Latest Odisha News

BREAKING NEWS

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି

କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ  ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ  ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ୧୪,୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ।

ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ପହଞ୍ଚି ଥିଲେ । ସେଠାରୁ ସଭାସ୍ଥଳକୁ ଯାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଧରଣୀଧର  ମଡିକାଲ କଲେଜର ଶୁଭ ଉଦଘାଟନ କରିଥିଲେ  । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ୍ କଲେଜରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ନାମଲେଖା ହୋଇଛି।

ସୂଚନାଥାଉ କି, ୨୦୧୬ ମସିହାରେ ଏହି ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧରଣୀଧର କଲେଜରେ ୨୫ଟି ବ୍ଲକ ଓ ୧୮ଟି କୋଠା ନିର୍ମାଣ କରାଯାଇଛି ।

ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମିଶନ୍ ଶକ୍ତିର ମା’ ମାନଙ୍କୁ ଉଦ୍ୟୋଗୀ କରିବା ସରକାରର ଲକ୍ଷ୍ୟ । ସେଥିପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଇଛି । କେନ୍ଦୁଝରର ମିଶନ ଶକ୍ତିର ମା’ଙ୍କୁ ୩୮୦ କୋଟି ଟଙ୍କା ସହାୟତା ଦିଆଯାଇଛି ।  ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,   ରାଜ୍ୟର ବିକାଶରେ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦୁଝରରେ ବହୁ ମାତ୍ରରେ ଏସସି, ଏସଟି ଲୋକ ଅଛନ୍ତି । ଚାଷୀ ଭାଇ ଅଛନ୍ତି । ମିଲେଟ୍ ମିଶନରେ ଭଲ କାମ କରି ଆମ କେନ୍ଦୁଝରର ଚାଷୀ ଭାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । କେନ୍ଦୁଝରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ମା’ମାନଙ୍କ କଲ୍ୟାଣଠୁ ଆରମ୍ଭ କରି ଚାଷୀ ଓ ସ୍କୁଲ ରୂପାନ୍ତର ଯୋଗାଯୋଗର ବିଭିନ୍ନ କାମ ଉପରେ ଜୋର ଦିଆଯାଇଛି ।

ଏଠି  କହିରଖିବୁ, କେନ୍ଦୁଝର ଗସ୍ତ ପୂର୍ବରୁ ଜିଲ୍ଲାକୁ ଏକ ବଡ ଭେଟି ଦେଇଥିଲେ । ଗତକାଲି କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ  ମାନ୍ୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଫାଇଭ T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଧରଣୀଧର କଲେଜର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଉପହାରମାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ଶ୍ରୀ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ଶ୍ରୀମତୀ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।

Leave A Reply

Your email address will not be published.