Latest Odisha News

ଦୀପାଳି ନିର୍ବାଚନ ଜିତି ଲୋକଙ୍କ ସେବା କରନ୍ତୁ ଚାହୁଁଥିଲେ ବାପା: ନବଙ୍କ ବୋହୂ

ଝାରସୁଗୁଡା: ଦୀପାଳି ନିର୍ବାଚନ ଜିତି ଝାରସୁଗୁଡ଼ାବାସୀଙ୍କ ସେବା କରନ୍ତୁ । ଏହା ଶ୍ୱଶୁର ତଥା ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସ୍ୱପ୍ନ ଥିଲା ବୋଲି କହିଛନ୍ତି ଚାରଭି ଦାସ । ଦୀପାଳିଙ୍କ ସାନ ଭାଇ ବିଶାଳଙ୍କ ପତ୍ନୀ ହେଉଛନ୍ତି ଚାରଭି ।

ଶ୍ୱଶୂର ନବ ଦାସ ଦୀପାଳି ଜଣେ ନେତ୍ରୀ ହୁଅନ୍ତୁ ବୋଲି ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ବାପାଙ୍କ ଅବର୍ତମାନରେ ଆମେ ତାଙ୍କ ସ୍ୱପ୍ନ ପୂରଣ କରିବୁ ବୋଲି କହିଛନ୍ତି ଦୀପାଳି ଦାସଙ୍କ ଭାଉଜ । ଆଗକୁ ଝାରସୁଗୁଡାରେ ଉପନିର୍ବାଚନ ହେବ । ଖୁବଶୀଘ୍ର ଏ ନେଇ ନିର୍ବାଚନ ବିଗୁଲ ମଧ୍ୟ ବାଜିବ । ଏହା ପୂର୍ବରୁ ଦୀପାଳି ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ଯୋଡି ହେଉଛନ୍ତିା ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି । ତେଣୁ ଏବେ ନବଙ୍କ ବୋହୂଙ୍କ ବୟାନ ଇସାରା ଦେଉଛି ଯେ ଦୀପାଳି ଏବେ ବିଧାୟିକା ଭାବେ ନିର୍ବାଚନ ଲଢିବାକୁ ପ୍ରାର୍ଥୀ ହେବାକୁ ଯୋଜନା କରିଛନ୍ତି ।

ମହିଳା ଦିବସ ଅବସରରେ ଲଇକେରା ମିନି ଷ୍ଟାଡିୟମରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଚାରଭି କହିଛନ୍ତି ଯେ ନବ ଦାସଙ୍କ ସ୍ୱପ୍ନକୁ ସମସ୍ତେ ପୂରଣ କରିବାକୁ ଚାହୁଁଛନ୍ତି । ଏହି କାର୍ଯ୍ୟକ୍ରମରେ ଲଇକେରା, କିର୍ମିରା ଓ କୋଲାବିରା ବ୍ଲକର ପ୍ରାୟ 5 ହଜାର ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଉପରେ ଏହି ଅବସରରେ ଆଲୋଚନା କରିଥିଲେ ଦୀପାଳି । ମିଶନ ଶକ୍ତି କାର୍ଯ୍ୟକ୍ରମର ସୁଜାତା ପାଣ୍ଡିଆନଙ୍କର ଭୂମିକାକୁ ପ୍ରଶଂସା କରିବା ସହିତ ମିଶନ ଶକ୍ତି ଜରିଆରେ ଆଜି ମହିଳା ମାନେ ନିଜେ ସ୍ୱାବଲମ୍ବୀ ହୋଇ ପାରିଥିବା କହିଛନ୍ତି ଦୀପାଳି ।

ସଭାରେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦିପାଳୀ ନିଜ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେବା ସହ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ । ଆଉ ସଭାରେ ଲାଗିଥିବା ଗହଳି ପ୍ରମାଣ କରୁଛି ଯେ ସମସ୍ତେ ମୋ ବାପାଙ୍କୁ ଭଲ ପାଉଥିଲେ ଏବଂ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଭଲପାଇବାକୁ ଦର୍ଶାଉଛି । ମୁଁ ହେଉ କି ମୋ ପରିବାରର କେହି ହେଉ, ଆମକୁ ମୋ ବାପାଙ୍କ ଭଳି ସମର୍ଥନ ମିଳିବ ବୋଲି ଦୀପାଳି କହିଛନ୍ତି ।

Comments are closed.