କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ପଦ୍ମିନୀ ସାମାନ୍ୟ ବିଚଳିତ କଣ୍ଠରେ ଅନୁସନ୍ଧିତ୍ସାର ରଙ୍ଗଭରି ପଚାରିଲା- ତମେ ତେବେ ଆଗରୁ ଆଉ କାହାକୁ ଭଲପାଉଥିଲ କି ? ଅନ୍ୟଥା ଏସବୁ କଥା ଏତେ ଅନର୍ଗଳ କହିପାରୁଛି କିପରି ?
ପଦ୍ମିନୀର ଦୁଇ ଜିଜ୍ଞାସୁ ଡୋଳାକୁ ଦେଖି ସେ ସାମାନ୍ୟ ବିଚଳିତ ହୋଇଗଲେ । କଥା କଥାରେ ଯେ ସେ ଏତେ ଦୂର ଚାଲିଆସିବେ ଆଉ ଚତୁରୀ ପଦ୍ମିନୀ ହଠାତ୍ ଏମିତି ପ୍ରଶ୍ନ କରିବସିବ; ଏ ଧାରଣା ତାଙ୍କର ନଥିଲା । ମୁହଁରୁ ବାହାରିଥିବା କଥା ତ ଧନୁରୁ ଛାଡ଼ିଥିବା ତୀର ଭଳି । ତାକୁ ଆଉ ଫେରେଇ ହୁଏନି । ବରଂ ମିଥ୍ୟା ଚାଟୁର ମଲାଟ ହିଁ ତାକୁ ଢ଼ାଙ୍କି ରଖିବାପାଇଁ ଏକମାତ୍ର ମହୌଷଧୀ । ଆଉ ବଚନର ମଧୁରତାରେ କାମିନୀ ମନ’କୁ କବଳିତ କରିବା କଳାର ଦକ୍ଷ କଳାକାର ଚନ୍ଦ୍ରଭାନୁ ସେଇ ଅସ୍ତ୍ର ପ୍ରୟୋଗ କଲେ ।
ସାଙ୍ଗେ ସାଙ୍ଗେ ମୁଖର ଭାବ ଓ ଭଙ୍ଗୀକୁ ପରିର୍ବନ କରି କହିଲେ- ମୁଁ ବୁଝୁଛି, ତମେ ମତେ ସନ୍ଦେହ କରୁଛ । ମୁଁ ଜାଣେ, ତମର ଏ ସନ୍ଦେହ, ତମ ପ୍ରତି ମୋର ଦୁର୍ବଳତା ପାଇଁ । ମତେ ବିଶ୍ୱାସ କର, ପଦ୍ମିନୀ ବ୍ୟତୀତ ପ୍ରକୃତିର ଶତଶତ କୁମୁଦ କେବେ ଭାନୁ ପାଇଁ ଆକର୍ଷଣୀୟ ହୋଇପାରନ୍ତି ନାହିଁ । ଭାନୁ ସବୁଦିନ ପାଇଁ ପଦ୍ମିନୀର । କହିବା ସମୟରେ ଚନ୍ଦ୍ରଭାନୁଙ୍କ କଣ୍ଠସ୍ୱର ତରଙ୍ଗାୟିତ ମନେହେଉଥିଲା । ଦୁଇ ଆଖିର ନିର୍ଯ୍ୟାସରେ ତାଙ୍କର କଥାସବୁକୁ ପିଇଯାଉଥିବା ପଦ୍ମିନୀକୁ ସେ ଡ୍ରପ୍ ଉପରକୁ ଯିବାକୁ ଡାକିଲେ । ସେ ଦୃଢ଼ କଣ୍ଠରେ ବାରଣ କଲା ।
– କାହିଁକି ମନା କରୁଛ ?
– ଏଇ ଅଳ୍ପଦିନ ତଳେ ମୋର ଜଣେ ସାଙ୍ଗ ଡ୍ରପ ଉପରୁ ଡେଇଁ ଆତ୍ମହତ୍ୟା କରିଛି । ନା, ଥାଉ, ସେ ଉପରକୁ ଯିବାନି… ମତେ ଭୟ ଲାଗୁଛି ।
– ଠିକ୍ ଅଛି, ଡ୍ରପ୍ ଉପରକୁ ନଯାଇ ପାରିଲେ ବୋଟିଂ କଲେ ତ ଭଲ ହୁଅନ୍ତା । ଭୟ କରନି । ମୁଁ ଚମତ୍କାର କାତ ଚଳାଇ ଜାଣେ । ଆସ… ପଦ୍ମିନୀର ସବୁପ୍ରକାର ଯୁକ୍ତି ନିରର୍ଥକ ହେଲା । ତାକୁ ଏକ ରକମ ଭିଡିଭିଡି ନେଇ ଚନ୍ଦ୍ରଭାନୁ ଡଙ୍ଗାରେ ବସାଇଲେ । ଅପରାହ୍ନର ଧୀର ପବନରେ ଡଙ୍ଗାଟି ଝୁଲିଝୁଲି ଆଗକୁ ଚାଲିଲା । ଜଳ ବକ୍ଷରେ ସୃଷ୍ଟି ହେଉଥିବା ଭଉଁରୀକୁ ଦେଖି ପଦ୍ମିନୀର ମନବେଳାରେ ଶତଶତ ତରଙ୍ଗ ମଥା ପିଟୁଥିଲେ ।
କ୍ରମଶଃ
Comments are closed.