ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାଟି କେଉଁଠୁ ଉଡି ଆସିଛି? ଏହା ଜାଣିବାକୁ ଗୁଇନ୍ଦା ପାରାଟିକୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବକୁ ଅଣାଯାଇଛି। ପାରାର ଗୋଡରେ ଲାଗିଥିବା ଚିପ୍ ଏବଂ କିଛି ଲେଖାକୁ ନେଇ ପ୍ରଶ୍ନ ଉଠିଛି। ପାରାଟିର ଗୋଡରେ ଯେଉଁ ଅକ୍ଷର ଲେଖା ହୋଇଛି ତାହା କୌଣସି ଭାରତୀୟ ଭାଷା ନାହିଁ। ତେଣୁ ଏହାକୁ ନେଇ ସନ୍ଦେହ ବଢିଛି।
ଏହା ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ଚୀନର ହୋଇଥାଇପାରେ ବୋଲି ଚର୍ଚ୍ଚ ହେଉଛି। ପାରାଦୀପ ମେରାଇନ ଥାନାର ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁପ୍ତଚର ପାରକୁ ଆଣିଛନ୍ତି।
ମାର୍ଚ୍ଚ 6 ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ରାମଚଣ୍ଡୀଠାରେ ସାରଥୀ ନାମକ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ଏହି ପକ୍ଷୀକୁ କାବୁ କରିଥିଲେ। ଜିପିଏସ୍ ଟ୍ରାକିଂ ସିଷ୍ଟମ ଭଳି ଦେଖାଯାଉଥିବା ଏହି ‘ପାରା’ ଉପରେ ଏକ ଛୋଟ ଗୁଇନ୍ଦା କ୍ୟାମେରା ଏବଂ ଚିପ୍ ଟ୍ୟାଗ ହୋଇଥିବା ଜଣାପଡ଼ିଛି।
ଯେଉଁ ଟ୍ରଲରରେ ପାରାଟି ଆସି ବସିଥିଲା ସେହି ଟ୍ରଲରର ମତ୍ସ୍ୟଜୀବୀଙ୍କୁ ପୁଲିସ ପଚରାଉଚରା କରିଛି। ଭେଟେରିନାରୀ ସର୍ଜନମାନେ ପାରାଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପାରାଟି ସୁସ୍ଥ ଥିବା ଜାଣିବାକୁ ପାଇଥିଲେ।
ଏବେ ରାଜ୍ୟ ଫରେନସିକ ଲାବ ପାରାଟିର ଗୋଡ଼ରେ ଲେଖାଥିବା ବିଦେଶୀ ଭାଷା, ରଙ୍ଗର ଚିହ୍ନ ଓ କ୍ୟାମେରାର ଚିପକୁ ତଦନ୍ତ ପରିସରଭୁକ୍ତ କରି ଡିକୋଡ୍ କରିବାକୁ ଚେଷ୍ଟା କରିବ।
ସୂଚନାଯୋଗ୍ୟ, କୋଣାର୍କର ରାମଚଣ୍ଡୀ ବତୀଘର ନିକଟରେ ଟ୍ରଲରଟି ଲଙ୍ଗର ପକାଇଥିବାବେଳେ ସେଥିରେ ପାରାଟି ଆସି ବସିଥିଲା। ମତ୍ସ୍ୟଜୀବୀମାନେ ପାରାର ଗୋଡ଼ରେ ଜିପିଏସ ଚିପ୍ ଓ କ୍ୟାମେରା ଲାଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ପକ୍ଷୀଟିକୁ କାବୁ କରି ଏକ ରଶି ସାହାଯ୍ୟରେ ବାନ୍ଧି ଦେଇଥିଲେ। ପରେ ସେମାନେ ପକ୍ଷୀଟିକୁ ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ।
Comments are closed.