Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ଦିବସ            

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଦ୍ଵିତୀୟ ଦିନରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗର  ନିର୍ଦ୍ଦେଶକରଞ୍ଜନ କୁମାର ଦାସ, ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ  ଅଧ୍ୟକ୍ଷା, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ ।

BjdElectrycity

ଦ୍ଵିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଲକାନଗିରିରୁ  ଆସିଥିବା ଲୋକନୃତ୍ୟ ଦଳଙ୍କ କୋୟା ନୃତ୍ୟ, ଅନୁଗୋଳର ରାବଣଛାୟା ନୃତ୍ୟ ସଂସଦ ତରଫରୁ ଛାୟା ନୃତ୍ୟ, ସମ୍ବଲପୁରରୁ ସମ୍ୱଲପୁରୀ ଲୋକ ନୃତ୍ୟ(ବଜନିଆ),  ରେମୁଣାସ୍ଥିତ  ମା ଭଗବତୀ ଚଢେୟା ନାଚ ଅନୁଷ୍ଠାନ ତରଫରୁ ଚଢେୟା ଚଢେୟାଣୀ ନାଚ,  କେନ୍ଦ୍ରାପଡାର ବିନୋରୀ କେନ୍ଦରାଗୀତ ଓ ପାଲା ଅନୁଷ୍ଠାନ ତରଫରୁ କେନ୍ଦରାଗୀତ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଂଜର କୀଚକେଶ୍ୱରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ତରଫରୁ ଝୁମର ନୃତ୍ୟ, ବୌଦ୍ଧର ଜଗନ୍ନାଥ ଯୁବକସଂଘ ତରଫରୁ ଶବର ନାଚ, କୋରାପୁଟର କୋଟପାଡ କଳାବିକାଶ କେନ୍ଦ୍ର ଦ୍ୱାରା ଢେମସା, ରାୟଗଡାର ଦେବଗିରି କଳା ପରିଷଦ ତରଫରୁ ଗୁର୍କି ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗ ସଂଯୋଜନା ଓ ସନାତନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଆଦର୍ଶ  ବିଦ୍ୟାଳୟର  ଛାତ୍ରୀମାନେ ଗୀତ    ଶୈଳୀରେ ପଣକିଆ ମାଧ୍ୟମରେ ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଗାନ କରିଥିଲେ। ପରିଶେଷରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.