Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : କିଛି ଆଦ୍ୟ କଥା, ଟେଡି ବିଅର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୪

 

ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହଟି କିଶୋର କିଶୋରୀଙ୍କ ର ଭାରି ଆନନ୍ଦର ସପ୍ତାହ । ତାରୁଣ୍ୟର ସମସ୍ତ ଉତ୍ସାହ ଆଉ ଉଦ୍ଦୀପନା ସହିତ ଏହି ସପ୍ତାହ ଟି ବିଶେଷ ଭାବରେ ପ୍ରେମର ସୁରଭିରେ ପୃଥିବୀକୁ ଆପ୍ଳୁତ କରିଥାଏ । ପ୍ରେମର ଅନ୍ତର୍ନିହିତ ଅବ୍ୟକ୍ତ ପରିଭାଷାକୁ କିଶୋର କିଶୋରୀମାନେ ଏହି ସପ୍ତାହରେ ଏକ ଉତ୍ସବ ପାଳିବା ଭଳି ପାଳନ କରିଥାନ୍ତି ।

ଏହି ପ୍ରେମ ସପ୍ତାହର ଶେଷ ହୁଏ ଭାଲେଣ୍ଟାଇନ୍ ଦିବସରେ ।

ଏହି ସପ୍ତାହବ୍ୟାପୀ ପ୍ରେମପାଳନ ର ଆୟୋଜନରେ ସପ୍ତାହର ଚତୁର୍ଥ ଦିବସ ଟି କୁ ଟେଡି ଦିବସ ବୋଲି କୁହାଯାଏ । ଏଇ ଦିନ ପ୍ରେମାସ୍ପଦାମାନଙ୍କୁ ” ଟେଡି ବିଅର୍ ” ଉପହାର ଦେବାର ଏକ ରୀତି ରହିଅଛି ।

ସମସ୍ତେ ଜାଣନ୍ତି ଟେଡି ବିଅର୍ ହେଉଛି କପଡା ଭିତରେ ତୁଳା ଭର୍ତ୍ତି କରି ତିଆରି କରାଯାଇଥିବା ଗୋଟିଏ ଭାଲୁର ଆକୃତି। ଭାଲୁର ଆକୃତି ହୋଇଥିଲେ ବି ଏହା ଦେଖିବାକୁ ଖୁବ୍ ସୁନ୍ଦର ।

ଟେଡି ବିଅର୍ ସହିତ ଏକାଠି ବସିଥିବା କୌଣସି କିଶୋରୀକୁ ଦେଖିବା ହେଉଛି ପୃଥିବୀର ଅନ୍ୟତମ ସୌନ୍ଦର୍ଯ୍ୟତମ ଦୃଶ୍ୟ। ସେଇଠି ଆମେ ଯେଉଁ ସୁନ୍ଦରପଣକୁ ଭେଟିଥାଉ ତାହା ହେଉଛି ସୁନ୍ଦରପଣ ଆଉ ଚପଳତାର ଏକ ଅଦ୍ଭୁତ ସମ୍ମିଶ୍ରଣ ।

ପୃଥିବୀର ସର୍ବପ୍ରଥମ ନାମବାଚକ ଟେଡି ବିଅର୍ ର ନାଆଁ ହେଉଛି ୱିନି,ଦି ପୁହ୍ ।

କହିବାକୁଗଲେ ୱିନି,ଦି ପୁହ ହେଉଛି ବିଶ୍ୱର ସର୍ବପ୍ରଥମ ଟେଡି ବିଅର ଯିଏ ଗୋଟିଏ ବିଶେଷଣବାଚକ ପଦାର୍ଥରୁ ବିଶେଷ୍ୟ ବାଚକ ପଦାର୍ଥରେ ପରିଣତ ହୋଇଥିଲା।ଅର୍ଥାତ ଯାହା ଟିକିଏ ଆଗରୁ କୁହଯାଇଛି, ସେ ହେଉଛି ପୃଥିବୀର ପ୍ରଥମ ନାମଧାରୀ ଟେଡି ବିଅର୍।

