ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା
ଗଳ୍ପ ସଙ୍କଳନ : ଝଞ୍ଜାବର୍ତ୍ତ
ଗାଳ୍ପିକା : ସୁନନ୍ଦା ବି ମହାପାତ୍ର
ପ୍ରକାଶକ ‐ ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ବର
ପୃଷ୍ଠା : ୧୬୮,
ମୂଲ୍ୟ : ୧୮୯ ମାତ୍ର !
କ୍ଷୁଧାର୍ତ୍ତ କ’ଣ ଦେଖେ କିଏ ଖାଦ୍ୟ ଆଉ କିଏ ଅଖାଦ୍ୟ ? କିଏ ଯୋଗ୍ୟ କିଏ ଅଯୋଗ୍ୟ ? ସେ କ’ଣ ବିଚାର କରିପାରେ ଉଚିତ୍ ଓ ଅନୁଚିତ୍ ମଧ୍ୟରେ ତାରତମ୍ୟ ? ବୁଝିପାରେ ସମ୍ପର୍କର ଗୁରୁତ୍ବକୁ ? ତା’ର ତ ଭୋକ ମେଣ୍ଟିଲେ ହେଲା……
ପିଲାଦିନେ କାହାଣୀରେ ରାକ୍ଷସମାନଙ୍କ ବର୍ବରତା ବିଷୟରେ ପଢ଼ି ବା ଶୁଣି ଡରି ଯାଇ ମା’ କୋଳରେ ମୁଣ୍ଡ ଗୁଞ୍ଜି ଦଉଥିବା ‘ରାଜି ଅପା’ ବାସ୍ତବ ଜୀବନରେ ଯେତେବେଳେ ଗୋଟେ ସତସତିକା ରାକ୍ଷସକୁ ସାମ୍ନା କରେ ସେତେବେଳେ ତା’ ମାନସିକ ଓ ଶାରୀରିକ ଅବସ୍ଥା କ’ଣ ହୋଇଥିବ ! ‘ଅକ୍ଟୋପାସ୍’ ଯେପରି ତା’ ଶିକାରକୁ ଚତୁଃ ପାର୍ଶ୍ବରୁ ଆକ୍ରମଣ କରି ତାକୁ ନିସ୍ତେଜ କରିଦିଏ, ରାଜି ସେମିତି କ’ଣ ତା ମାରାତ୍ମକ ପଞ୍ଝାରୁ ନିଜକୁ ମୁକୁଳେଇପାରେ ? ଏମିତି ଏକ ଅଭାବନୀୟ ଦୁର୍ଘଟଣାକୁ ନେଇ ସୁନନ୍ଦାଙ୍କ ‘ଅକ୍ଟୋପାସ୍’ର କାହାଣୀ ଗତିଶୀଳ । ଝିଅଟିଏ ଯଦି ତା’ ପରିବାର ଭିତରେ ନିର୍ଯ୍ୟାତନାର ଶୀକାର ହେଲା ତା’ ହେଲେ ସେ ଭରସା କରିବ କାହାକୁ ? ଅପରାଧିକୁ ଜାଣି ମଧ୍ୟ ରାଜି ପ୍ରତିବାଦ କରିପାରିନି । କାହିଁକି ? ଆତ୍ମସମ୍ମାନ ନା ପରିବାରର ସମ୍ମାନ ନା ନିଜ ଅସହାୟବୋଧତା…..
