Latest Odisha News

BREAKING NEWS

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ତୁର୍କୀର ଭୂମିକମ୍ପ ହୋଇଥିବା ଅଞ୍ଚଳରେ ୧୦ ଜଣ ଭାରତୀୟ ଫସିଛନ୍ତି । କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି । ତୁର୍କୀରେ ପ୍ରାୟ ୩ ହଜାର ଭାରତୀୟ ଥିବା କହିଛି ବିଦେଶ ମନ୍ତ୍ରଣାଳୟ ।

ଭୂମିକମ୍ପ ପରେ ତୁର୍କୀର ଆଦାନାରେ କଣ୍ଟ୍ରୋଲ୍ ରୁମ୍ ଖୋଲା ଯାଇଛି । ନିଖୋଜ ଭାରତୀୟଙ୍କ ପରିବାର ଏବଂ କମ୍ପାନୀ ସହ ସରକାର ସମ୍ପର୍କରେ ଥିବା କହିଛି ବିଦେଶ ମନ୍ତ୍ରଣାଳୟ । ଭୂମିକମ୍ପରେ କ୍ଷତିଗ୍ରସ୍ତ ତୁର୍କୀକୁ ଭାରତ ମେଡିସିନ୍ ସହ ଅନ୍ୟ ସହାୟତା ଯୋଗାଇଛି ।

ଅପରେସନ୍ ଦୋସ୍ତରେ ଉଦ୍ଧାର କାର୍ଯ୍ୟ ଲାଗି ଭାରତ ସେନା ପଠାଇଛି । ବିଗତ ଦୁଇ ଦିନରେ ତୁର୍କୀରେ ଏକାଧିକ ଭୂମିକମ୍ପ ହୋଇଥିବା ବେଳେ ରେକ୍ଟର ସ୍କେଲରେ ସର୍ବାଧିକ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଭଙ୍ଗା କୋଠା ତଳେ ଅନେକ ଲୋକ ଏବେବି ଫସି ରହିଛନ୍ତି । ଦେଶ ପାଇଁ ଆଗାମୀ ୭୨ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ତୁର୍କୀ ରାଷ୍ଟ୍ରପତି ।

Leave A Reply

Your email address will not be published.