ଭୋପାଳ: ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ପ୍ରଦର୍ଶନ ଗୁରୁବାର ଚମତ୍କାର ରହିଛି । ଟେନିସରେ ଆରାଧ୍ୟା ବର୍ମା ଓ ସୋହିନୀ ସଞ୍ଜୟ ମହାନ୍ତି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୮ ବର୍ଷରୁ କମ ବାଳିକା ଡବଲ୍ସରେ ଆରାଧ୍ୟା-ସୋହିନୀ ମଧ୍ୟପ୍ରଦେଶ ଯୋଡିଙ୍କୁ ଫାଇନାଲରେ ପରାସ୍ତ କରିଥିଲେ । ସେହିପରି ୧୮ ବର୍ଷରୁ କମ ବାଳକ ହକି ଇଭେଂଟରେ ଓଡିଶା ଟିମ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ସେମିଫାଇନାଲରେ ଓଡିଶା ୧-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରିଥିଲା । ରୋଇଂର ଜେଏମ୨ ଇଭେଂଟରେ ସୁମିତ କୁମାର ସ୍ୱାଇଁ ଓ ରବି ବେଡୱାଲ ଓଡିଶା ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗୁରଶରଣପ୍ରୀତ କୌର, ଅରୁଣାପ୍ରୀତ କୌର ଜେଡବ୍ଲ୍ୟୁ୨ଏକ୍ସରେ ରୌପ୍ୟ ଓ ଜେଡବ୍ଲ୍ୟୁ୪ କାଟାଗୋରୀରେ ପ୍ରୀତି ପ୍ରଜ୍ଞା ସାହୁ, ସୌମ୍ୟଶ୍ରୀ ପଣ୍ଡା, ବର୍ଷାରାଣୀ ସେଠୀ, ଶୁଭଶ୍ରୀ ସୁସ୍ମିତା ବିଶ୍ୱାଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଓଡିଶା ୧୧ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ସହ ମୋଟ ୨୭ ପଦକ ଜିତି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ମହାରାଷ୍ଟ୍ର (୪୪ ସ୍ୱର୍ଣ୍ଣ, ୪୯ ରୌପ୍ୟ, ୪୦ ବ୍ରୋଞ୍ଜ), ହରିୟାଣା ( ୩୮ସ୍ୱର୍ଣ୍ଣ, ୨୫ ରୌପ୍ୟ, ୩୫ ବ୍ରୋଞ୍ଜ) ଓ ମଧ୍ୟପ୍ରଦେଶ (୨୮ ସ୍ୱର୍ଣ୍ଣ, ୧୮ ରୌପ୍ୟ ଓ ୨୭ ବ୍ରୋଞ୍ଜ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
Comments are closed.