ଆଲାନ ଆଲେକଜାଣ୍ଡାର ମିଲନେ ବୋଲି ଜଣେ ଆମେରିକୀୟ କଥାକାର ୧୯୨୬ ମସିହାରେ ନିଜର ପୁଅ ଖେଳୁଥିବା ଟେଡି ବିଅର୍ କୁ ଦେଇଥିବା ନାଆଁକୁ ଅମର କରିଦେଲେ ନିଜ କାହାଣୀରେ।ତାହାପରଠାରୁ ୱିନି,ଦି ପୁହ ବୋଲି ଟେଡି ବିଅର୍ ଟି ପ୍ରସିଦ୍ଧ ହୋଇଗଲା ତାହାର ନାୟକତ୍ୱରେ।ଏଇ ଟେଡି ବିଅର୍ ଟି ର ନାଆଁ ଅସଲରେ ଦୁଇଟି ନାଆଁ ର ମିଶ୍ରଣ ।ଲଣ୍ଡନ ଚିଡିଆଖାନାରେ ଭାଲୁଟିଏ ୱିନି ନାଆଁରେ ଥିଲା ଆଉ ସେଠାରେ ପୁହ୍ ବୋଲି ଥିଲା ହଂସଟିଏ।ତେଣୁ ଏଇ ପ୍ରଥମ ଟେଡି ବିଅର୍ ଅର୍ଥାତ୍ ୱିନି,ଦି ପୁହ୍ ନାଆଁ ଦୃଷ୍ଟିରୁ ଭାଲୁ ଆଉ ହଂସର ମିଶ୍ରଣ।ଗୋଟିଏ କଥାକାରକୁ ଏମିତି ଏକ ପ୍ରତୀକରେ ଦେଖିବା ଭାରି ତାତ୍ପର୍ଯ୍ୟପୂର୍ଣ୍ଣ।

ୱିନି,ଦି ପୁହ ଅର୍ଥାତ୍ ସେହି ବିଶିଷ୍ଟ ଟେଡି ବିଅର୍ ଟି ସରଳ,ଚତୁରତାହୀନ ଚରିତ୍ର ଟିଏ।ଏମିତି ଗୋଟିଏ ଚରିତ୍ର ଯେ କୌଣସି କଥାକାର ଗଣ୍ଠିଧନର ହୋଇପାରିବାର ଆକର୍ଷଣ ରଖିଥାଏ।ତାହାର ସୃଷ୍ଟିକର୍ତ୍ତା ଆଲାନ୍ ଆଲେକଜାଣ୍ଡାର ମିଲନେ ଙ୍କ ଦେହାନ୍ତ ୧୯୫୬ ମସିହା ଜାନୁଆରୀ ୩୧ ତାରିଖରେ ହୋଇଥିଲା।

ୱିନି,ଦି ପୁହ୍ ନାମକରଣ ଦୃଷ୍ଟିରୁ ପୃଥିବୀର ପ୍ରଥମ ଟେଡି ବିଅର୍ ମାତ୍ର ତାହା ଗୋଟିଏ ଟେଡି ବିଅର ହିସାବରେ ନିର୍ମାଣ କରାଯାଇଥିବା ପ୍ରଥମ ଟେଡି ବିଅର୍ ନୁହଁ ।

ଟେଡି ବିଅର୍ ର ନିର୍ମାଣର ଇତିହାସକୁ ଏବେ ଦେଖାଯାଉ।

ଟେଡି ବିଅର୍ ର ନିର୍ମାଣର ପୃଷ୍ଟଭୂମୀ କୁ ଆଲୋଚନା କଲେ ଆମେ ଦେଖିବା ଯେ,ଏହା ଆରମ୍ଭରୁ ସରଳ ଆଉ ଚତୁରତାହୀନ ଚରିତ୍ର ଟିଏ। ଏହା ବ୍ୟତୀତ ସେ ନିଜ ସହ ଆହୁରି ଅଧିକ କିଛିକୁ ପ୍ରତୀକ ହିସାବରେ ଧରି ରଖିଛି।ସେହି ପ୍ରତୀକ ଗୁଡିକ ଯେ କୌଣସି ଲେଖକ, କବିକୁ ଲୋଭାସକ୍ତ କରିପାରେ।ଟେଡି ବିଅର୍ ଟି ନିଜସହ ରଖିଛି ଦେଶ ଦେଶ ଭିତରେ ସୀମାକୁ ଅସ୍ୱୀକାର ଓ ଅସମାହିତ କରିବାର ସଂଭାବନା,କୌଣସି ଶିକାର ଉଦ୍ଦେଶ୍ୟରେ ମଞ୍ଚାତଳେ ବନ୍ଧା  ହୋଇରହିଥିବା ବଳିର ମଞ୍ଚଥରା କାରୁଣ୍ୟ,ସବୁ କିଛିକୁ ବ୍ୟଙ୍ଗରେ ସହି ନେବାର ଉଦାରତା।