ଓଡ଼ିଆ କଥା ସାହିତ୍ୟର ଜଣେ ଚର୍ଚ୍ଚିତ ସ୍ବର ସୁନନ୍ଦା ବି ମହାପାତ୍ରଙ୍କ “ଝଞ୍ଜାବର୍ତ୍ତ” ଗଳ୍ପ ସଂକଳନର ପ୍ରଥମ ଗପ ‘ଅକ୍ଟୋପାସ”ର ହୃଦୟସ୍ପର୍ଶୀ କାହାଣୀ ପାଠକକୁ ଚରମ ପରିଣତି ପର୍ଯ୍ୟନ୍ତ ଟାଣିନେଇ ଅନେକ ରହସ୍ୟ ଭିତରେ ଛାଡିଦିଏ । ଶେଷ ହୋଇ ମଧ୍ୟ ଶେଷ ହୁଏନା ! ଏଭଳି ପରିସ୍ଥିତିରେ ଝିଅଟିଏ କ’ଣ କରିବା ଉଚିତ୍ ? ନିଜ ଇଚ୍ଛା, ଆକାଂକ୍ଷା ଓ ପ୍ରତିବାଦର ସ୍ବରକୁ ନିଜ ଭିତରେ ଅବଦମିତ କରିଦେବ ନା ଆଗ୍ନେୟଗିରିରୁ ଉତ୍ତପ୍ତ ଲାଭା ଉଦ୍ଗୀରଣ ଭଳି ସ୍ବର ଉତ୍ତୋଳନ କରିବ । ଉତ୍ତର ଖୋଜିବାକୁ ପାଠକକୁ ସୁନନ୍ଦାଙ୍କ ‘ଅକ୍ଟୋପାସ୍’ ଗପର ପରିଣତି ପର୍ଯ୍ୟନ୍ତ ଯିବାକୁ ପଡିବ ।
ଏ ସ୍ବର ଆହୁରି କରୁଣ ଶୁଭିବ ତାଙ୍କର ‘ବଂଶୀର ବିଳାପ’ ରେ । ଯେଉଁଠି ଉତ୍କଟ ଦାରିଦ୍ର୍ୟ କାହ୍ନା ଓ ତା’ର ନିରୀହ ଗାଈ ରାଣୀ ମଧ୍ୟରେ ପ୍ରାଚୀର ହୋଇ ଠିଆହୋଇଛି । ରାଣୀ କାହ୍ନାର ସ୍ନେହ ମମତାର ଫାଶରେ ବନ୍ଧା ମାତ୍ର କାହ୍ନା ଜମିଦାର ଋଣ ଜାଲରେ ଥରହର । ଋଣ ଶୁଝିବାକୁ ଯାଇ ରାଣୀ ଜମିଦାର ପାଖରେ ବନ୍ଧା ପଡିଛି । ଦୁଇଟି ସରଳ ଜୀବନ ଶେଷରେ ଅକାଳରେ ଝଡିଯାଇଛି, ମାତ୍ର କାହିଁକି ?
ସେମିତି ଆଉ ଏକ ଗପ ‘ଷ୍ଟେସନ୍’ ଯେଉଁଠି ସାଧାରଣ ରେଳ ଷ୍ଟେସନଟି ମାନବ, ମାୟା ଓ ମୁଗ୍ଧା ଭଳି କେତୋଟି ଚରିତ୍ରଙ୍କ ମିଳନ, ବିରହ ଓ ପୁନର୍ମିଳନର ମୁକସାକ୍ଷୀ ଭାବେ ଉଭା ହୋଇଛି । ପରିସ୍ଥିତି ଅନୁସାରେ ମଣିଷ କିପରି ରଙ୍ଗ ବଦଳାଏ ତା’ର ଏକ ଝଲକ ହେଉଛି ଏହି ଗପର ମୁଖ୍ୟ ଚରିତ୍ର ମାୟା । ମାନବ ଓ ମାୟା ନୀଡଟିଏ ରଚିଛନ୍ତି । ଉଭୟଙ୍କ ଆଖିରେ ଆଖିଏ ସ୍ବପ୍ନ, ଆଗରେ ବିରାଟ ଭବିଷ୍ୟତ । କିନ୍ତୁ ମଣିଷ ଯାହା ଭାବେ ସେୟା କ’ଣ ହୁଏ । ଋତୁ ପରିବର୍ତ୍ତନ ଭଳି ମାୟା ମଧ୍ୟ ମାନବକୁ ଛାଡି ଆଉ କାହା ହାତ ଧରେ ଆଉ ନିହାତି ଅପରିଚିତ ମୁଗ୍ଧା ହିଁ ମାନବ ଜୀବନରେ ରଙ୍ଗର ଫୁଆରା ସୃଷ୍ଟି କରେ । ସୁନନ୍ଦାଙ୍କ ଗପରେ ଜୀବନର ଏ ବିଚିତ୍ର ଗତିଶୀଳତା ହିଁ ପାଠକକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ।
