Latest Odisha News

BREAKING NEWS

ଚେନ୍ନାଇର ବିଶାଳ ସ୍କୋର, ଲଢ଼େଇ କରି ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚଳିତ ଆଇପିଏଲ ସିଜିନର ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିଜୟ ଲାଭ କରିଛି। ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଲକ୍ଷ୍ନୌକୁ ୧୨ ରନରେ ପରାସ୍ତ କରିଛି। ଟସ ହାରିବା ପରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ  ୭ ୱିକେଟ୍ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା। ପରେ ୨୧୮ ରନର ଲକ୍ଷ୍ୟ ନେଇ ପଡ଼଼ିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ। ଦଳ ମାତ୍ର ୨୦ ଓଭରରେ ୨୦୫ ରନ୍ ସ୍କୋର କରି ୭ ୱିକେଟ୍ ହରାଇଥିଲା। ସିଏସକେ ପାଇଁ ବିଜୟର ହିରୋ ହୋଇଛନ୍ତି ମୋଏନ୍ ଅଲି। ଯିଏକି ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ପ୍ରାୟ ଚାରି ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସ ଘରୋଇ ପିଚ ଚେପକରେ ମ୍ୟାଚ୍ ଖେଳିଥିଲା। ଚଳିତ ସିଜନରେ ଏହା ଚେନ୍ନାଇର ପ୍ରଥମ ବିଜୟ। କାରଣ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ପରାସ୍ତ ହୋଇଥିଲା ମହେନ୍ଦ୍ର ସିଂହଙ୍କ ନେତୃତ୍ବାଧୀନ ଦଳ। ଏହି ବିଜୟ ପରେ ଚେନ୍ନାଇ ସୁପର କିଙ୍ଗସ ଆତ୍ମବିଶ୍ୱାସ ଫେରି ପାଇଛି। ଯାହା ଦଳକୁ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।

୨୧୮ ରନ ଟାର୍ଗେଟ ପିଛା କରି ଅଧିନାୟକ କେ.ଏଲ୍ ରାହୁଲ ଏବଂ କାଏଲ୍ ମେୟର୍ସ ଯୋଡି ପ଼ଡିଆକୁ ଓହ୍ଲାଇଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ ଓପନର ପ୍ରଥମରୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ମିଳିତ ଭାବେ ୬ ଓଭର ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୯ ରନର ଭାଗିଦାରୀ କରିଥିଲେ। ଏହାପରେ ମେୟର୍ସ ୫୩ ରନ୍ କରିଥିବା ବେଳେ ମୋଇନ୍ ଅଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ଯାହା ଦଳକୁ ଗୋଟି ବଡ ଝଟକା ଦେଇଥିଲା। ଏହାପରେ ଲକ୍ଷ୍ନୌ ଟିମର ଗୋଟିଏ ପରେ ଗୋଟିଏ ଓ୍ୱିକେଟ ଖସିଥିଲା। ଦଳ ବାରମ୍ବାର ଓ୍ବିକେଟ ହରାଇବା ପରେ ବିଶାଳ ରନ ପିଛା କରିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ ଲଢ଼େଇ କରି ୧୨ ରନରେ ଘରୋଇ ଟିମ୍ ଠାରୁ ହାରିଛି।

Comments are closed.