ଟେଡି ବିଅର୍ ର ଆରମ୍ଭ କଥାଟି ଏହିଭଳି ।

କହିବାକୁ ଗଲେ ଆମେରିକାର ଜଣେ ରାଷ୍ଟ୍ରପତି ଥିଓଡର୍ ରୁଜଭେଲଟ୍ ତାଙ୍କର ଡାକ ନାଁ ଥିଲା ଟେଡି,ସେଇଠୁ ଆସିଛି ଟେଡି ବିଅର୍ ର ଟେଡି । ଲୁଜିଆନା ସହର ଆଉ ମିଶିଶିପି ସହର ଭିତରେ ସୀମା ସମାଧାନ ପାଇଁ ୧୯୦୨ ରେ ରୁଜଭେଲଟ୍ ମିଶିଶିପି ଯାଇଥିଲେ।ସୀମା ସମାଧାନରେ ବ୍ୟର୍ଥ ହୋଇ ନିଜକୁ ସେ ଗୋଟିଏ ଶିକାର କାର୍ଯ୍ୟକ୍ରମରେ ସାମିଲ କରିଥିଲେ।ମହାମହୀମ ରାଷ୍ଟ୍ରପତିଙ୍କ ମନୋରଞ୍ଜନ ପାଇଁ ମଞ୍ଚା ତଳେ ବନ୍ଧା  ହୋଇ ରହିଥିଲା ଗୋଟିଏ ଭାଲୁ ଛୁଆ। ବନ୍ଧୁକ ହାତରେ ରୁଜଭେଲଟ୍ ମଞ୍ଚା ଆରୋହଣ କଲେ ଆଉ ବନ୍ଧୁକରେ ନିଶାଣ ଦେଖିଲେ କିନ୍ତୁ ଫାୟାର୍ କଲେ ନାହିଁ।ଓହ୍ଲାଇ ଆସିଲେ ତଳକୁ।ଏଇ ଘଟଣାଟିର ଏକ ବ୍ୟଙ୍ଗଚିତ୍ର ପ୍ରକାଶ ପାଇଥିଲା  ସମ୍ବାଦ  ପତ୍ରରେ ଯାହା ଆମେରିକାରେ ବିଶେଷ ଜନପ୍ରିୟତା ଲାଭ କରିଥିଲା।”ମିଶିଶିପିର ସରହଦ ଟଣା”ବୋଲି ଏଇ ବ୍ୟଙ୍ଗଚିତ୍ରରେ ରୁଜଭେଲଟ୍ ହାତରେ ବନ୍ଧୁକ ଧରି ପ୍ରସନ୍ନ ଚିତ୍ତରେ ଛିଡା ହୋଇଛନ୍ରି ଆଉ ତାଙ୍କ ପଛରେ ମୁଁହପୋତି ଛିଡା ହୋଇଛି ଗୋଟିଏ ଭାଲୁଛୁଆ।ଏଇ ଜନପ୍ରିୟ ବ୍ୟଙ୍ଗଚିତ୍ରଟି ପ୍ରେରଣାଯୋଗାଇଥିଲା ଜଣେ ଖେଳଣା ନିର୍ମାତାଙ୍କୁ।ରୁଷିଆର ଅପ୍ରବାସୀ ଏବଂ ବ୍ରୁକଲିନ ନିବାସୀ ସେଇ ଖେଳଣା ବ୍ୟବସାୟୀ ମରିସ୍ ମାଇକଟୋମ୍ ତୁଳା ଭର୍ତ୍ତିକରି ଭାଲୁଟିଏ ତିଆରି କଲେ ଯାହାର ନାଆଁ ଦେଲେ ସେ ଟେଡି ବିଅର୍।

୧୯୦୩ ମସିହାରେ ନିର୍ମାଣ କରାଯାଇଥିବା ଟେଡି ବିଅର୍ ର ଆଖି ଦୁଇଟିକୁ ଦୁଇଟି ସୁନ୍ଦର ବୋତାମ ଦ୍ୱାରା ତିଆରି କରାଯାଇଥିଲା ।

ଥିଓଡର୍ ରୁଜଭେଲଟ୍ ଙ୍କ ସେହି ଚର୍ଚ୍ଚିତ ବ୍ୟଙ୍ଗଚିତ୍ର ବା କାର୍ଟୁନ୍ ଟି ବିଶେଷ ଭାବରେ ଜନପ୍ରିୟ ହୋଇଥିଲା । ଆଉ ତାହା ସହିତ ସମାନ ଭାବରେ ଜନପ୍ରିୟତା ଅର୍ଜନ କରିଥିଲା ମରିସ୍ ମାଇକଟୋମ୍ ଙ୍କ ସଦ୍ୟ ନିର୍ମତ ଟେଡି ବିଅର୍ ।

