Latest Odisha News

BREAKING NEWS

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବଙ୍କ ମଧୁସ୍ମୃତି ପୀଠ ପରିଦର୍ଶନ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବାଦୀୟ ଅଞ୍ଚଳ କୋଟିଆରେ ସଭା। ଏ ଦୁଇଟି ଚିତ୍ରର ସାମଞ୍ଜସ୍ୟ ହେଲା ମଧୁ ବାବୁଙ୍କର ଓଡ଼ିଶା ପ୍ରତିଷ୍ଠାରେ ଗୋଟିଏ ବଡ଼ ଭୂମିକା ରହିଛି। ପ୍ରତିଷ୍ଠା ଦିବସରେ 5ଟି ସଚିବ ଗସ୍ତ କରି ଆଗାମୀ ଦିନରେ ବରପୁତ୍ରଙ୍କ ଜନ୍ମସ୍ଥଳୀକୁ କିଭଳି ‘ସୁଆଣ୍ଡୋ’ ଭଳି ବିକଶିତ କରାଯିବ ଗୁରୁତ୍ବ ଦେଇଛନ୍ତି। ସେହିପରି ଆନ୍ଧ୍ର ସୀମାରେ ଥିବା କୋଟିଆରେ ଓଡ଼ିଆ ଅବହେଳିତ ହେଉଥିବାର ଅଭିଯୋଗ ରହିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆଙ୍କ ପ୍ରତି ଓ ଓଡ଼ିଶା ପ୍ରତି ତାଙ୍କ ସରକାର ବେଶ ଯତ୍ନବାନ ରହିଛନ୍ତି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି।

ଭାଷା ଭିତ୍ତିରେ ଗଠିତ ହୋଇଥିବା ସ୍ୱତନ୍ତ୍ର ରାଜ୍ୟ ଓଡିଶା। ତେଣୁ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ ବହୁ ବରପୁତ୍ରଙ୍କର ବିଶେଷ ଅବଦାନ ରହିଛି। ସେଥିପାଇଁ ରାଜ୍ୟ ସରକାର ମହାମନିସିମାନଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଉତ୍କଳ ଦିବସର ଫାଇଭ ଟି ସଚିବ ମଧୁସ୍ମୃତି ପୀଠ ପରିଦର୍ଶନ କରିବା ସହ ପୀଠର ବିକାଶ ନେଇ ଆଲୋଚନା କରିଛନ୍ତି।

ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବା ସହ ମଧୁସୂଦନଙ୍କର ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହେବ। ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ସୋ ମଧ୍ଯ କରାଯିବ। ଫାଇଭ ଟି ସଚିବ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ପୀଠର ବିକାଶ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିଥିଲେ। ଆଗାମୀ ଏପ୍ରିଲ ୧୫ ତାରିଖ ସୁଦ୍ଧା ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି କୁହାଯାଇଛି।

ନିକଟରେ ପୁରୀ ସୁଆଣ୍ଡୋରେ ଉତ୍କଳର ବରପୁତ୍ର ଉତ୍କଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମ ମାଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହିପରି କେନ୍ଦ୍ରୀୟ ପର୍ଯ୍ୟଟନ ଯୋଜନା ଆଧାରରେ ରାଜ୍ୟର ପର୍ଯ୍ୟଟନ ବିକାଶ ସମେତ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଉନ୍ନତିକରଣ ନିମନ୍ତେ ନିଜ ଆଡୁ କେନ୍ଦ୍ର ପର୍ଯ୍ୟଟନ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ। ଏହା ମଧ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ନିମନ୍ତେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ଉତ୍କଳ ଦିବସରେ ବିବାଦୟୀ ଅଞ୍ଚଳ କୋଟିଆ ଗସ୍ତ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ। କୋଟିଆରେ ଓଡ଼ିଆ ଅବହେଳିତ ଥିବା ଅଭିଯୋଗ ରହିଛି। ଯାହାର ଫାଇଦା ନେଇ ଆନ୍ଧ୍ର ସରକାର ବଳପୂର୍ବକ ପ୍ରବେଶ କରେ। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରନ୍ତି। ଆଉ ଏହି ସମୟରେ କୋଟିଆ ଗସ୍ତ କରି ଧର୍ମେନ୍ଦ୍ର ଉତ୍କଳ ଦିବସ ପାଳନ କରିବା ଓଡ଼ିଶାରେ ଶାସକ ଦଳ ପ୍ରତି କଟା ଘା’ରେ ଚୂନ ସଦୃଶ ବୋଲି ଚର୍ଚ୍ଚା ହେଉଛି।

ଏପରିକି ସେଠାରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ମନ୍ତବ୍ୟ ମଧ୍ୟ ଚର୍ଚ୍ଚାକୁ ବହୁଗୁଣିତ କରିଛି। ଗୋଟିଏ ପଟେ ରାଜ୍ୟର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ, ସାଇନବୋର୍ଡ ଓଡ଼ିଆରେ ଲେଖିବା ଆଦି ପ୍ରସଙ୍ଗ ଆଜି ବି କଥାରେ ସୀମିତ ରହିଥିବା କୁହାଯାଏ। ଏଥିରେ ଉଭୟ ସରକାର ଓ ଲୋକଙ୍କ ଅନାଗ୍ରହର କଥା ମଧ୍ୟ ଆଲୋଚନା ହୁଏ। ସେପଟେ କୋଟିଆଠୁ ଆରମ୍ଭ କରି ବିଭିନ୍ନ ସୀମାଞ୍ଚଳରେ ପଡୋଶୀ ରାଜ୍ୟର ଅନୁପ୍ରବେଶ ଚାଲୁ ରହିଥିଲେ ମଧ୍ୟ ଏସବୁକୁ ରୋକିବା ପାଇଁ ସେମିତି ବଡ଼ ଧରଣର ପଦକ୍ଷେପ ନିଆଯାଇ ନ ଥିବା କୁହାଯାଏ। ଏପରିକି ରାଜ୍ୟ କିମ୍ବା କେନ୍ଦ୍ର ସ୍ତରରେ ପ୍ରମୁଖ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ମାନେ ଏହାର ସମାଧାନ ପାଇଁ ଆନ୍ତରିକ ଉଦ୍ୟମ କରୁ ନଥିବା ଅଭିଯୋଗ ହୁଏ। କେବଳ ଓଡ଼ିଆ ଓଡ଼ିଶା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ଦେଖିବାକୁ ମିଳେ। ଆଗକୁ ନିର୍ବାଚନ ଥିବାରୁ ଓଡିଶା ଓ ଓଡ଼ିଆ ପ୍ରୀତି ଦେଖାଇ କିଏ ଓଡ଼ିଆଙ୍କ ହୃଦୟକୁ ଜିଣିପାରିବ ତାକୁ ନେଇ ପ୍ରତିଯୋଗିତା କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments are closed.