ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଅଭ୍ୟାସଗତ ଅପରାଧୀ ଏବଂ ମାନସିକ ଭାରସାମ୍ୟ ହରାଇଥିବା କହିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଏହାକୁ ବିରୋଧ କରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କଡ଼ା ଜବାବ ଦେଇଛି ବିଜେପି। ଦଳ କହିଛି, ଅଭିନୟ ଜଗତରୁ ଆସିଥିବା ନେତ୍ରୀଙ୍କୁ ନ୍ୟୁଜଗୁଡାକ ସିରିଏଲ ଭଳି ଏବଂ ସିରିଏଲଗୁଡାକ ନ୍ୟୁଜ ଭଳି ଦେଖାଯିବା ସ୍ୱାଭାବିକ।
ବିଜେପି ନେତ୍ରୀ ଅପରାଜିତା ବଡଜେନା କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିବାର ମାସେ ବିତିଗଲାଣି । ତଥାପି ହତ୍ୟାକାଣ୍ଡର କାରଣ ଏବଂ ଷଡଯନ୍ତ୍ରକାରୀଙ୍କ ବିଷୟରେ ରାଜ୍ୟବାସୀ ଜାଣିପାରିଲେ ନାହିଁ । ଓଡ଼ିଶାରେ ୨୦୨୨ ମସିହାରେ ୧୩୭୯ହତ୍ୟା ଏବଂ ୩୧୮୪ଧର୍ଷଣ କେସ୍ ରୁଜୁ ହେଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ଘଟୁଛି । ଗତ ୫ ବର୍ଷେରେ ୬୬ ପ୍ରତିଶତ ଅପରାଧ ବୃଦ୍ଧି ପାଇଥିବାର ଗତ କାଲି ବିଧାନସଭାରେ ରାଜ୍ୟ ସରକାର ମଧ୍ୟ ସ୍ୱୀକାରୋକ୍ତି କରିଛନ୍ତି ।
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ବିଧାନସଭା ଘେରାଓ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାରେ ରଙ୍ଗମଂଚ ଛାଡି ରାଜନୀତି ଏବଂ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବିଜୁ ଜନତା ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ବକ୍ତବ୍ୟ ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ବାସ୍ତବରେ ଅଭିନୟ ଜଗତରୁ ଆସିଥିବା ନେତ୍ରୀ ଜଣଙ୍କୁ ନ୍ୟୁଜଗୁଡାକ ସିରିଏଲ ଭଳି ଏବଂ ସିରିଏଲଗୁଡାକ ନ୍ୟୁଜ ଭଳି ଦେଖାଯିବା ସ୍ୱାଭାବିକ । ତାଙ୍କର ପୂର୍ବରୁ ଅଭିନୟର ଅନୁଭବ ଥିବାରୁ ଶ୍ରୀମତୀ ମିଶ୍ର ଏଭଳି ମନ୍ତବ୍ୟ ଗଣମାଧ୍ୟମକୁ ଦେଇପାରୁଛନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କହିଛନ୍ତି ।
ବିଜେଡି ନେତ୍ରୀ ଜଣଙ୍କ କହିଥିଲେ, ବିରୋଧୀ ଦଳର ନେତା ଜଣେ ସାମ୍ବିଧାନିକ ପଦବୀରେ ରହିଛନ୍ତି। ସେ ବିଜେଡି ଓ ଦଳର ନେତାଙ୍କୁ ସମାଲୋଚନା କରିବା ଗ୍ରହଣଯୋଗ୍ୟ। କିନ୍ତୁ ଓଡିଶାକୁ ବିରୋଧ କରିବା ଗ୍ରହଣଯୋଗ୍ୟ ନୁହେଁ। ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇ କାର୍ଟୁନ କରାଯାଉଛି। ଆଉ ତାଙ୍କ ମୁହଁରେ ଓଡ଼ିଶା ବିରୋଧୀ ମନ୍ତବ୍ୟ କୁହାଯାଉଛି। ରାଜ୍ୟ ବିଜେପିର ନେତା ଭଲ ନାଟକ କରିପାରନ୍ତି। ତାଙ୍କର ସ୍କ୍ରିପ୍ଟ କିଏ ଲେଖନ୍ତି ତାହା କିଏ କରନ୍ତି ଜଣାନାହିଁ।
ବିଜେପି କହିଛି, ପୂର୍ବରୁ ‘ପୋଷା ଶୁଆର ଘୋଷା କଥା’ ଭଳି କଥା ଆପଣ ଶୁଣିଥିଲେ । ବିଜୁ ଜନତା ଦଳ ଏକ ନାଟକ ପ୍ରିୟ ଦଳ । ଏହି ଦଳର ନେତ୍ରୀମାନେ ନିଖୁଣ ଅଭିନୟ କରନ୍ତି ଯାହା ଭାରତୀୟ ଜନତା ପାର୍ଟି ଲୋକେ କରିପାରିବେ ନାହିଁ । ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁରେ ଶିକ୍ଷା ମନ୍ତ୍ରୀ ସମୀର ଦାସ, ପରୀ ହତ୍ୟା ଘଟଣାରେ ଅରୁଣ ସାହୁ, ମାହାଙ୍ଗା କ୍ୱାଡ୍ରପଲ୍ ହତ୍ୟା ଘଟଣାରେ ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିର ଯେଉଁ ଅଭିଯୋଗ ରହିଛି, ତାହା ଡ୍ରାମା ନା ସିରିଆଲ ଥିଲା ? ଏ ସଂପର୍କରେ ଶ୍ରୀମୟୀ ମିଶ୍ର କହିବା ଉଚିତ୍ ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।
Comments are closed.