ଓଡ଼ଗାଁ: ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଗଛରେ ପିଟି ହେଇଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ।
ମୃତକମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ(୨୦),ସୂର୍ଯ୍ୟକାନ୍ତ ପ୍ରଧାନ (୧୯) ଓ ରାଜେଶ ନାୟକ (୧୯)। ମିଳିଥିବା ସୂଚନା ଅନୁସାରେ, ଏହି ୩ ଜଣ ଯୁବକ ଓଡ଼ଗାଁକୁ ଘରୁ ରାତି ୮ ସମୟରେ ଶ୍ରୀରାମ ନବମୀ ଯାତ୍ରା ଦେଖିବାକୁ ବାହାରିଯାଇଥିଲା। ଯାତ୍ରା ଦେଖି ରାତି ୧୨ ସମୟରେ ଗୋଟିଏ ବାଇକ୍ରେ ୩ ଜଣ ବସି ଘରକୁ ଫେରୁଥିଲେ।
ହେଲେ ପଥରା ବୃଦ୍ଧାଶ୍ରମ ନିକଟରେ ବାଇକ୍ରୁ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲେ। ଗଛ ସହ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା ଯେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Comments are closed.