Latest Odisha News

ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ । ସାହିତ୍ୟ ସର୍ଜନା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ। ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାର ପାଠକଙ୍କ ନିକଟରେ ପହଞ୍ଚାଇବାକୁ ସେ ସର୍ବଦା ପ୍ରୟାସ ରତ ।

ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ, ମୁଁ ନଥିଲା ବେଳେ, ଅନ୍ତରାଳେ, ବିରୋଧାଭାସ, ଜବାହର ଟନେଲ ଇଜ୍ୟା ( ହିନ୍ଦୀ କବିତା ସଙ୍କଳନ), ଚାଲ କିଛି ଆଙ୍କିବା ପ୍ରଭୃତି ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ପାରମିତା ଷଡ଼ଙ୍ଗୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

 

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ବୋଧହୁଏ ସପ୍ତମ କି ଅଷ୍ଟମରେ ପଢିଲା ସମୟରେ ସ୍କୁଲ ପତ୍ରିକାରେ ମୋର ଲେଖା ପ୍ରଥମ ଥର ପାଇଁ ପ୍ରକାଶିତ ହେଇଥିଲା। ତା’ପରେ କଲେଜରେ ପଢିଲା ବେଳେ। କିନ୍ତୁ ସେ ସବୁର ମୋ ପାଖରେ କିଛି ପ୍ରମାଣ ନାହିଁ। ଲୁଚେଇ ଲୁଚେଇ ଲେଖୁଥିଲି। ଡର ଥିଲା କାଳେ କେହି ପସନ୍ଦ କରିବେ ନା ନାହିଁ। ପ୍ରତିଷ୍ଠିତ କବି ବଂଶୀଧର ଷଡ଼ଙ୍ଗୀଙ୍କ ଝିଅର ଲେଖାର ମାପଦଣ୍ଡରେ କାଳେ ମୁଁ ଫିଟ ହେଇପାରିବି ନାହିଁ ; ସେ ଡର ମୋ ପିଲା ମନକୁ ଜାବୁଡ଼ି ଧରି ଥିଲା। ପଢ଼ିବା ବେଳୁ ମୁଁ କିଛି କିଛି ଗପ ଡାଇରିରେ ଲେଖି ଲୁଚେଇ ରଖିଥିଲି । ମୋ ବାହାଘର ପରେ ଈପ୍ସିତା ହାତରେ ସେଇ ଡାଇରିଟି ପଡ଼ିଥିଲା।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

୨୦୦୫ ମସିହା ହଠାତ୍ ଦିନେ ଈପ୍ସିତା କହିଲା,”ବଢିଆ ଗପ ଲେଖୁଥିଲୁ , ଛାଡିଦେଲୁ କାହିଁକି?” ମନ ଭିତରେ କିଛି ଗୋଟିଏ ଘାଣ୍ଟି ହେଲା ପରି ମନେ ହେଲା । କାଗଜରେ ଉତୁରିଲା ଗପଟେ ‘ଗୋଟିଏ ରାତିର ଅନୁଭୂତି’,  ଯାହାକି ‘ଧ୍ବନି ପ୍ରତିଧ୍ଵନି’ ରେ ୨୦୦୬ ମସିହାରେ ପ୍ରକାଶ ପାଇଥିଲା। ସେ ସମୟରେ ଏହାର ସାହିତ୍ୟ ପୃଷ୍ଠାର ସମ୍ପାଦକ ଅଗ୍ରଜ କୃଷ୍ଣ କୁମାର ମହାନ୍ତି ଥିଲେ। ସେ ଏହି ଖବରକାଗଜକୁ ମୋ ପାଖକୁ ପଠାଇବା ସହ କବିତା ପଠାଇବା ପାଇଁ କହିଥିଲେ। ମୋ କବି ଜୀବନର ପ୍ରଥମ କବିତା’ ‘ଅହଲ୍ୟା’ ମଧ୍ୟ ‘ଧ୍ବନି ପ୍ରତିଧ୍ଵନି’ରେ ପ୍ରକାଶିତ ହୋଇଥିଲା।

ଗଳ୍ପ, କବିତା, ଅନୁବାଦ, ସମୀକ୍ଷା ଆଦି ସବୁ ବିଭାଗରେ ଆପଣ ସକ୍ରିୟ । ତେବେ କେଉଁ ବିଭାଗଟି ଆପଣଙ୍କୁ ଅଧିକ ପରିଚିତ କରାଇଛି ଏବଂ ଆପଣ କେଉଁଥିରେ ଅଧିକ ଆତ୍ମସନ୍ତୋଷ ପାଇଛନ୍ତି ?

