Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଉପରେ ଅନେକ ଦିନ ତଳେ ଆଲୋଚନା ଆରମ୍ଭ ହୋଇଥିଲା ଓ ବିଶେଷ ଉପକ୍ରମ ପରେ ଆଦ୍ୟ ସେବକ ଗଜପତିଙ୍କଠାରୁ ଆରମ୍ଭ ହୋଇ ମେକାପ ସେବକମାନଙ୍କ ପର୍ଯ୍ୟନ୍ତ ଆଲୋଚିତ ହୋଇଥଲା। ତେଣୁ ସମୁଦାୟ ୧୨୦ ପ୍ରକାର ସେବକଙ୍କ ମଧ୍ୟରେ ଅନ୍ୟତମ ସେବକ “ପ୍ରତିହାରୀ “ସେବକଙ୍କ ବିଷୟରେ ଆଜି ଆଲୋଚନା କରିବା। ସାହିତ୍ୟ ଦୃଷ୍ଟିରେ ଆଲୋଚନା କଲେ ପ୍ରତିହାରୀ ଶବ୍ଦର ପ୍ରକୃତ ଅର୍ଥ ହେଲା ଦ୍ୱାରପାଳ। ଶ୍ରୀମନ୍ଦିର ସତ୍ୱଲିପିରେ ତେଣୁ ବିଭିନ୍ନ ଦ୍ୱାର ପାଇଁ ଭିନ୍ନ ଭିନ୍ନ ପରିଚୟରେ ପ୍ରତିହାରୀ ସେବା ରହିଛି।

୧ . ବଡ଼ଦ୍ୱାର ପ୍ରତିହାରୀ
୨ . ଧୁକୁଡି ଦ୍ୱାର ପ୍ରତିହାରୀ
୩ . ଦକ୍ଷିଣ ଦ୍ୱାର ପ୍ରତିହାରୀ
୪ . ଦ୍ୱାରୀ ନାୟକ ପ୍ରତିହାରୀ
୫ . ଜୟ ବିଜୟ ଦ୍ୱାର ପ୍ରତିହାରୀ
୬ . ଦ୍ୱାରଘର ପ୍ରତିହାରୀ
୭ . ସିଂହଦ୍ୱାର ପ୍ରତିହାରୀ

ମୁଖ୍ୟତଃ ଶ୍ରୀଜୀଉମାନଙ୍କ ଦର୍ଶନରେ ନିରାପତ୍ତା ରକ୍ଷା କରିବା ପ୍ରତିହାରୀ ସେବକମାନଙ୍କ ମୂଖ୍ୟ କର୍ମ ହେଲେ ମଧ୍ୟ ଆହୁରି ଅନେକ ଗୁରୁତ୍ୱପୂର୍ଣ ସେବା ଏମାନେ ପ୍ରଦାନ କରିଥାନ୍ତି।

ବଡ଼ଦ୍ୱାର ପ୍ରତିହାରୀ :- ଏହାଙ୍କ ମୂଖ୍ୟ ସେବା ଗୁଡିକ ହେଲା ମଙ୍ଗଳ ଆଳତି ବେଳେ ଦ୍ୱାରଫିଟା ନୀତିରେ ଭିତରଶୋଧ କରି “ମଣିମା “ଡାକ ଦେଇ ଦ୍ୱାର ଖୋଲିବା । ଜୟ ବିଜୟ ଦ୍ୱାର ଖୋଲିବା,ଭିତରୁ ପଲଙ୍କ ଆସିବା ପରେ ଭିତର କାଠ ଲଗାଇବା ଓ ଦିବା ପହୁଡ଼ରେ ଭିତରକାଠ ବାହାର କରିବା। ଶୟନ ପରେ “ମଣିମା “ଡାକିବା ଓ କବାଟ ବନ୍ଦ କରିବା ,ପହୁଡ଼ ଭଙ୍ଗ ପରେ ସବୁ ଦ୍ୱାର ଖୋଲିବା, ଧୂପ ଡାକିବା, ଚନ୍ଦନ ବିଜେ ଡାକିବା, ଶୟନ ବେଳେ ପୁଣି ମଣିମା ଡାକ ଦେବା, ବଡ଼ସିଂହାର ଧୂପ ପରେ ରୁପା ବଟlରେ ତିନି ବାଡ଼ ପାଇଁ ପଇଡ଼ ସହ ଶୟନ ଠାକୁରଙ୍କ ପାଇଁ ପୁଷ୍ପାଳକଙ୍କୁ ପଇଡ଼ ଦେବା, ଏହି ପ୍ରତିହାରୀ ସେବକଙ୍କ ମୂଖ୍ୟ କର୍ମ ଆଗାମୀ ଅଧ୍ୟlୟରେ ଅନ୍ୟ ପ୍ରତିହାରୀ ସେବକମାନଙ୍କ ବିଷୟ ଚର୍ଚ୍ଚା କରିବା । ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

“ସାଧୁଙ୍କ ସଙ୍ଗ କର ନିତି
ଲଭିବୁ ନିର୍ମଳ ଭକତି ।
ଭକତି କରି ଶୁଦ୍ଧ ଚିତ୍ତେ
ଜ୍ଞାନ ଲଭିବୁ ତୁ ସାକ୍ଷାତେ ।
ଜ୍ଞାନେ ସଂସାରୁ ହେବୁ ପାର
ଶୁଣି ଉଦ୍ଧବ ଯୋଡି କର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.