Latest Odisha News

BREAKING NEWS

ସ୍ମାର୍ଟ ଭିଲେଜ, ଯେଉଁଠି ରହିଛି ସହରଠୁ ବେଶୀ ସୁଖସୁବିଧା

ସ୍ମାର୍ଟ ସିଟି ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ସ୍ମାର୍ଟ ଭିଲେଜ ବା ଗାଁ ? ହଁ ଆଜ୍ଞା ଠିକ ଶୁଣିଲେ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ ଯାହା କୌଣସି ସହରର ସୁଖ ସୁବିଧା ଠାରୁ କମ୍ ନୁହେଁ ।

ଏହି ଗାଁର ଲୋକେ ପିଅନ୍ତି ମିନେରାଲ ଓ୍ଵାଟର୍‌ । ଗ୍ରାମବାସୀ ବ୍ୟବହାର କରନ୍ତି ‘ୱାଇଫାଇ’ । ଘରେ ଘରେ ଶୌଚାଳୟ, ଜାଗା ଜାଗାରେ ସିସିଟିଭି । ଏଠି ସେ ସମସ୍ତ ସୁବିଧା ଉପଲବ୍ଧ ଯାହା ଦେଖିବାକୁ ମିଳେ ବଡ ବଡ ସହରରେ ।

ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ଚଳଚ୍ଚିତ୍ରରେ କାହାଣୀ କହୁଛୁ । ନାଇଁ ଆଜ୍ଞା, ଏହା ଏକଦମ ସତ ।

ଏଭଳି ଏକ ଗାଁ ରହିଛି ଗୁଜୁରାଟର ରାଜଧାନୀ ଗାନ୍ଧିନଗର ଠାରୁ ପାଖାପାଖି ୮୦ କିଲୋମିଟର ଦୂର ସାବରକାଂଣ୍ଠା ଜିଲ୍ଲାରେ । ଗାଁର ନାଁ ପୁଂସରୀ । ଦୂରରୁ ଦେଖିଲେ ଏକ ସାଧାରଣ ଗାଁ ପରି ଲାଗିବ । କିନ୍ତୁ ଗାଁ ଭିତରର ସୁବିଧା ସବୁ କୌଣସି ସ୍ମାର୍ଟ ସିଟି ଠାରୁ କମ୍‌ ନୁହେଁ ।

ପ୍ରାୟ ୬ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଅଛି ୱାଇଫାଇ ଭଳି ହାଇଟେକ ସୁବିଧା । ୨୪ ଘଣ୍ଟା ଇଣ୍ଟରନେଟ, ମେଡିକାଲ୍‌, ଚାରିଆଡେ ନଜର ରଖିବାକୁ ଗାଁର ପ୍ରତି ଛକରେ ରହିଛି ସିସିଟିଭି କ୍ୟାମରା ।

ମାତ୍ର ୫ ଟଙ୍କାରେ ମିଳୁଛି ମିନେରାଲ ୱାଟର । ଗାଁର ପ୍ରତି ଘରେ ଶୌଚାଳୟ । ୨୪ ଘଣ୍ଟା ବିଜୁଳି ସୁବିଧା ବି ଯୋଗାଇ ଦିଆଯାଇଛି ପୁଂସରୀବାସୀଙ୍କୁ ।

ପୂର୍ବରୁ ଏହି ଗାଁ ମଧ୍ୟ ଅନ୍ୟ ସାଧାରଣ ଗାଁ ଭଳି ଥିଲା। ହେଲେ ୧୨ ବର୍ଷ ତଳେ ନିଜ ଗାଁ କୁ ଏକ ମଡେଲ ଭିଲେଜ କରି ଗଢିବାର ସ୍ୱପ୍ନ ଦେଖିଥିଲେ ପୁଂସରୀର ସରପଞ୍ଚ ହିମାଂଶୁ । ୧୨ ବର୍ଷର କଠିନ ପରିଶ୍ରମ ପରେ ଜଣେ ସରପଞ୍ଚ ନିଜ ସ୍ୱପ୍ନର ଗାଁ ଗଢି ତୋଳିବାରେ ସଫଳ ହୋଇଛନ୍ତି ।