‘ଛୁଆଁ’ ଗପରେ ସାହସୀ, ସୁନ୍ଦରୀ, ଶିକ୍ଷିତା ଓ ମୁହେଁମୁହେଁ ଜବାବ ଦେଉଥିବା ଝିଅ ସୁଲଗ୍ନାର ପରିବର୍ତ୍ତିତ ଚାରିତ୍ରିକ ବୈଶିଷ୍ଟ୍ୟ ଆହୁରି ବିସ୍ମୟ ସୃଷ୍ଟି କରେ । ପ୍ରଥମ ପୁରୁଷରେ ରଚିତ ଏଇ ଗଳ୍ପରେ ସୁଲଗ୍ନା ଭଲ ପାଏ ଜଣକୁ ମାତ୍ର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହୁଏ ଆଉ ଜଣେ ଧନାଢ୍ୟଙ୍କୁ । ଅପର୍ଯ୍ୟାପ୍ତ ଧନ, ସାମାଜିକ ପ୍ରତିପତ୍ତି, ସୁନ୍ଦର ସ୍ବାମୀ ପାଇ ମଧ୍ୟ ତା’ ଜୀବନ ସମ୍ପୂର୍ଣ୍ଣ ହୁଏ କି ? ପ୍ରତିବଦଳରେ ପାଇଛି ସ୍ବାମୀର ଲାଞ୍ଛନା, ମାଡଗାଳି ଆଉ ଅସରନ୍ତି ଶୂନ୍ୟତା । ଭାଗ୍ୟ ଓ ଭବିତବ୍ୟକୁ ଆଦରି ନେଇଥିବା ସୁଲଗ୍ନା ତା ନାରୀ ଜୀବନର ଶୂନ୍ୟତା, ରହସ୍ୟମୟ ବାସ୍ତବତାକୁ ଦୀର୍ଘ ପଚିଶି ବର୍ଷ ପରେ ଖୋଲି ଦେଇଛି ତା’ର ପ୍ରିୟ ବାନ୍ଧବୀ ଆଗରେ । ସୁଲଗ୍ନାର ଏ ଅଦ୍ଭୁତ ତ୍ୟାଗ ଓ ବିଶ୍ବସନୀୟତା ପାଇଁ ତାକୁ କ’ଣ କୁହାଯାଇପାରେ ? ମାନବୀ ନା ଦେବୀ ! ନାରୀ ମନର ନିଭୃତ ସଂଳାପକୁ ଶବ୍ଦ ରୂପ ଦେବାରେ ଅନନ୍ୟ କଳା ପାଟବତା ହାସଲ କରିଛନ୍ତି ଗାଳ୍ପିକା ସୁନନ୍ଦା ମହାପାତ୍ର ।
ପ୍ରେମର ମୃତ୍ୟୁ ନାହିଁ କି ପ୍ରେମର କ୍ଷୟ ନାହିଁ । ପୁଣି ପ୍ରେମ୍ ନମାନେ କୋଇ, ପ୍ରେମ୍ ନଜାନେ କୋଇ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯାହା ବଞ୍ଚିରହେ ତାହା ହିଁ କେବଳ ପ୍ରେମ । ‘ଡାହାଣୀ’ ଗପର ଅନ୍ତଃସ୍ବର ଠିକ୍ ଏୟା । ଲଳିତା ଓ ଅଜୁ ସାର୍ ଦୁଇ ଜଣ ପରସ୍ପରକୁ ଭଲପାଆନ୍ତି । କିନ୍ତୁ ସମାଜ କ’ଣ ସେମାନଙ୍କୁ ସହଜରେ ମିଶେଇ ଦେଇପାରେ । ପରିଣତିରେ ଆମେ ଦେଖୁଁ ଲଳିତାକୁ ତା’ ପରିବାର ବିଷ ଦେଇ ହତ୍ୟା କରନ୍ତି ଓ ଅଜୁ ସାର୍ ଘୋର୍ ପଶ୍ଚାତାପ, ଲଜ୍ଜା ଓ ଅପମାନ ଯୋଗୁଁ ବରଣ କରନ୍ତି ଆତ୍ମହତ୍ୟା । ‘ଜାତି’ ଗପରେ ମଧ୍ୟ ଏଇ ଜାତିଗତ ପାର୍ଥକ୍ୟ ଦୁଇ ପ୍ରେମପକ୍ଷୀଙ୍କୁ ଏକାଠି କରେଇ ଦେଇନି । ନାୟକ ନାୟିକା ଅନ୍ୟତ୍ର ବିବାହ କରି ସଂସାର କରାଛନ୍ତି । ମାତ୍ର ଅତୀତ କ’ଣ ସହଜରେ ତାଙ୍କ ପିଛା ଛାଡିଛି ! ଯେଉଁ ଜାତିକୁ ଆଳ କରି ନାୟିକା ତା’ ପ୍ରଥମ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଛି, ସମୟକ୍ରମେ ତା’ରି ଝିଅ ନାୟକର ପୁଅକୁ ଭଲପାଇ ବାହାହେବାକୁ ଦୃଢ଼ ନିଷ୍ପତ୍ତି ନେଇଛି । ପରିବର୍ତ୍ତିତ ପରିସ୍ଥିତିରେ ଏଠି କିନ୍ତୁ ‘ଜାତି’ଗତ ବୈଷମ୍ୟ ଫିକା ପଡିଛି । ଉପରୋକ୍ତ ଗଳ୍ପ ଦ୍ବୟରେ ଘଟଣା, ଚରିତ୍ର ସବୁ ସାଧାରଣ ମାତ୍ର ଚମତ୍କାର ବର୍ଣ୍ଣନାଶୈଳୀ ହିଁ ପାଠକକୁ ଶେୟ ପର୍ଯ୍ୟନ୍ତ ବାନ୍ଧି ରଖେ ।
‘ବିଡମ୍ବନା’ ଗଳ୍ପରେ ଅବାଟରେ ଯାଉଥିବା ସାନ ଭାଇକୁ ବାରମ୍ବାର ଭଲ ରାସ୍ତାକୁ ଫେରାଇବାକୁ ଯାଇ ବଡ ଭଉଣୀ ରୋମା, ଭିକି ଏବଂ ତା’ର ବନ୍ଧୁମାନଙ୍କ ଦ୍ବାରା ସର୍ବସ୍ବ ହରାଇଛି । ନିଶା ସେବନ ଓ କୁସଙ୍ଗର କୁପରିଣତି ଯୋଗୁଁ ଅନେକ ଜୀବନ ଅକାଳରେ ଝରିପଡେ । ବୁଝିଲା ବେଳକୁ ହାତରେ ଆଉ କିଛି ନଥାଏ ଏହା ହିଁ ‘ବିଡ଼ମ୍ବନା’ ।
‘ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି’ର ବାପ ଛେଉଣ୍ଡ ମଇନା ଭଲ ପାଠ ପଢେ ହେଲେ ପ୍ରତିବନ୍ଧକ ସାଜେ ତା ବଡବାପାର ପୁଅ । ଯାହାର ମଇନା ଉପରେ ଥାଏ ଖରାପ ନଜର । ଏକଥା ମଇନା ବୁଝିପାରେ ମାତ୍ର ତା’ ମା’ ବୁଝିବାକୁ ନାରାଜ । ଏକ ଉଜ୍ଜଳ ଭବିଷ୍ୟତର ସୁନେଲୀ ସ୍ବପ୍ନରେ ମସଗୁଲ ମଇନା ପାଇଁ ବେଳକୁ ବେଳ ପଦ୍ମ ଘୁଞ୍ଚିଘୁଞ୍ଚି ଯାଏ । ଶେଷକୁ ଆତ୍ମହତ୍ୟାର ମାର୍ଗରୁ ଆକସ୍ମିକ ଭାବେ ଉଦ୍ଧାର ପାଇ ପୁଣି ଥରେ ପଦ୍ମଫୁଲକୁ ଧରିବାକୁ କିନାରା ପାଏ ।
ସୁନନ୍ଦାଙ୍କ ପ୍ରାୟ ପ୍ରତ୍ୟେକ ଗଳ୍ପରେ ଏକ ରହସ୍ୟମୟତା ପାଠକୁ ତଲ୍ଲୀନ କରେ । ନାରୀ ଜୀବନର ନାନାଦି ଅକୁହା ସମସ୍ୟାକୁ ସେ ଯେପରି ଛଳରେ କହିପାରନ୍ତି ସେହିପରି ବଦଳିଯାଉଥିବା ସମୟ, ପରିବାର, ସମ୍ପର୍କ, ବୁନିୟାଦି ଓ ପରମ୍ପରାକୁ ଚିତ୍ରାୟିତ କରିପାରନ୍ତି । ଏଇ ଯେମିତି ଜମିଦାର ରାମଚନ୍ଦ୍ର ସୁନ୍ଦରରାୟ ଯାହାଙ୍କ ପ୍ରତିପତ୍ତିରେ ତାଙ୍କର ଏକାନ୍ନବର୍ତ୍ତୀ ପରିବାରଟି ବାନ୍ଧି ହୋଇ ରହିଥିଲା, ଯାହାଙ୍କ କଥାରେ ଗାଁ ଗଣ୍ଡାରେ ନିଶାପ ହଉଥିଲା, କିନ୍ତୁ ସମୟ ସୁଅରେ ସବୁ କିଛି ବଦଳିଯାଇଛି । ତାଙ୍କଠୁ ଦେଢ଼ ଶହ ବର୍ଷ ପୁରୁଣା ‘ଚଉକି’ ଖଣ୍ଡିକ ଥିଲା ତାଙ୍କ ସ୍ବାଭିମାନ ଓ ବୁନିୟାଦି ଓ ଖାନଦାନର ପ୍ରତୀକ । ତାରି ଉପରେ ତାଙ୍କର