ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ )ବର୍ଣ୍ଣିତ ଉପାଖ୍ୟାନ ଆଲୋଚନା ଜାରି ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନର ଉତ୍ତର ରେ ସଭାରେ ଉପସ୍ଥିତ ଜଣେ ଜଟିଳ ସନ୍ୟାସୀ କହୁଛନ୍ତି :-
ହେ ରାଜନ ମୁଁ ଅନେକ ତୀର୍ଥ ସ୍ଥାନ ଭ୍ରମଣ କରିଛି, କିନ୍ତୁ କେଉଁଠାରେ ଚର୍ମ ଚକ୍ଷୁରେ ପରଂବ୍ରହ୍ମଙ୍କ ଦର୍ଶନ ପାଇ ନାହିଁ। ଶୁଣିଛି ଭାରତବର୍ଷର ଉଡ୍ର ନାମକ ଦେଶରେ, ଏକ ସମୁଦ୍ର ତଟବର୍ତ୍ତୀ ସ୍ଥାନ ଅଛି। ଏହାର ନାମ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଟେ। ଏଠାରେ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଏକ ନୀଳ ପର୍ବତ ଅଛି ନାନାଦି ବୃକ୍ଷଲତା ପରିପୂର୍ଣ ଏହି ସ୍ଥାନରେ ଏକ କଳ୍ପବଟବୃକ୍ଷ ଟିଏ ଅଛି। ଅତ୍ୟନ୍ତ ପବିତ୍ର ତୀର୍ଥ କୁଣ୍ଡଟିଏ ଅଛି।ଯାହା ରୋହିଣୀ କୁଣ୍ଡ ନାମରେ ଖ୍ୟାତ। ଏହାରି ପୂର୍ବ ଭାଗରେ ନୀଳକାନ୍ତ ମଣି ସଦୃଶ୍ୟ ଶରୀର ଧାରଣ କରି ନୀଳମାଧବ ବିରାଜମାନ କରିଛନ୍ତି ।
ସେ ସ୍ୱୟଂ ବିଷ୍ଣୁ ସ୍ୱରୂପ ଓ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଛନ୍ତି। ଦେବତା ମାନେ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ତାଙ୍କରି ଦର୍ଶନ ମାତ୍ରେ ମୁକ୍ତି ସୁନିଶ୍ଚିତ ଅଟେ। ଏତେ ସବୁ ବର୍ଣ୍ଣନା ଶୁଣିବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ସଙ୍ଗେ ବିଚାର ବିମର୍ଶ କରି ନିଜ ରାଜ ପୁରୋହିତଙ୍କ ଉପଦେଶ ଅନୁସାରେ ତାଙ୍କରି ସାନଭାଇ ବିଦ୍ୟାପତିଙ୍କୁ ସଙ୍ଗେ ସଙ୍ଗେ ନୀଳମାଧବଙ୍କ ସନ୍ଧାନରେ ଉଡ୍ର ଦେଶକୁ ପଠାଇଲେ। ଅନ୍ୟ ତିନି ଦିଗକୁ ମଧ୍ୟ ଦୂତ ପ୍ରେରଣ କଲେ। ଏହା ପରେ ଦୁଇଟି ମତ ଶୁଣିବାକୁ ମିଳେ। ପ୍ରଥମଟି ସ୍କନ୍ଦ ପୁରାଣ ଆଧାରରେ ନୀଳାଚଳରେ ବିଦ୍ୟାପତି ଶବର ରାଜା ବିଶ୍ୱାବସୁଙ୍କ ଦର୍ଶନ ଲାଭ କରନ୍ତି ଓ ତାଙ୍କରି ଆତିଥ୍ୟ ଗ୍ରହଣ କରି ନିଜର ଆଗମନର ବାର୍ତ୍ତା ପ୍ରଦାନ କରନ୍ତି। ଶବର ରାଜା ବ୍ରlହ୍ମଣ ବିଦ୍ୟାପତିଙ୍କ ଆଗମନର ସୂଚନା ଆଗରୁ ପାଇ ସାରିଥାନ୍ତି। ତେଣୁ ତାଙ୍କ ମନ ଦୁଃଖରେ ଭରିଯାଏ। ତଥାପି ବିଧିର ବିଧାନ ଭାବି ବିଦ୍ୟାପତି ଙ୍କୁ ସାଙ୍ଗରେ ନେଇ ପ୍ରଭୁ “ନୀଳମାଧଵ “ଙ୍କୁ ଦର୍ଶନ କରାନ୍ତି।
ଦ୍ୱିତୀୟଟି ସାମାନ୍ୟ ରୋଚକ କାହାଣୀ ଓ ଦେଉଳ ତୋଳା ଆଦି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଯଥା : ବିଦ୍ୟାପତି ପ୍ରସଙ୍ଗକ୍ରମେ ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ବିବାହ କରନ୍ତି ଓ ଲଳିତାଙ୍କ ଅନୁରୋଧରେ ତାଙ୍କ ବାପା ବିଦ୍ୟାପତିଙ୍କୁ ଚକ୍ଷୁରେ ଅନ୍ଧପୁଟୁଳି ବାନ୍ଧି ନୀଳାଚଳ ପର୍ବତରେ ନୀଳମାଧବଙ୍କ ଦର୍ଶନ କରାନ୍ତି। ଅତ୍ୟନ୍ତ ପ୍ରଚଳିତ ଓ ଶ୍ରୁତି ରୋଚକ ସୋରିଷ ଫୁଲର କାହାଣୀ ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ସମୟ ହେଉଛି ଆରାଧନାର ତେଣୁ ନୀଳମାଧବଙ୍କ ଦର୍ଶନ ମାତ୍ରେ ବିଦ୍ୟାପତି ଗାଇଥିବା ସ୍ତୁତି ଗାଇବା ।
“ପ୍ରଧାନ ପୁରୁଷାତୀତ ସର୍ବ ବ୍ୟାପିନ -ପରlତ୍ପର, ଚରାଚର ପରିଣାମ, ପରମାର୍ଥ ନମୋସ୍ତୁତେ। ”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.