ମୁଁ ଭାବୁଛି ଓଡ଼ିଆ ଭାଷାରେ ଗାଳ୍ପିକା ଭାବରେ ଓ ହିନ୍ଦୀ ଭାଷାରେ କବି ଭାବରେ । କିନ୍ତୁ ଏକଥା ବି ସତ ଓଡ଼ିଶାରର କେତେକ ପତ୍ରିକା କବିତା ପାଇଁ ଆଗ୍ରହ ପ୍ରକାଶ କରନ୍ତି ତ ହିନ୍ଦୀରେ ଗପ ପାଇଁ। ହିନ୍ଦୀରେ କିଛି ଗପ ବହୁ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶିତ ବି ହୋଇଛି । ଅଧିକ ଆତ୍ମସନ୍ତୋଷ କଥା କହିଲେ, କବିତା ଓ ଗପ ଦୁଇଟି ବିଭାଗ କେତେ ବେଳେ ପୂର୍ଣ୍ଣ ହେବାର ଅନୁଭବ କରାଏ ତ କେତେବେଳେ ନିଃସ୍ବ। ଗପରେ ମନ କଥା ବିସ୍ତାର କରିହୁଏ ଯେହେତୁ ତାର ପରିସର ବ୍ୟାପ୍ତ, କିନ୍ତୁ କବିତାର ପରିସର ସେତେ ନୁହେଁ। ମୋ ମତରେ କବିତାରେ କିଛି ଲୁଚି ରହିବା ଉଚିତ୍। ପାଠକଙ୍କ ଉପରେ ବୁଝିବାର ଦାୟିତ୍ୱ ଛାଡି ଦିଆଯାଉ। ତେବେ ଯାଇ ସମୀକ୍ଷା କ୍ଷେତ୍ର ବି ବିକାଶ ପାଇବ।

ମଣିଷ ଏକ ବିଚିତ୍ର ପ୍ରାଣୀ। ସେ ସବୁବେଳେ ଦୁର୍ବୋଧ୍ୟ ପଛରେ ପଡ଼ିଯାଏ। ସେଥିପାଇଁ ରହସ୍ୟ ତାକୁ ଆକର୍ଷିତ କରିଥାଏ। ସେହିପରି ସାହିତ୍ୟର ରହସ୍ୟ ମଧ୍ୟ ପାଠକଙ୍କୁ ଆକର୍ଷିତ କରିଥାଏ। ମୁଁ ଭାବେ ଯେଉଁ ରସରେ ରହସ୍ୟ ନାହିଁ ସେ କବିତା ନୁହେଁ। ତେଣୁ କବିତା ବିଭାଗଟିକୁ ଜଣେ ପାଠକ ଓ ଲେଖକ ଭାବରେ ଛାଡ଼ି ଦିଆଯାଉ ଯନ୍ତ୍ରଣା ଭୋଗିବାକୁ। ତେବେ ସଫଳ କବିତା ବାଛି ହେଇ ବାହାରକୁ ଆଆସିବ ।
ସମୀକ୍ଷା ମୋ ପାଇଁ ଏକ ଚ୍ୟାଲେଞ୍ଜ ।ରଚନା ମାଧ୍ୟମରେ ଲେଖକର ସେ ସମୟରେ ମସ୍ତିଷ୍କରେ ପଶି ତାଙ୍କ ଚେତନା ଭିତରେ ନିଜ ଭାବ (କବିତା ଓ ଗପ ପଢ଼ିବା ସମୟରେ) ଘାଣ୍ଟିବାର ଅନୁଭୁତିକ ଖୁବ୍ ଉପଭୋଗ କରେ।

ଜଣେ ଅନୁବାଦିକା ହିସାବରେ ‘ଅନୁବାଦ ସାହିତ୍ୟ’ ଓଡ଼ିଶାର ପାଠକମାନଙ୍କ ଦ୍ୱାରା କେତେ ମାତ୍ରାରେ ଆଦୃତ ବୋଲି ଆପଣ ମନେ କରନ୍ତି ?

ଉତ୍ତର: ବହୁତ କମ୍ ବୋଲି କହିଲେ ଭୁଲ ହେବ। ଅନୁବାଦ ଉପରେ ହେଉଥିବା କାମ ବଢ଼ିଛି। ପ୍ରକାଶକମାନେ ଅନୁବାଦ ରଚନା ଲୋଡୁଛନ୍ତି, ପ୍ରକାଶିତ ବି ହେଉଛି। କିନ୍ତୁ ଅନ୍ୟ ଭାଷାରୁ ଓଡ଼ିଆ ଭାଷାରେ ଯେତିକି ଅନୁବାଦ ହେଉଛି , ଓଡ଼ିଆରୁ ଅନ୍ୟ ଭାଷାକୁ ସେତିକି ହେଉ ନାହିଁ। ସେଇଟା ଚିନ୍ତାର ବିଷୟ।

ଓଡ଼ିଆ ବ୍ୟତୀତ ଆପଣ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରନ୍ତି । ତେବେ ହିନ୍ଦୀ ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ?