ମରିସ୍ ମାଇକଟୋମ୍ ଙ୍କ ନିର୍ମିତ ୧୯୦୩ର ଟେଡିବିଅର ନିର୍ମାଣ କୌଶଳ ଦୃଷ୍ଟିରୁ ଦେଖିଲେ ପୃଥିବୀର ପ୍ରଥମ ଟେଡି ବିଅର୍ ନୁହଁ । ତାଙ୍କର ବହୁପୂର୍ବରୁ ୧୮୮୦ ମସିହାରେ ଜଣେ ଜର୍ମାନୀ ଖେଳଣାବ୍ୟବସାୟୀ ମହିଳା ମାର୍ଗାରେଟ୍ ଷ୍ଟେଫ୍ କପଡାକୁ ହାତ ସିଲେଇ କରି ସେଥିରେ ତୁଳା ଭର୍ତ୍ତି କରି ଭିନ୍ନ ଭିନ୍ନ ପ୍ରକାରର ପଶୁ ମାନଙ୍କୁ ତିଆରି କରୁଥିଲେ । ସେଥି ଭିତରେ ଭାଲୁ ମାନେ ବି ଥିଲେ । ସେହି ଜର୍ମାନୀ ଖେଳଣା ବ୍ୟବସାୟୀଙ୍କ ହାତ ତିଆରି ଭାଲୁ କୁ ଷ୍ଟେଫସ୍ ବିଅର୍ ବୋଲି କୁହାଯାଉଥିଲା। ପୋଲିଓ ରୋଗଗ୍ରସ୍ତ ଏବଂ ସବୁବେଳେ ହ୍ୱିଲ୍ ଚେୟାର୍ ରେ ରହୁଥିବା ମାର୍ଗାରେଟ୍ ଷ୍ଟେଫ୍ ଙ୍କୁ ଥିଓଡର୍ ରୁଜଭେଲଟ୍ ଙ୍କର ସେହି ଚର୍ଚ୍ଚିତ କାର୍ଟୁନ୍ ଟି ଦିଆଯାଇଥିଲା । ସେ ତାହାପରେ ନିଜର ଭାଲୁ ର ଆକୃତିକୁ କିଛି ପରିମାଣରେ ପରିବର୍ତ୍ତନ କରିଥିଲେ । କିନ୍ତୁ ସେ ଏହି କପଡା-ଭାଲୁର ନାଆଁ କୁ ଷ୍ଟେଫସ୍ ବିଅର୍ କୁ ପରିବର୍ତ୍ତନ କରିବାକୁ ଚାହିଁନଥିଲେ । ଜଣେ ଖେଳଣା ବ୍ୟବସାୟୀ ହିସାବରେ ସେ ଯଥେଷ୍ଟ ସଫଳତା ଅର୍ଜନ କରିଥିଲେ । ପ୍ରାୟ ଦଶଲକ୍ଷ ଷ୍ଟେଫସ୍ ବିଅର୍ କେବଳ ଜର୍ମାନୀରେ ବିକ୍ରି ହୋଇଥିଲା।

ଆମେରିକା ରୁ ପ୍ରସ୍ତୁତ ହେଉଥିବା କାରଣରୁ ଟେଡି ବିଅର୍ କୁ ଜର୍ମାନୀର ଷ୍ଟେଫସ୍ ବିଅର୍ ସେମିତି କୌଣସି ପ୍ରତିଦ୍ୱନ୍ଦିତା ପ୍ରଦାନ କରିବାକୁ ସମର୍ଥ ହୋଇ ନଥିଲା ।

୧୯୦୩ ପରଠାରୁ ଟେଡି ବିଅର୍ ର ଅପ୍ରତିଦ୍ୱନ୍ଦୀ ବିଶ୍ୱ ବିଜୟ ଆରଂଭ ହୋଇଅଛି।

ପୃଥିବୀରେ ଟେଡି ବିଅର୍ ର ଗୋଟିଏ ବୃହତ୍ତମ ସଂଗ୍ରହାଳୟ ରହିଅଛି । ଏହା ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା । ଏହା ଜାପାନ ର ଇଜୁ ନାମକ ସ୍ଥାନରେ ଅବସ୍ଥିତ । ଏହାର ପ୍ରତିଷ୍ଠାତା ହେଉଛନ୍ତି ୟୋସିହିରୋ
ସେକିଗୁଚି।

Leave A Reply

Your email address will not be published.