀ ପରୋକ୍ଷରେ ଦେଇଥିବା କୁହାଯାଉଛି। ଆଉ ତାଙ୍କ ପାଇଁ ବିଜେଡିର ବାଟ ଖୋଲା ଅଛି ବୋଲି ପରୋକ୍ଷରେ କହିଥିବା ଚର୍ଚ୍ଚା ହେଉଛି। ଉଦାହରଣସ୍ୱରୂପ ପୂର୍ବରୁ କଂଗ୍ରେସରେ ଥାଇ ଅନେକ ପୁରୁଖା ନେତା ଭୂପିନ୍ଦର ସିଂ, ପ୍ରଦୀପ ମାଝୀ, ସ୍ୱର୍ଗତ ନବ ଦାସ ମଧ୍ୟ ବିଜେଡି ଆସିଛନ୍ତି। ତେଣୁ ତାରାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି।

ରବି ନନ୍ଦଙ୍କୁ ମଞ୍ଚରୁ ତଳକୁ ନେଇଯାଉଛନ୍ତି ପ୍ରଣବ ପ୍ରକାଶ ଦାସ (2)

ଅନ୍ୟପଟେ ତାରାଙ୍କ ପ୍ରତିଦ୍ୱନ୍ଦୀ ତଥା ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କୁ ପ୍ରଣବ ମଞ୍ଚରୁ ଓହ୍ଲାଇ ଦେବା କୋରାପୁଟ ରାଜନୀତିକୁ ସରଗରମ କରିଛି। କିନ୍ତୁ ହଁ ଏହା ସତ ସକାଳେ ସନ୍ଧ୍ୟାରେ ଘରେ ପୂଜା ପାଠ ହେଲେ ଶଙ୍ଖ ଫୁଙ୍କି ହେବ କିନ୍ତୁ ସକାଳେ ଫୁଙ୍କିବା ବେଳେ ଆକାଶରେ ରବି ଥାଏ ଆଉ ସନ୍ଧ୍ୟାରେ ତାରା ଦେଖାଯାଉଥାଏ। କିନ୍ତୁ ଏକାସାଙ୍ଗରେ ରବି ଏବଂ ତାରା ଏକାଠି ହୋଇପାରନ୍ତି ନାହିଁ। ତେଣୁ ଗୋଟିଏ ମଞ୍ଚରେ ଉଭୟଙ୍କ ଉପସ୍ଥିତିକୁ ଗ୍ରହଣ କରିପାରିଲେନି ପ୍ରଣବ? ହଁ ଏହା ବି ସତ ଯଦି ଲଗାତର ଦୁଇ ଥର ହେବ ନିର୍ବାଚିତ ହୋଇଆସୁଥିବା ତାରା ଯଦି ଶଙ୍ଖ ଫୁଙ୍କିବେ ତାହେଲେ ପୁରୁଣା ନେତା ଅଲୋଡା ହେବା ବି ସ୍ୱାଭାବିକ।

 

Leave A Reply

Your email address will not be published.