ଭାରି ଆସ୍ଥା । ତାଙ୍କ ଅବର୍ତ୍ତମାନରେ ବି ସେ ଚଉକି ଖଣ୍ଡିକ ତାଙ୍କ ଉପସ୍ଥିତି ଜାହିର କରୁଥିଲା । କିନ୍ତୁ ପିଲାମାନେ ବଡ ହେବା ପରେ ଧିରେ ଧିରେ ପରିବାରରେ ଫାଟ ହୁଏ । ଆଖି ଅାଗରେ ଏତେ ବଡ଼ ଯୌଥ ପରିବାରଟି ଭାଙ୍ଗିଯାଏ । ସମସ୍ତେ ନିଜ ସ୍ବାର୍ଥରେ ବନ୍ଧା । ସବୁ ଭାଗ ହୁଏ । କେବଳ ସାନପୁଅ ଅଭି ବାପାଙ୍କର ଶେଷ ସନ୍ତକ ଚଉକିଟିକୁ ଜାବୁଡି ଧରେ । କିନ୍ତୁ ପ୍ରତିବଦଳରେ ପାଏ କିଛି ହତାଶା, ବିଷାଦ ଓ ଶୂନ୍ୟତା ! ‘ଭାଇଭାଗ’ ଗପରେ ମଧ୍ୟ ସେୟା କହିବାକୁ ଚେଷ୍ଟା କରିଛନ୍ତି ।
ସେହିପରି ‘ଅନ୍ୟ ଏକ ସାବିତ୍ରୀ’ ଗପରେ କୋମଲ୍ ଭାଉଜ ନିଜ ରୋଗଗ୍ରସ୍ତ ସ୍ବାମୀଙ୍କୁ ସାବିତ୍ରୀ ବ୍ରତ କରି ମୃତ୍ୟୁ ମୁଖରୁ ଫେରାଇ ଆଣନ୍ତି ମାତ୍ର ବଦଳରେ ନିଜେ ସ୍ବାମୀଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ ମୃତ୍ୟୁକୁ ବରଣ କରନ୍ତି । ସ୍ବାମୀ ସ୍ତ୍ରୀଙ୍କର ପବିତ୍ର ସମ୍ପର୍କ ମୁହୂର୍ତ୍ତକରେ ଧୁଳିସାତ୍ ହୋଇଯାଏ । ବର୍ତ୍ତମାନ ସମାଜର ଏପରି ବ୍ୟାଧିଗ୍ରସ୍ତ ସଙ୍କଟ, ସମସ୍ୟା ଓ ମୂଲ୍ୟବୋଧହୀନ ଜୀବନକୁ ଗାଳ୍ପିକା ଖୁବ୍ ସନ୍ତର୍ପଣର ସହ କହିଛନ୍ତି ।
‘ଋଣ’ ଗପରେ ଆମେ ଦେଖୁ ଅସହାୟ ଚନ୍ଦୁକୁ ଅସମୟର ସାହାଯ୍ୟ କରିଥିବା ଜନୈକ ମାତୃସ୍ଥାନୀୟା ମହିଳାଙ୍କ ଋଣ ଶୁଝିବାକୁ ଯାଇ ଶେଷରେ ତାଙ୍କ ସନ୍ତାନ ସାଜି କ୍ରିୟାକର୍ମ ସଂପାଦନ କରେ । ମଣିଷପଣିଆ ଆଜି ବି କେଉଁଠି ବଞ୍ଚିଛି । ପୁଣି ‘ଧୋରେ ବାୟା ଧୋ’ ଗପର ଅନ୍ତଃସ୍ବର ଆହୁରି କରୁଣ । ପିତା ମାତାଙ୍କ ତ୍ୟାଗକୁ ସନ୍ତାନ କ’ଣ ସତରେ ବୁଝିପାରେ ! ନିଜେ ବାପା ମା’ ହେଲେ ବୋଧେ ବୁଝିପାରେ । ସେମାନଙ୍କ ଅପରିମିତ ସଂଘର୍ଷ ଓ ଅସୀମ ତ୍ୟାଗ ଯୋଗୁଁ ସନ୍ତାନ ମଣିଷ ହୁଏ ମାତ୍ର ବୃଦ୍ଧ କାଳେ ସେ ଟିକେ ସମୟ ତା’ ବାପା ମାଙ୍କୁ ଦେଇପାରେ ନାହିଁ । ସମୟ ନାହିଁ ବୋଲି ବାହାନା କରେ କିନ୍ତୁ ସେମାନେ ଯେବେ ଆଖିରୁ ଚିରଦିନ ପାଇଁ ଅନ୍ତର ହୁଅନ୍ତି ତା’ ପରେ ଚେତନା ଆସେ । ଏ ପରିବର୍ତ୍ତିତ ମାନସିକତା ଆମ ବପରୱା ଜୀବନଶୈଳୀ, ଦାୟିତ୍ବହୀନତା ଓ କୃତଘ୍ନତାର ପ୍ରମାଣ ନୁହେଁ କି ?
