ପାରାଦ୍ୱୀପ: ଜଗତସଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ପାରାଦୀପରେ ମରଣାନ୍ତକ ଆକ୍ରମଣ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଜିତଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଥିବା ବେଳେ ହାତ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ମିଳିଥିବା ଖବର ଅନୁସାରେ, ଅଜିତ ଗତକାଲି ବିଳମ୍ବିତ ରାତିରେ ନିଜ ବାଇକ୍ରେ ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ନିକଟ ବଙ୍ଗାଳୀପଡା ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ୪-୫ ଯୁବକ ଆକ୍ରମଣ କରିଥିଲେ। ଲୁହା ରଡ୍ ଓ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରାଯାଇଥିଲା।
ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କୁ କିଛି ଯୁବକ ଉଦ୍ଧାର କରି ପ୍ରଥମେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ। ତେବେ ଏହି ଆକ୍ରମଣରେ ପାରାଦ୍ଵୀପ ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତି ଥିବା ଅଜିତ ଅଭିଯୋଗ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅଜିତଙ୍କ ସୂଚନା ଅନୁସାରେ, ଯୁବକମାନେ ତାଙ୍କୁ ବାଡେଇବା ସମୟରେ ସମ୍ପଦ ସ୍ୱାଇଁ ବିରୋଧରେ ଯାଉଛୁ ବୋଲି କହି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ତାଙ୍କୁ ଲୁହା ରଡ୍ ଓ କାଠଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଜିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ବିଗତ ୩/୪ ବର୍ଷ ହେବ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପାରାଦ୍ଵୀପ ବିଜେପି ଦୁଇ ଗୋଷ୍ଠୀରେ ପରିଣତ ହୋଇଥିଲା। ଅଜିତ ଦାସଙ୍କ ଗୋଷ୍ଠୀ ବାଜପେୟୀ ଟ୍ରଷ୍ଟକୁ ହାତେଇବାରେ ସଫଳ ହୋଇଥିଲେ। ପାରାଦ୍ୱୀପରେ ବିଜେପିର ପ୍ରତ୍ୟୋକ କାର୍ଯ୍ୟକ୍ରମ ଅଲଗା ଅଲଗା ହେଉଥିଲା। ଯାହାର ପରିଣାମ ସ୍ୱରୂପ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
Comments are closed.