Latest Odisha News

BREAKING NEWS

କରୋନା ବେଳେ ବାପା-ମାଙ୍କୁ ହରାଇଥିବା ୫୦,୯୫୨ ପିଲାଙ୍କୁ ରାଜ୍ୟ ସରକାର କରିବେ ସାହାଯ୍ୟ

ଭୁବନେଶ୍ୱର: ଓଡ଼ିଶା ସରକାର ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ୫୦,୯୫୨ ପିଲାଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନେ କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମା’ କିମ୍ବା ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି।

ଶୁକ୍ରବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, “ଓଡ଼ିଶା ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ଏହି ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ପରିବାରର ଉଭୟ ବାପା, ମାଙ୍କୁ ହରାଇଥିଲେ ସରକାର ୨ ହଜାର ୫୦୦ ଟଙ୍କା ମାସିକ ଦେଉଛନ୍ତି ସେହିପରି ବାପା ମାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିଲେ ଦେଢ ହଜାର ୫୦୦ ଟଙ୍କ ଦିଆଯାଉଛି।

ଏହା ବ୍ୟତୀତ ପ୍ରତ୍ୟେକ ଅନାଥ ଶିଶୁକୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯାଉଛି ଯିଏ ତାଙ୍କର ଯତ୍ନ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଶିଶୁଟି ୧୮ ବର୍ଷର ନହେବା ଯାଏ ଏହି ସହାୟତା ପାଇବ।

ଯେଉଁ ପିଲାମାନେ ୨୦୨୦ ଏପ୍ରିଲ ୧ କିମ୍ବା ତା’ପରେ କୋଭିଡ-୧୯ରେ ସେମାନଙ୍କ ପିତାମାତା କିମ୍ବା ପରିବାରର ମୁଖ୍ୟ ରୋଜଗାରକାରୀ ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ବାପା ମାଆଙ୍କ ମୃତ୍ୟୁ ପରେ ପିଲାଙ୍କ ଦାୟିତ୍ୱ ନେଇଥିବା ହିତାଧିକାରୀ କିମ୍ବା ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ସରକାରଙ୍କ ଦ୍ୱାରା ଜମା ହେଉଛି।

ଏହାବ୍ୟତୀତ ଓଡ଼ିଶାର ୧୦୮ ଜଣ ଶିଶୁ ଯେଉଁମାନେ କୋଭିଡ୍-୧୯ ମହାମାରୀ ଯୋଗୁ ଉଭୟ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ପିଏମ୍ କେୟାର ଯୋଜନାରେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.