ବରଗଡ଼: ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଭରି ରହିଛି।

ସୂଚନା ଅନୁସାରେ ଏହି ପର୍ବତରେ ୧୦୫୫ ପ୍ରଜାତିର ବୃକ୍ଷଲତା ରହିଛି। ସେଥିମଧ୍ୟରୁ ୮୪୯ ପ୍ରକାର ଫୁଲ, ବୁଦା, ଗୁଳ୍ମ, ଲତା ଜାତୀୟ ଉଦ୍ଭିଦ ରହିଥିବା ବେଳେ ୩୦୦ପ୍ରକାର ଔଷଧୀୟ ଗଛ ରହିଛି। ସେହିପରି ଏହି ପର୍ବତରେ ୫୦୦ ପ୍ରକାର ପ୍ରାଣୀ ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୪୩ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ଓ ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରୀସୃପ ଅଛିନ୍ତି। ଏହି ପର୍ବତରେ ୧୧୮ ପ୍ରକାରର ପ୍ରଜାପତି ଓ ୮୩ ପ୍ରକାର ବୁଢ଼ିଆଣୀ ଦେଖିବାକୁ ମିଲନ୍ତି। ସେହିପରି ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଏହି ପର୍ବତରେ ବସବାସ କରୁଛନ୍ତି।
![Gandhamardhan Hills In Bargarh Odisha - Famous Mountain in Odisha [2022]](https://madinformer.com/wp-content/uploads/2021/03/08-10.jpg)
ଜୈବ ବିବିଧତା ପାଇଁ ଏହି ପର୍ବତ ଯେତିକି ଗୁରୁତ୍ୱପୂର୍ଣ୍ଣ ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଗନ୍ଧମାର୍ଦ୍ଦନ ସେତିକି ଲୋକଙ୍କ ନିକଟତର। ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ମଧ୍ୟ ରହିଛି। ତେଣୁ ପର୍ଯ୍ୟଟନ ସ୍ଥଳ ଭାବେ ଏହି ସ୍ଥାନରେ ପ୍ରସିଦ୍ଧି ମଧ୍ୟ ବେଶ୍ ରହିଛି।

ଗତବର୍ଷ ଡିସେମ୍ବର ମାସରେ ୧୮,୯୬୩.୮୯ ହେକ୍ଟରେ ଜମିରେ ବ୍ୟପ୍ତ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେବାପାଇଁ ଓଡ଼ିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଆଉ ଏବେ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ଏହି ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି।

Comments are closed.