 ହିମାଂଶୁ ୨୦୦୭ରେ ପୁଂସରୀର ସରପଞ୍ଚ ଦାୟିତ୍ୱ ନେବା ପରେ ଏହି ଗାଁର ଯେମିତି ନବ କଳେବର ହୋଇଗଲା । ହିମାଂଶୁଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଏହି ଛୋଟିଆ ଗାଁରେ ସହର ପରି ସୁବିଧା ରହିଛି । କେବେ ଋଣରେ ଭାରରେ ବୁଡି ରହୁଥିବା ଏହି ଗାଁ ଆଜି ଏକ ମଡେଲ ଭିଲେଜ । ଗାଁରେ ଅନେକ ଆଧୁନିକ ସୁବିଧା ଯୋଗୁ ପାଖାପାଖି ୪ ବର୍ଷ ହେବ ଏଠି କୌଣସି ଚୋରି ହୋଇନାହିଁ ।

ଦିଲ୍ଲୀ ମୁମ୍ବାଇ ଭଳି ମହିଳାଙ୍କୁ ଏଠାରେ ଡରିବାକୁ ପଡେନି । ସମସ୍ତେ ରାତିରେ ଏଣେତେଣେ ବୁଲିପାରନ୍ତି । କାରଣ କ୍ୟାମେରା ମାଧ୍ୟମରେ ଗାଁର ସବୁ ଛୋଟ ବଡ ଗତିବିଧି ଉପରେ ନଜର ରଖାଯାଏ ।

ପୁଂସରୀ ଗାଁ ଖୁବ ସଫା ସୁତୁରା । ଏଠି ଏଣେତେଣେ ଅଳିଆ ଆବର୍ଜନା ପକାଇବା ମନା । ଲୋକ ଅଳିଆ ଆଣି ସିଧା ପକାଇଥାନ୍ତି ଡଷ୍ଟବିନ୍‌ରେ । ସକାଳେ ଓ ସନ୍ଧ୍ୟାରେ ଗାଡି ଆସି ଏଠାରୁ ଅଳିଆ ସଂଗ୍ରହ କରିଥାଏ । ଗାଁ ବାହାରେ ଅଳିଆ ସବୁ ପକାଇବାକୁ ଏକ ସ୍ୱତନ୍ତ୍ର ସ୍ଥାନ ବି ଅଛି ।

ଗାଁର ଖାସ୍‌ କଥା ଏଇୟା, ଏଠାରେ ପ୍ରତି ଘର ଓ କ୍ଷେତରୁ ବାହାରୁଥିବା ଅଳିଆ ହିଁ ଗାଁକୁ ଆଲୋକିତ କରେ । ମାନେ ପୁଂସରୀର ଗ୍ରାମବାସୀ ଅଳିଆରୁ ବିଜୁଳି ଉତ୍ପନ କରିଥାନ୍ତି । ଗାଁରେ ଏକ ପାୱାର ଷ୍ଟେସନ ବି ଅଛି । ଲୋକେ ୨୪ ଘଣ୍ଟା ବିଜୁଳିର ସୁବିଧା ପାଇପାରୁଛନ୍ତି ।

ସରକାରଙ୍କ ସବୁ ଯୋଜନା ତଥା ରାଜ୍ୟ ଓ ଦେଶ ବିଦେଶର ଖବର ଯେମିତି ଗାଁର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ଗାଁରେ ଏକ ଆନାଉସ୍‌ମେଣ୍ଟର ସେଣ୍ଟର ରହିଛି । ଲୋକଙ୍କ ସହିତ ସିଧା ସମ୍ପର୍କ ରଖିବାକୁ ସରପଞ୍ଚ ୧୨୦ଟି ଲାଉଡ ସ୍ପିକର ଲଗାଇଛନ୍ତି । ସକାଳ ଓ ସନ୍ଧ୍ୟାରେ ଏହି ଲାଉଡ ସ୍ପିକରର ଉପଯୋଗ ଭଜନ ଓ ଆରତି ଶୁଣିବା ପାଇଁ କରାଯାଏ ।

ଯେବେ ଆମ ସବୁ ଗାଁ ବିକଶିତ ହେବ ସେତେବେଳେ ଆମ ଦେଶ ଆଗକୁ ବଢିବ । ଏହା ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀ । ଏହି ଗାଁଟି ଗାନ୍ଧୀଜୀଙ୍କ ପରିକଳ୍ପନାର ପ୍ରକୃତ ସ୍ୱରୂପ ।

Leave A Reply

Your email address will not be published.