କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସେ ଦିନର ଅପରାହ୍ନକୁ ସ୍କୁଲସାଥୀ ମୀନାକ୍ଷି ସହ କଟାଇବା ପାଇଁ ପଦ୍ମିନୀ ‘ଗାନ୍ଧୀ କୈଳାଶ’ ଉପରେ ଅପେକ୍ଷା କରିଥିଲା । ପାହାଡ଼ ଉପରେ ସ୍ଥାପିତ ବାପୁଜୀଙ୍କ ଶୁକ୍ଳ ପ୍ରତିମୂର୍ତ୍ତି ତଳେ ବସି ସେ ନିରୀକ୍ଷଣ କରୁଥିଲା, କେତେଜଣ କିଶୋରଙ୍କ ଗୁଡି ଉଡ଼ା ଦୃଶ୍ୟକୁ । ତଳ ଉପର ହୋଇ ଉଡୁଥିବା ଗୁଡ଼ିଗୁଡ଼ିକୁ ଦେଖି କ୍ରମଶଃ ତା’ ମନରେ ଭାବାନ୍ତର ସୃଷ୍ଟି ହେଉଥିଲା । ମେଘକୁ ଛୁଇଁବାକୁ ପ୍ରୟାସ କରୁଥିବା କେତୋଟି ଗୁଡ଼ି
ବହୁତ ଉଚ୍ଚକୁ ଉଡ଼ି ଉଡ଼ି ଯାଇ ହଠାତ୍ ଛିଣ୍ଡି ତଳକୁ ଖସି ପଡୁଥିଲେ । ଆଉ ଯେଉଁ କେତୋଟି ବାୟୁ ମଣ୍ଡଳର ଅଦୃଶ୍ୟ ଲହରୀକୁ କାଟି କାଟି, ନଭ ମଣ୍ଡଳରେ ଚକ୍କର ମାରି ମାରି ଅତିକମ୍ ଉଚ୍ଚରେ ଉଡୁଥିଲେ, ସେଗୁଡ଼ିକ ହଠାତ୍ ଉପରକୁ ଉଠିଗଲେ ।
ଅଥଚ ସୂତାକଟି ତଳକୁ ଖସି ଆସୁଥିବା ଗୁଡ଼ି ଗୁଡ଼ିକର ବହୁତ ତଳେ ଏ ଗୁଡ଼ିକ ଥିଲେ । ମନୁଷ୍ୟ ଜୀବନ ମଧ୍ୟ ଅବିକଳ ଏଇ ଉଡ଼ନ୍ତା ଗୁଡ଼ି ପରି, ଉଠପଡ଼ ଅଭିନୟର ରୂପାନ୍ତର । ସୌଭାଗ୍ୟ ଶିଖରରର ସମ୍ରାଟ ପରିସ୍ଥିତି ଘୂର୍ଣ୍ଣିଝଞ୍ଜା ରେ ତଳକୁ ଖସି ପାଦ ଦେଶର ଶୈବାଳ, ଗୁଳ୍ମରେ ଲଟେଇ ପଡି ଅଣନିଃଶ୍ୱାସୀ ହୋଇଯାଏ । ପ୍ରକାରାନ୍ତରେ ଦୀନ ହୀନ ଜୀବନ ଜୀଉଁଥିବା ମଣିଷଟିଏ ଆକସ୍ମିକ ସୌଭାଗ୍ୟର ଅଧିକାରୀ ହୋଇ ଉଠେ ।
ସେ ଦିଗରୁ ଦୃଷ୍ଟି ଫେରାଇ, ଭାବନାକୁ ଭିନ୍ନମୁଖୀ କରି ପଦ୍ମିନୀ ଛିଡ଼ାହେଲା । ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରକୁ ଆସିଲା । ବାମପାଶ୍ୱର୍ରେ ଶିବଲିଙ୍ଗ ସ୍ଥାପିତ ଗହ୍ୱର । ସେଇଠି ଛିଡ଼ା ହୋଇ ସେ ଚାରିଦିଗକୁ ଡ଼ୋଳା ଘୂରାଇ ଆଣିଲା । ‘ଗାନ୍ଧୀ କୈଳାଶ’ ପାହାଡ଼ଟି ସହରର କେନ୍ଦ୍ରରେ ଅବସ୍ଥିତ ହେତୁ, ତା’ରି ଶିଖରରୁ ସହର ତଥା ଆଖପାଖ ପଲ୍ଲୀଗ୍ରାମଗୁଡ଼ିକ ପରିଷ୍କାରଭାବେ ଦିଶୁଛନ୍ତି ।
Comments are closed.