Latest Odisha News

କବିତା : କେମିତି ଲେଖିହୁଏ ପ୍ରେମ

ତେଜସ୍ଵିନୀ ପଣ୍ଡା 

କେମିତି ଲେଖିହୁଏ ପ୍ରେମ ?
ଆଶ୍ୱିନର କାଶତଣ୍ଡୀରେ ନା
ପୁରୁଣା ଡାଇରୀ ପୃଷ୍ଠାରେ !
ପ୍ରେମ ଆସେ ରୂପସୀ
ନାରୀର ଖିଆଲି ସ୍ୱପ୍ନରେ
ପ୍ରେମ ଆସେ ସଦ୍ୟଜନ୍ମ ବଉଳର
ମହମହ ବାସ୍ନାରେ।

ଲେଖିହୁଏ ପ୍ରେମ
ବନ୍ଦୀ ନାୟକର ବିରହ ଯାତ୍ରାରେ
ଲେଖିହୁଏ ପ୍ରେମ
ନବବିବାହିତା ଝିଅର ସିନ୍ଥିରେ।
ଲେଖିବା ପୂର୍ବରୁ ସନ୍ଧି
କରେ ପ୍ରେମ ରକ୍ତ ଓ ମାଟି ସହ
କାଳେ ନୀରବରେ
ଘଟିବ ଶୀତଳଯୁଦ୍ଧ
ଆଉ ଆହତ ହେବ ପ୍ରେମ !

ଲେଖିବା ପରବର୍ତ୍ତୀ ଯନ୍ତ୍ରଣା
ଅସନ୍ତୁଷ୍ଟ କାଳ ମଧ୍ୟରେ
ଘୋଟିବା ଭଳି ଲାଗେ..
ପ୍ରେମର ରକ୍ତ ଶରୀରର
ଶିରା ପ୍ରଶିରାରେ ଅତୀତ,
ବର୍ତ୍ତମାନ,ଭବିଷ୍ୟତର ମାୟାରେ
ଚଳଚଞ୍ଚଳ ହୁଏ..।

ପ୍ରେମ ଆସେ
ମନ ତଳର ନୀରବ ଝଡ଼ରେ,
ପ୍ରେମ ଆସେ
ଶୁଷ୍କ ମରୁଭୂମିର ଧୂଳି କଣିକାରେ…
ପ୍ରେମ ଏକ କବିତା ଭଳି
ଆସେ ଆଉ ଚାଲିଯାଏ
ଅଫେରା ବାଟରେ।

କେମିତି ଲେଖିହୁଏ ପ୍ରେମ ?
ଗାଁ ନଈପଠାରେ ନା
ଗାଉଁଲି ଝିଅର ହାତବୁଣା
ଫ୍ରକରେ ……

ସାଦେଇପୁର, ରଘୁନାଥପୁର
ଜଗତସିଂହପୁର

Leave A Reply

Your email address will not be published.