Latest Odisha News

BREAKING NEWS

ଗୁପ୍ତତଥ୍ୟ ଲିକ ଘଟଣାରେ ବାବୁ ରାମଙ୍କୁ ଫସାଇଥିବା ଯୁବତୀ ପାକିସ୍ତାନର ନା ହାଇଦ୍ରାବାଦର ?

ବାଲେଶ୍ୱର : ଗୋପନୀୟ ତଥ୍ୟ ଲିକ ଘଟଣାରେ ଗିରଫ ବାବୁରାମ ଦେକୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ହନି ଟ୍ରାପରେ ପଡିଥିବା ବାବୁରାମ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ଗୋପନ ତଥ୍ୟ ଜଣେ ଯୁବତୀଙ୍କୁ ପ୍ରଦାନ କରିଛନ୍ତି । ସଂପୃକ୍ତ ଯୁବତୀ ପାକିସ୍ତାନ ଆଇଏସଆଇ ଦ୍ୱାରା ନିୟୋଜିତ ହୋଇଥିଲେ । ସେ କୁଆଡେ ନିଜକୁ ହାଇଦ୍ରାବାଦର ଜଣେ ଇଞ୍ଜିନିୟରିଂ ଛାତ୍ରୀ ବୋଲି ପରିଚୟ ଦେଇଥିଲେ ।

ବାବୁରାମ ଥିଲେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସର । ତେଣୁ ତାଙ୍କୁ ମାୟାଜାଲରେ ଫସାଇ ସଂପୃକ୍ତ ଯୁବତୀ ଗୋପନୀୟ ତଥ୍ୟ ହାସଲ କରି ନେଉଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ସୋସିଆଲ ମିଡିଆରେ ସଂପର୍କ ହୋଇଥିଲା । ପରେ ସମ୍ପର୍କ ବଢିଥିଲା । ମିଠାକଥା, ପ୍ରେମାଳାପ ସହ ନିଜର ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ମନରେ ବିଶ୍ୱାସ ଜନ୍ମାଇଥିଲା । ପରେ ତାଙ୍କଠାରୁ ତଥ୍ୟ ଆଦାୟ କରି ନେଇଥିଲା । ବାବୁରାମ ତାକୁ ବିଭିନ୍ନ କ୍ଷେପଣାସ୍ତ୍ର, ତାର ପରୀକ୍ଷଣ,ଫଟୋ, ଭିଡିଓ ଓ ପ୍ରତିରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ଦେଇଥିବା ଜଣାଯାଇଛି ।
ଯେହେତୁ ସଂପୃକ୍ତ ଯୁବତୀ ନିଜକୁ ହାଇଦ୍ରାବାଦର ବୋଲି କହୁଥିଲେ । ତେଣୁ ଯାଞ୍ଚରେ ବାଲେଶ୍ୱର ଜିଲ୍ଲା ପୋଲିସ ସହ ବାୟୁସେନା ଓ ଆନ୍ଧ୍ର ଗୋଇନ୍ଦା ସଂସ୍ଥାର ଟିମ ସାମିଲ ହୋଇଛନ୍ତି ।

ଗିରଫ ବାବୁରାମଙ୍କୁ ଜିଲ୍ଲା ପୋଲିସ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି । ଜେରାବେଳେ ତାଙ୍କଠାରୁ ଅନେକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି । ବାବୁରାମର ମୋବାଇଲ, ଲାପଟପ, ପେନଡ୍ରାଇଭ ସମେତ ୬ଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ପୋଲିସ ନିଜ ହେପାଜତକୁ ନେଇଛି । ଯାଞ୍ଚ ପାଇଁ ଏସବୁ ଉପକରଣକୁ କୋଲକାତା ଓ ଦିଲ୍ଲୀ ଫରେନ୍ସିକ ଟେକ୍ନିକାଲ ଲାବୋରଟୋରୀକୁ ପଠାଯିବ । ଏଥିସହିତ ବାବୁରାମର ସ୍ଥାବର, ଅସ୍ଥାବର ସମ୍ପତ୍ତିର ମଧ୍ୟ ଯାଞ୍ଚ ଚାଲିଛି । ରିମାଣ୍ଡ ଅବଧି ସରିବା ପରେ ପୋଲିସ ଆଉଥରେ ବାବୁରାମକୁ ରିମାଣ୍ଡରେ ନେବାପାଇଁ ଆବେଦନ କରିପାରେ ।

 

Comments are closed.