କଟକ: କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ସମସ୍ତଙ୍କ ସାମ୍ନାର ଘଟିଲା ହତ୍ୟାକାଣ୍ଡ । ସମସ୍ତେ ଦେଖୁଥିଲେ । ଅମ୍ପେୟାରଙ୍କୁ ଛୁରା ମାରି ଚାଲିଥିଲେ । ସେତିକିରେ ମନ ପୂରିଲାନି । ବ୍ୟାଟରେ ପିିଟି ପିଟି ଶେଷରେ ମାରିଦେଲେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା ମହିଁଶାଲଣ୍ଡା ଗାଁରେ । ଗାଁରେ ଏବେ ପୋଲିସ ଛାଉଣୀ । ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇ ଯାଇଛି । ତେବେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
ଗାଁ ପଡିଆରେ ଚାଲିଥିଲା ଖେଳ । ମ୍ୟାଚ ଥିଲା ବ୍ରହ୍ମପୁର ଓ ଶଙ୍କରପୁର ଗାଁ ମଧ୍ୟରେ । ଅମ୍ପାୟାର ଥିଲେ ମହିଶାଲଣ୍ଡା ଗାଁର ଲକି ରାଉତ । ପ୍ରଥମେ ବ୍ୟାଟିଂ କରୁଥିଲେ ବ୍ରହ୍ମପୁର । ପ୍ରଥମ ବଲରେ ଆଉଟ ହୋଇଗଲେ ବ୍ରହ୍ମପୁରର ବୋଲର । ଅମ୍ପାୟାର ଉକ୍ତ ଖେଳାଳିଙ୍କୁ ଆଉଟ ଘୋଷଣା କଲେ । ବାସ୍ ! ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଯୁକ୍ତିତର୍କ । ପରେ ଏହି ଯୁକ୍ତିତର୍କ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। କଥା ଧସ୍ତାଧସ୍ତି ଓ ମୁଥ ମରାମରି ଯାଏ ଯାଇଥିଲା । ଶେଷରେ କାହିଁକି ଆଉଟ ନିଷ୍ପତ୍ତି ଦେଲେ ବୋଲି କହି ଅମ୍ପାୟାରଙ୍କୁ ଛୁରୀ ମାଡ ସହ ବ୍ୟାଟରେ ନିସ୍ତୁକ ମାଡ ମାରିଥିଲେ । ଫଳରେ ଚାଲି ଯାଇଥିଲା ଯୁବ ଅମ୍ପାୟାରଙ୍କ ଜୀବନ ।
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କ ନାମ ସ୍ମୃତି ରଞ୍ଜନ ରାଉତ । ପୋଲସ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ଏହି ଘଟଣାକୁୂ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Comments are closed.