Latest Odisha News

‘ଖୁବଶୀଘ୍ର ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ଅମିତ ଶାହ’

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଦଳୀୟ ଗସ୍ତ ରହିବ ବୋଲି ସୂଚନା ରହିଛି। ଯଦିଓ ଆସିବା ସୁନିଶ୍ଚିତ ହେଲେ ତାରିଖ ସ୍ଥିର ହୋଇନଥିବା ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ କହିଛନ୍ତି।

ସେ କହିଛନ୍ତି, ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ରଗୃହମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ଯଦିଓ ଆସିବା ନେଇ ସମସ୍ତ ଯୋଜନା ହୋଇଛି ହେଲେ ତାରିଖ ସ୍ଥିର ହୋଇନାହିଁ।

ଏହି ଦୁଇ ଦିନିଆ ଗସ୍ତ ସମୟରେ ଶାହ ଢେଙ୍କାନାଳ ଏବଂ ଭଦ୍ରକ ଗସ୍ତରେ ଯିବେ। ସେଠାରେ ସେ ଦଳୀୟ କର୍ମୀଙ୍କ  ସହିତ ଆଲୋଚନା କରିବା ସହିତ ସମାବେଶରେ ଯୋଗଦେବେ ବୋଲି କାଳନ୍ଦୀ ସାମଲ କହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ଯେଉଁସବୁ ଲୋକସଭା ଆସନରେ ଦ୍ବିତୀୟ କିମ୍ବା କମ୍ ବ୍ୟବଧାନରେ ହାରିଥିଲା ସେହିସବୁ ଆସନକୁ ୨୦୨୪ ପୂର୍ବରୁ ମଜବୁତ କରିବାକୁ ଯୋଜନା କରୁଛି। ତେଣୁ ଏଥିପାଇଁ ବିଜେପି ଲୋକସଭା ପ୍ରବାସ ଯୋଜନା କରିଛି। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଗସ୍ତ କରିବେ।

ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ ବୋଲି ଏକ ଘରୋଇ ଇଂରାଜୀ ଖବରକାଗଜର କନକ୍ଲେଭରେ ଯୋଗ ଦେଇ କହିଛନ୍ତି। ଏହାପରେ ସେ ତାଙ୍କ ଗୃହ ଜିଲ୍ଲା ଢେଙ୍କାନାଳ ନହେଲେ ସମ୍ବଲପୁରରୁ ନିର୍ବାଚନ ଲଢିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ସେହିପରି ନିକଟରେ ହୋଇଥିବା ଭଦ୍ରକ ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପି ନିଜ ଆସନ ବଜାଇ ରଖିବାରେ ସଫଳ ହେବା ପରେ ଜିଲ୍ଲାରେ ବିଜେପି ପ୍ରତି ଲୋକଙ୍କ ବିଶ୍ୱାସ ବଢିଥିବା କୁହାଯାଉଛି। ଅନ୍ତିମ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଏଠାରେ ଦ୍ବିତୀୟ ସ୍ଥାନରେ ଥିଲା। ତେଣୁ ଏହିସବୁ ଦୃଷ୍ଟିକୋଣରୁ ଶାହ ଏବେ ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଅମିତ ଶାହ ଅନ୍ତିମ ଥର ପାଇଁ ଗତବର୍ଷ ଅଗଷ୍ଟ ୮ରେ ଓଡ଼ିଶା ଗସ୍ତରେ ଆସିଥିଲେ। ଦୁଇ ଦିନିଆ ଗସ୍ତ ସମୟରେ ଶାହ ପ୍ରଜାତନ୍ତ୍ର ଖବରକାଗଜର ୭୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲେଖାହୋଇଥିବା ଏକ ପୁସ୍ତକର ଉନ୍ମୋଚନ କରିଥିଲେ।

Comments are closed.