କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଶାଢ଼ୀ ପଣତରେ ମୁହଁ ପୋଛିଲା ପଦ୍ମିନୀ ।
– ନାଆ ଚାଲିଥିବା ଯାଏ ନାଉରୀ ଗୀତ ଗାଉଥାଏ । କାତ ନପାଇଲେ ସିନା ସବୁ ଅଘଟଣ । ଘାସଫୁଲ ମଧ୍ୟ ଠାକୁରଙ୍କ ମଥାରେ ରହିଲେ ଶୋଭାଯାଏ… ସଭିଙ୍କୁ ସୁନ୍ଦର ଦିଶେ । ଆଉ ଚମ୍ପା ହୋଇ ରାସ୍ତାରେ ପଡ଼ିରହିଲେ ପାଦ ଚାପରେ ଦଳି ମକଚି ନିଃଶେଷ ହୋଇଯାଏ । ଏଇ ନାରୀ ରାଜାର ହାତ ଧରିଲେ ରାଣୀ ବୋଲାଏ । ପରିତ୍ୟକ୍ତା ହେଲେ ଅଲକ୍ଷଣୀ, ଭ୍ରଷ୍ଟା ନାମରେ ନାମିତ ହୁଏ । ଦୁନିଆ
ଦୁଇଟି ଅଭିବ୍ୟକ୍ତିର ରୂପାନ୍ତର ନା ? ଗୋଟିକର ପ୍ରଶଂସାରେ ଅନ୍ୟଟିର ନିନ୍ଦା…. ।
କୋହଭରା କଣ୍ଠରେ ପଦ୍ମିନୀ ନାରୀ ଜୀବନର ଏଇ ନିଚ୍ଛକ ସତ୍ୟକୁ ନିଜ ଜୀବନ ସହ ସଂହତି ରଖି କହୁଥିଲା ।
ଆଉ ମୀନାକ୍ଷି… ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା ।
ସମବେଦନାର ସ୍ୱର ନେଇ ପଚାରିଲା ତେବେ ତୋ’ର ବୈବାହିକ ଜୀବନ ସୁଖମୟ ହୋଇପାରି ନଥିଲା ?
– କେବଳ ସାଧାରଣ ସୁଖ ନୁହେଁ ମୀନା, ସୁଖର ପ୍ରାଚୁର୍ଯ୍ୟରେ ମୋର ଅନ୍ତର ବାହାର ପରିପୂର୍ଣ୍ଣ ଥିଲା । ଚନ୍ଦ୍ରଭାନୁଙ୍କ ସହ ପରିଚୟଠାରୁ ପରିତ୍ୟକ୍ତା ହେବା ପର୍ଯ୍ୟନ୍ତ ସୁଖ ଓ ସୋହାଗର ମୁକ୍ତାମୟ ମୁକୁଟକୁ ସେ ମୋ ମଥାରେ ପିନ୍ଧାଇ ଥିଲେ । ତାଙ୍କର ପ୍ରତାରଣାପୂର୍ଣ୍ଣ ବ୍ୟବହାରରେ ଆତ୍ମହରା ହୋଇ ମୁଁ କେବଳ, ଶିଶିରରେ ସନ୍ତରଣ କରିବାକୁ ଲାଗିଲି । ଯାହାର ଅସ୍ତିତ୍ୱ ପରର୍ବୀ ସମୟରେ କିଛି ବି ରହିଲା ନାହିଁ ।
– ହୁଁ…, ଗମ୍ଭୀର କଣ୍ଠରେ ମୀନାକ୍ଷି ପଚାରିଲା- ତେବେ ତୋର ଦାମ୍ପତ୍ୟ ଜୀବନର ସବୁ ଘଟଣା ମୋ ଆଗରେ ବର୍ଣ୍ଣନା କରିବାରେ ତୋ’ର କିଛି ଆପି ଅଛି?
– ନାଁ, ତତେ କହିବାରେ ମୋର କୌଣସି ଦ୍ୱିଧା ନାହିଁ । ଦର୍ପଣ ଆଗରେ ନିଜ ରୂପକୁ ଲୁଚେଇ ହୁଏନି ନା ?
କ୍ରମଶଃ
Comments are closed.