Latest Odisha News

BREAKING NEWS

ନୂଆପଡାରେ ରକ୍ତମୁଖା ବାଘ; ଛକି ବସୁଛି, ମଉକା ଦେଖି ଟାଣି ନେଉଛି, ମଣିଷ ମରିବା ସହ ନେଇଛି ୭ ଗୃହପାଳିତ ପ୍ରାଣୀର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାତିଛି ରକ୍ତମୁଖା ବାଘ। ଶିକାର ଦେଖି ଛକି ବସୁଛି। ମଉକା ମିଳିଲେ ଝପଟି ପଡ଼ି ଜଙ୍ଗଲକୁ ଟାଣି ନେଉଛି। ସେ ମଣିଷ ହେଉକି ଗୃହପାଳିତ ପଶୁ, କାହାକୁ ଛାଡ଼ୁନି। ମଣିଷକୁ ମାରିଛି, ୭ ଗୃହପାଳିତ ପଶୁକୁ ଶିକାର କରିଛି। କାନରୁ କାନ ଖବର ଉଡ଼ି ବୁଲୁଛି ବାଘ ମାତିଛି। ନୂଆପଡ଼ା ସଦର ଓ କୋମନା  ବ୍ଲକ୍‌ରେ ଭୟରେ ତାଟିକବାଟ ପଡ଼ି ଯାଉଛି।

ବାଘଟି ୨୦ ଦିନ ମଧ୍ୟରେ ଜଣେ ମଣିଷ ଓ ୭ ଗୃହପାଳିତ ପ୍ରାଣୀକୁ ମାରି ଖାଇଲାଣି। ବନ ବିଭାଗ ଗାଁରେ ଜଗି ବସୁଛି। ହେଲେ ଲୋକ ସୁରକ୍ଷା ପାଇପାରୁ ନାହାନ୍ତି। ବିଭାଗ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ତେବେ ବଡ଼ କଥା ହେଲା ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାଘଟି କଲରାପତରିଆ ବାଘ ନା ମହାବାଳ ବାଘ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେଣୁ ଲୋକେ ଭୟ ଓ ଚିନ୍ତାରେ ରହୁଛନ୍ତି। ବାଘଟି ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ୫ କି.ମି. ଦୂର ଟାନୁୱାଟରେ ରହିଛି ବୋଲି ଲୋକେ କହୁଛନ୍ତି। କାରଣ ଲୋକ ଶୁକ୍ରବାର ରାତିରେ ବାଘକୁ ସେଇଠି ଦେଖିଥିଲେ।

ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ଟ୍ରାକ୍ କ୍ୟାମେରା ଲଗାଯାଉଛି ବୋଲି କୁହାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ବାଘର କୌଣସି ଚିତ୍ର ଆସିନାହିଁ। କେଉଁଠି ଛକୁଛି ବାଘ, କେମିତି କରୁଛି ଟାର୍ଗେଟ୍‌ ତାହା କାହାକୁ ଜଣା ନାହିଁ। ନାଁ କ୍ୟାମେରାରେ ଫଟୋ ଆସୁଛି ନା ତା ଗତିବିଧି ଜାଣି ହେଉଛି।

ସୂଚନା ଥାଉକି, ୨୦ ତାରିଖରେ ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗ୍ରାମର ସନମତୀ ବାରିକ (୬୫)ଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା। ସେ ଜାଳ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ବାଘର ତାଙ୍କ ଉପରକୁ ଝାମ୍ପ ମାରି ଜଙ୍ଗଲକୁ ଟାଣି ନେଇଥିଲା। ପୁଣି ରବିବାର ତରିଆ ମହୁଆଭଟାର ହୁମନ ନାଏକଙ୍କ ଏକ ବାଛୁରୀକୁ ବାଘ ଶିକାର ବନାଇଥିବା ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି।

 

Leave A Reply

Your email address will not be published.