ମଣିଷ ଚେତନାର ଭୋକ ମେଣ୍ଟାଇବା ପାଇଁ ଗପ ଓ କବିତା ପଢେ। ପଢ଼ିବାର ଅଭ୍ୟାସ ପିଲାଦିନୁ ଥିଲା। ଦୀର୍ଘ ଛବିଶ ବର୍ଷ ତଳେ ମୁମ୍ବାଇ ଆସିଥିଲି। ସେ ସମୟରେ ମୁମ୍ବାଇରେ ହିନ୍ଦୀ ପତ୍ରିକା ହିଁ ସାଥି ହେଇଥିଲା। ବୋଧେ ସେଥିପାଇଁ ହିନ୍ଦୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଯାଇଥିଲି ।

ଆପଣଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଇଜ୍ଜ୍ୟା’ ବିଷୟରେ କିଛି କହିବେ ?

ନିଜ ସନ୍ତାନର ପ୍ରଶଂସା ଅନ୍ୟ କାହାଠାରୁ ଶୁଣିବାକୁ ଭଲ ଲାଗେ। ଦିନେ ହିନ୍ଦୀ ଭାଷାର ବିଶିଷ୍ଟ କବି ଅଗ୍ନିଶଖର ଘରକୁ ଆସିଥିଲେ। ତାଙ୍କୁ କିଛି କବିତା ଶୁଣାଇବା ବେଳେ ଭାବ ବିଭୋର ହୋଇଗଲେ। ଖୁବ୍ ପ୍ରଶଂସା ବି କରିଥିଲେ। ସାହସ କରି ନନାଙ୍କୁ କିଛି କବିତା ହ୍ୱାଟସଅପରେ ପଠାଇଲି। ସେ ବହୁତ ପସନ୍ଦ କଲେ। ନନାଙ୍କୁ ପସନ୍ଦ ଆସିଲା ମାନେ ,ସାହସ ହେଲା ଆଉ ଲେଖିବାକୁ। ସତ କହିଲେ ଇଜ୍ୟା ନନାଙ୍କର ବାରମ୍ବାର କବିତା ବହିଟେ ପ୍ରକାଶିତ କରିବା ପାଇଁ କହିବା ରଫଳ। ‘ଇଜ୍ୟା’ ହିନ୍ଦୀ ର ବିଶିଷ୍ଟ ଲେଖକଙ୍କ ଦ୍ଵାରା ଆଦୃତ ହେବା ସହ କେତେକ ସମ୍ମାନ ଓ ପୁରସ୍କାର ପ୍ରାପ୍ତ କରିଲାଣି।

ଦୁଇଟି ଘଟଣା ବିଷୟରେ କହିବାକୁ ଚାହିଁବି, ଇଜ୍ୟା ପାଇଁ ପୁରସ୍କାର ଓ ସମ୍ମାନ ପତ୍ର ଗ୍ରହଣ କରିବା ପାଇଁ ନାସିକ ସହର ଯାଇଥିଲି। ସେଠାରେ କବି ପରିଚୟ ସମୟରେ ମୋ ନାଁ କହିବା ସମୟରେ ଜଣେ ବରିଷ୍ଠ ଲେଖିକା ହିନ୍ଦୀରେ ଯାହା କହିଲେ ,ତାର ଅର୍ଥ ହେଉଛି ‘ପାରମିତା ମାନେ ଯିଏ ଇଜ୍ୟା ଲେଖିଛନ୍ତି ‘। ଆଉ ଥରେ ଓଡ଼ିଶାର ଏକ ପ୍ରତିଷ୍ଠିତ ପତ୍ରିକା ପାଇଁ ମରାଠୀ କବିଙ୍କ ସହ ଯୋଗାଯୋଗ କରିବା ସମୟରେ ମୁଁ ତାଙ୍କୁ ମୋ ନାମ କହିଲା ବେଳେ ସେ କହିଲେ,”ଆପଣଙ୍କ ଇଜ୍ୟା ମୋ ପାଖରେ ଅଛି ।“ ସତ କହିଲେ ଏମିତି କ୍ଷଣର ଅନୁଭବକୁ ଶବ୍ଦ ଦେବା କ’ଣ ସମ୍ଭବ?

