Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ୪୪ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ପୁଣିଥରେ ମୁଣ୍ଡ ଟେକିଛି। ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୪୪ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ବୁଧବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଗୁରୁବାର ପ୍ରକାଶ ପାଇଥିବା ରିପୋର୍ଟରେ ୧୦ ଜଣ ଅଧିକ ସହିତ ୪୯ ଜଣ ଚିହ୍ନଟ ହୋଇଛନ୍ତି।

ତେବେ କିଛି ମାସ ତଳେ ଯେଉଁ କୋଭିଡ ମୁକ୍ତ ଜିଲ୍ଲା ବାବଦରେ କୁହାଯାଉଥିଲା ଏବେ ତାହା ଧୀରେ ଧୀରେ କୋଭିଡ୍ ଯୁକ୍ତ ଜିଲ୍ଲାରେ ଯୋଡ଼ି ହୋଇଯାଉଛି। ସଂକ୍ରମିତଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ୫ ଜଣ ପିଲା ମଧ୍ୟ ରହିଛନ୍ତି। ଯେଉଁମାନେ କି ଟିକା ନେଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ କଟକରୁ ସର୍ବାଧିକ ୨୫, ସମ୍ବଲପୁର ୮, ପୁରୀ, ନବରଙ୍ଗପୁରରୁ ୪ ଲେଖାଏ, ଖୋର୍ଦ୍ଧା ଓ କୋରାପୁଟରୁ ୩ ଲେଖାଏଁ, ଗଜପତି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ପୁଣିଥରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସ୍ଥିତି ବେକାବୁ ହୋଇପାରେ ଭାବି ଦିଲ୍ଲୀ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଗୁରୁବାର ଦିଲ୍ଲୀ ସଚିବାଳୟରେ ଏକ ଜରୁରୀ ବୈଠକ ଡାକିଥିଲେ। କରୋନା ମୁକାବିଲା ପାଇଁ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତି ବାବଦରେ ସେ ଏହି ଅବରରେ ସମୀକ୍ଷା କରିଥିଲେ।

ସେ କହିଛନ୍ତି, ଭାରତର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ କ୍ରମେ ପ୍ରସ୍ତୁତି ଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି। ମହାରାଷ୍ଟ୍ରରେ ଦୁଇ ତିନି ସପ୍ତାହ ବୃଦ୍ଧି ପାଇବା ପରେ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି।

Leave A Reply

Your email address will not be published.