ପୁରୀ: ପାରାଦୀପ ସମୁଦ୍ର ମଝିରୁ ମତ୍ସ୍ୟଜୀବୀ ଏକ ଗୁଇନ୍ଦା ପାରା ଉଦ୍ଧାର କରିବାର ସପ୍ତାହକ ମଧ୍ୟରେ ବୁଧବାର ପୁରୀ ଅସ୍ତରଙ୍ଗ ପୁଲିସ ସୀମା ଅନ୍ତର୍ଗତ ନାନପୁରଠାରେ ଆଉ ଏକ ସନ୍ଦିଗ୍ଧ ପାରା ଜବତ ହୋଇଛି। ଏହି ପାରାର ଗୋଡରେ ସନ୍ଦେହଜନକ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ନିର୍ଦ୍ଦିଷ୍ଟ ପାରାଟି ଗତ ଆଠ ଦିନ ଧରି ନିୟମିତ ଭାବେ ଉକ୍ତ ଅଞ୍ଚଳକୁ ଆସୁଥିଲା। ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗକୁ ନେଇ ସନ୍ଦେହ ବଢ଼ିଥିଲା। ଏହାପରେ ବୁଧବାର କିଛି ସ୍ଥାନୀୟ ଲୋକ ଏହାକୁ ଧରିବାକୁ ମାଛ ପକାଇବାକୁ ବ୍ୟବହାର ହୋଇଥିବା ଜାଲ ପକାଇ ଧରିଥିଲେ।
ଏହି ପାରାର ଦୁଇ ଗୋଡରେ ତିନୋଟି ଟ୍ୟାଗ ଥିବା ଦେଖିବାକୁ ମିଳିଛି। ଗୋଟିଏ ଟ୍ୟାଗ୍ ଉପରେ ‘REDDW VSP DN’ ଲେଖା ଯାଇଥିବା ବେଳେ ଅନ୍ୟ ଏକ ଟ୍ୟାଗ୍ ଉପରେ 31 ନମ୍ବର ଲେଖା ଯାଇଥିଲା।
ଏହି ପାରାକୁ ଧରିଥିବା ସ୍ଥାନୀୟ ବାସିନ୍ଦା ବିକ୍ରମ ପତି କହିଛନ୍ତି, ଆମ ଘରେ ପୋଷା ପାରା ଅଛନ୍ତି। ଆମେ ଗତ ସପ୍ତାହରୁ ଏହି ପାରାକୁ ଲକ୍ଷ୍ୟ କରିଥିଲୁ ଏବଂ ଏଥିରେ କିଛି ବିଚିତ୍ରତା ଲକ୍ଷ୍ୟ କରିଥିଲୁ। ଏହା ଅଲଗା ରହିଗଲା ଏବଂ ଅନ୍ୟ ପାରାଙ୍କ ସହ ମିଶିନଥିଲା। ଆମେ ଏହାର ଗୋଡ଼ରେ ମଧ୍ୟ କିଛି ଟ୍ୟାଗ୍ ଦେଖିବାକୁ ପାଇଥିଲୁ। ତେଣୁ ଆମେ ଏହାକୁ ଧରିବା ପାଇଁ ନିଷ୍ପତ୍ତି ନେଇଥିଲୁ।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ 6 ତାରିଖରେ କୋଣାର୍କ ଅଞ୍ଚଳର ରାମଚଣ୍ଡୀରେ ମଧ୍ୟ ସମାନ ପ୍ରକାରର ପାରା ଧରାପଡିଥିଲା। ଏହି ‘ଗୁଇନ୍ଦା ପାରା’ର ଗୋଡରେ ଗୁଇନ୍ଦା କ୍ୟାମେରା ଏବଂ ଏକ ଚିପ୍ ସହିତ ଟ୍ୟାଗ ରହିଥିବା ଦେଖିବାକୁ ମିଳିଥିଲା ଯାହା ଜିପିଏସ୍ ଭଳି ଦେଖାଯାଉଥିଲା। ମତ୍ସ୍ୟଜୀବୀଙ୍କ କହିବାନୁସାରେ, ପାରାର ଶରୀରରେ ନୀଳ ଓ ନାଲି ରଙ୍ଗରେ ବିଦେଶୀ ଭାଷାରେ ଗୁପ୍ତ ବା କୋଡେଡ ମେସେଜ ଭଳି କିଛି ଲେଖାଯାଇଥିଲା। ପରେ ଏହାକୁ ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି ବା ସିଏଫ୍ଏସ୍ଏଲ୍କୁ ପରୀକ୍ଷା ପାଇଁ ପଠାଯାଇଛି।
Comments are closed.