ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ଅଗସ୍ ଇନ୍ଦ୍ର ଉଦୟନ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।
ଓଡ଼ିଶା ଓ ଇଣ୍ଡୋନେସିଆର ସମ୍ପର୍କ କେବଳ ନୌବାଣିଜ୍ୟ ନୁହେଁ ଅଧିକନ୍ତୁ ଏହା ସାଂସ୍କୃତିକ ଓ ଆଧ୍ୟାତ୍ମିକ ସୂତ୍ରରେ ମଧ୍ୟ ଯୋଡି ହୋଇ ରହିଛନ୍ତି । ଇଣ୍ଡୋନେସିଆର ବାଲି ଦ୍ଵୀପରେ ଲୋକମାନେ ଜଗନ୍ନାଥଙ୍କର ଆରାଧନା କରିଥାନ୍ତି ଏବଂ ତାଙ୍କର ପାରମ୍ପରିକ ନୃତ୍ୟରେ ଓଡ଼ିଶୀ ନୃତ୍ୟର ସାମଞ୍ଜସ୍ୟ ଦେଖିବାକୁ ମିଳେ। କଟକ ବାଲିଯାତ୍ରାର ଐତିହ୍ୟ ସହ ବାଲି ଦ୍ବୀପ ସହ ଥିବା ପ୍ରାଚୀନ ସମ୍ପର୍କର ପୁନଃରୁଦ୍ଧାର ହେଉ ବୋଲି ଉଦୟନ କହିଛନ୍ତି ।
ଭାରତ ବାହାରେ ଗାନ୍ଧୀ ଆଦର୍ଶର ପ୍ରଚାର ପ୍ରସାର ସହ ଆଧ୍ୟାତ୍ମିକ ଗୁରୁ ଭାବରେ ଇଣ୍ଡୋନେସିଆର ବାଲି ଓ ଲୋମ୍ବୋକରେ ୪ଟି ଗୁରୁକୂଳ ଆଶ୍ରମ ପ୍ରତିଷ୍ଠା କରିଛନ୍ତି ଉଦୟନ । ଗାନ୍ଧୀଜୀଙ୍କର ଅହିଂସା ଓ ମାନବିକତା ମନ୍ତ୍ରରେ ଅନୁପ୍ରାଣିତ ହୋଇ ପ୍ରତିବର୍ଷ ଏହି ଆଶ୍ରମରେ ୪୫ ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଙ୍କୁ ସେ ବୃତ୍ତି ପ୍ରଦାନ କରି ଶିକ୍ଷାଦାନ କରିଥାଆନ୍ତି। ୧୯୯୭ ମସିହାରେ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ବେଦାନ୍ତ ପ୍ରତିଷ୍ଠା କରି ସ୍ବାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କ ନୀତିଶିକ୍ଷାର ଦୈନନ୍ଦିନ ଜୀବନରେ ତାର ପ୍ରଭାବ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଛନ୍ତି।
ଜଣେ ମଡେଲ୍ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରି ଦେଶବିଦେଶରେ ବିଶେଷ ଭାବରେ ସଫଳତା ହାସଲ କରିବା ପରେ ଗାନ୍ଧୀଜୀଙ୍କ ବିଷୟରେ ପଢ଼ିବା ପରେ ଜୀବନ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଥିଲା ଏବଂ ସେ ସନ୍ନ୍ୟାସ ଗ୍ରହଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ଗାନ୍ଧୀଙ୍କ ରଚନାବଳୀକୁ ସ୍ଥାନୀୟ ଭାଷାକୁ ଅନୁବାଦ ମଧ୍ୟ କରିଥିଲେ। ଏହି କାର୍ଯ୍ୟ ପାଇଁ ୨୦୧୧ ମସିହାରେ ତାଙ୍କୁ ଅନ୍ତର୍ଜାତୀୟ ଯମନାଲାଲ୍ ବଜାଜ ପୁରସ୍କାର ଓ ୨୦୧୦ରେ ଆଇବିଏମଏଫ୍ ସଂସ୍ଥା ପକ୍ଷରୁ ‘ଇଣ୍ଡୋନେସିଆ ଗାନ୍ଧୀ’ ଉପାଧି ପ୍ରଦାନ କରାଯାଇଥିଲା। ଏହା ସହ ୨୦୨୦ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଉଦୟନ ଗାନ୍ଧୀ ଦର୍ଶନର ପ୍ରଚାର ପ୍ରସାର ପାଇଁ ‘ଇଣ୍ଡୋନେସିଆର ଗାନ୍ଧୀ’ ଭାବେ ପରିଚିତ।
Comments are closed.