 ଜଣେ ସମୀକ୍ଷୀକା ଭାବରେ କେବେ ନିଜ ରଚିତ ପୁସ୍ତକର ସମୀକ୍ଷା କରିଛନ୍ତି କି ?

ହଁ, ଏଇ କିଛି ଦିନ ତଳେ ସୃଜନୀ ପରିବାର ଚେନ୍ନାଇ ତରଫରୁ ଏକ ଆଭାସି କାର୍ଯ୍ୟକ୍ରମରେ ଅନ୍ୟ ଦୁଇ ଜଣ କବିଙ୍କ ସହ ହିନ୍ଦୀ ଭାଷା ତରଫରୁ ମତେ ଇଜ୍ୟାର ସମୀକ୍ଷା କରିବାର ସୁଯୋଗ ମିଳିଥିଲା। ଏହା ଏକ ନିଆରା ଅନୁଭବ ଥିଲା।

ଓଡ଼ିଶା ବାହାରେ ରହି ଓଡ଼ିଆ ସାହିତ୍ୟ ସହ ଜଡ଼ିତ ହେବାରେ କିଛି ଅଭାବବୋଧ କେବେ ଅନୁଭବ କରିଛନ୍ତି କି ?

ଉତ୍ତର: ହଁ , ପ୍ରଥମେ ସେମିତି ଲାଗୁଥିଲା। କିନ୍ତୁ ଏବେ ଏତେ ମାତ୍ରାରେ ଅଭାବ ଅନୁଭବ ହେଉନାହିଁ। ବୈଷୟିକ ବିଜ୍ଞାନର ଅଗ୍ରଗତି ସହ ଦୂରତା କମିଗଲାଣି ତେଣୁ ଯୋଡ଼ି ହେବାରେ ଆଉ କିଛି ଅସୁବିଧା ନାହିଁ। ତଥାପି କେଉଁଠି ନା କେଉଁଠି ଟିକେ ଅଭାବବୋଧ ରହିଛି।

 ଅନ୍ୟ ଭାଷାର ସାହିତ୍ୟ ସହ ଆମ ଭାଷା ସାହିତ୍ୟର ତୁଳନା କିପରି କରିବେ ?

ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଉନ୍ନତ। ଭାବ ଓ ଭାଷାର ସଂଯୋଜନା, ଧ୍ବନିର ପରିପ୍ରକାଶ ଏତେ ଉନ୍ନତ ଯେ ତା’ର ତୁଳନା କରି ହେବ ନାହିଁ। ସେଥିପାଇଁ ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। କିନ୍ତୁ କେତେବେଳେ ନିଜର ବ୍ୟକ୍ତିଗତ ଜୀବନର କାର୍ଯ୍ୟ ଓ ପ୍ରକାଶନର ସୀମାରେଖା ହେତୁ କାମ ସେତିକି ଆଗେଇ ପାରୁନି। ତଥାପି ଚେଷ୍ଟା କରୁଥିବି।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ କି ଯୋଜନା କରିଛନ୍ତି ?

ଉତ୍ତର: ବହୁତ କିଛି କରିବାକୁ ଅଛି। ସମୟ , ସଂସାର ଓ ଶାରୀରିକ ଅବସ୍ଥାକୁ ନେଇ କେତେ ଦୂର ଆଗେଇ ହେବ, ଜାଣିନି। ଅନୁବାଦ କ୍ଷେତ୍ରରେ ମାନେ ଓଡ଼ିଆରୁ ହିନ୍ଦୀରେ କ୍ଷିପ୍ର ଗତିରେ ଆଗେଇବାକୁ ଇଚ୍ଛା ହେଲେ କଇଁଛ ଗତି ହୋଇ ଯାଉଛି। ସାହିତ୍ୟ ସମସ୍ତଙ୍କ ସହିତ ଆଗେଇ ଥାଏ। ମନଛୁଆଁ ରଚନାର ପ୍ରକାଶନ , ଅନୁବାଦ ଓ ପାଠକଙ୍କ ସଂଖ୍ୟାରେ ବୃଦ୍ଧି ; ସମସ୍ତଙ୍କ ମିଳିତ ଉଦ୍ୟମ ହିଁ ସମ୍ଭବ। ବହୁତ କିଛି କରିବାକୁ ଭାବିଛି କିନ୍ତୁ କେତେମାତ୍ରାରେ ତାହା ସଫଳ ହେବ ସମୟ ଆସିଲେ ଜଣାପଡ଼ିବ।

Comments are closed.