ପଟିଆଲା: ଆଜି(ଏପ୍ରିଲ ୧) ଜେଲ୍ରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତାଙ୍କୁ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ୍ର ଗେଟ୍ ବାହାରେ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଅଛନ୍ତି। ଆଉ କିଛି ସମୟ ପରେ ସିଦ୍ଧୁ ଜେଲ୍ରୁ ବାହାରିବେ। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଜେଲ୍ ଗେଟ୍ ପାଖକୁ ଆସିପାରନ୍ତି ବୋଲି କୁହାଯାଉଛି।
ସୂଚନା ଥାଉକି ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପର ଠାରୁ ସେ ପଞ୍ଜାବର ପଟିଆଲା ଜେଲ୍ରେ ସଜା କାଟୁଛନ୍ତି। ତେବେ ତାଙ୍କ ଦଣ୍ଡ ଅବଧି ପୂରା ହୋଇ ନଥିବା ବେଳେ ଜେଲ୍ରେ ସିଦ୍ଧୁଙ୍କ ଉତ୍ତମ ଆଚରଣ ଯୋଗୁ ରିମିସିନ(ଦୋଷ କ୍ଷମା) ଆଧାରରେ ତାଙ୍କୁ ଛାଡ଼ି ଦିଆଯାଉଥିବା ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ସିଦ୍ଧୁ ଜେଲ୍ରୁ ମୁକୁଳିବା ନେଇ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ର ସୂଚନା ଦିଆଯାଇଥିଲା। ଏଥିରେ ଲେଖାଯାଇଥିଲା- “ଆସନ୍ତାକାଲି ପଟିଆଲା ଜେଲ୍ରୁ ମୁକୁଳିବେ ସରଦାର ନବଜୋତ ସିଂହ ସିଦ୍ଧୁ।(ବିଭାଗୀୟ ଅଧିକାରୀ ସୂଚିତ କରିଛନ୍ତି।)” ଏବେ ସେ ଜେଲ୍ରୁ ମୁକୁଳିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ବୋଲି ଆଉ ଏକ ଟ୍ୱିଟ୍ କରାଯାଇଛି।
ରୋଡରେଜ୍ ମାମଲାରେ ୨୦୨୨ ମେ ମାସ ୨୦ ତାରିଖରେ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା। ସେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଥିଲେ।
୧୯୮୮ ରୋଡ୍ ରେଜ୍ ମାମଲା କଣ?
ଏହି ଘଟଣା ୧୯୮୮ ମସିହାରେ ଘଟିଥିଲା। ଗାଡି ପାର୍କିଂକୁ ନେଇ ତର୍କ ହେବାରୁ ସିଦ୍ଧୁ ଓ ତାଙ୍କ ବନ୍ଧୁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏଥିରେ ଚିକିତ୍ସିତ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ, ସିଦ୍ଧୁ ଓ ତାଙ୍କ ବନ୍ଧୁ ରୁପିନ୍ଦର ସିଂହ ସାନ୍ଧୁ ପଟିଆଲା କ୍ରସିଂର ଶେରନୱାଲେ ନିକଟରେ ମଝି ରାସ୍ତାରେ ଜିପ୍ସୀ ଗାଡ଼ି ପାର୍କିଂ କରି ବାର୍ତ୍ତାଳାପ କରୁଥିଲେ। ଏହି ସମୟରେ ପଟିଆଲାର ୬୫ ବର୍ଷୀୟ ଗୁରନାମ ନାମକ ଜଣେ ବ୍ୟକ୍ତି ଗାଡି ଚଳାଇ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ରାସ୍ତାରୁ ଗାଡି ହଟାଇ ସାଇଟ୍ ଦେବାକୁ ସିଦ୍ଧୁଙ୍କୁ କହିଥିଲେ।
ଉଭୟଙ୍କ ମଧ୍ୟରେ ତର୍କ ହେବାରୁ ସିଦ୍ଧୁ ଓ ତାଙ୍କ ବନ୍ଧୁ ମିଶି ଗୁରନାମଙ୍କୁ ମାଡ ମାରିବା ସହ ତାଙ୍କୁ ଗୁରୁତର କରିଦେଇଥିଲେ। ଆହତ ଗୁରନାମ ଯେମିତି ଡାକ୍ତରଖାନା ଯାଇନପାରନ୍ତି ସେଥିପାଇଁ ତାଙ୍କ ଗାଡ଼ିରୁ ଚାବି କାଢ଼ି ନେଇ ଫେରାର୍ ହେଇ ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନା ମୃତ୍ୟୁ ହୋଇଥିଲା।
Comments are closed.