ଅନ୍ଧ ହେବା ଓ ଅନ୍ଧାରରେ ରହିବା ଦୁଇଟି ଭିନ୍ନ କଥା ଯାହାକୁ ଗାଳ୍ପିକା ବିଷୟବସ୍ତୁ କରିଛନ୍ତି ‘ଅନ୍ଧାରର ଇତିକଥା’ ଗଳ୍ପରେ । ଅନିମେଷ ଓ ମୋନା ଯାହାଙ୍କ ସୁଖ ସଂସାରରେ ବାଧା ସାଜିଛି ଅନିମେଷର ଆକସ୍ମିକ ଅନ୍ଧତ୍ବ । ପତି ପତ୍ନୀର ପବିତ୍ର ସଂପର୍କ ଭିତରେ ମୋନାର ପରକୀୟା ପ୍ରୀତି ଅନିମେଷର ଅନ୍ଧତ୍ବ, ପୌରୁଷ ସର୍ବୋପରି ତା’ର ଆସ୍ଥା ଓ ବିଶ୍ବାସ ପ୍ରତି ଘୋର ବିଶ୍ବାସଘାତକତା । ପରିଣତିରେ ଅନିମେଷ ନିଜେ ନିଜକୁ ମୋନା ରାସ୍ତାରୁ ହଟେଇ ଦେଇଛି । କିନ୍ତୁ ‘ଆହୁରି କେତେ ଯେ ବାକି’ରେ କରୋନାର କରୁଣ ଦୃଶ୍ୟ ସହିତ ଆକାଶ ଓ ବସୁଧାର ଭାଗ୍ୟ ଭବିଷ୍ୟତ ସହ ବର୍ତ୍ତମାନର ସଂଘର୍ଷକୁ ଗାଳ୍ପିକା ବେଶ୍ ମାର୍ମିକ ଭାବରେ ଉପସ୍ଥାପନ କରିଛନ୍ତି । ସଭ୍ୟତା ସୃଷ୍ଟି ହେବା ଠାରୁ ବଞ୍ଚିବା ପାଇଁ ମଣିଷ ଅନବରତ ସଙ୍ଘର୍ଷ କରିଚାଲିଛି । ସେ ସଂଘର୍ଷ ପରିବେଶ, ପରିସ୍ଥିତି, ସମୟ ଓ ସମସ୍ୟା ବିରୋଧରେ । କରୋନା ସେଇଭଳି ଏକ ସମସ୍ୟା ଥିଲା । ଅଗଣିତ ସମସ୍ୟା ସୃଷ୍ଟି କରି ଆଜି ସେ ଅନ୍ତର୍ହିତ କିନ୍ତୁ ଛାଡ଼ିଯାଇଛି ଅନେକ ବିକଳ ସ୍ମୃତି ।
‘ପକ୍ଷୀ ଆଉ ଫେରେ ନାହିଁ’ ଚିରାଚରିତ ଶୈଳୀରୁ ଭିନ୍ନ ଏକ ଚମକପ୍ରଦ ପରୀକ୍ଷା । ନିତାନ୍ତ ପ୍ରତୀକାତ୍ମକ ଢଙ୍ଗରେ ରଚିତ ଏଇ ଗପଟିରେ ଗାଳ୍ପିକା ଅଧୁନିକ ମଣିଷ ଜୀବନର ନିଃସଙ୍ଗତା, ସମ୍ପର୍କର ଗୁରୁତ୍ବହୀନତା ଓ ଅବସାଦଗ୍ରସ୍ତତାକୁ ସୁଚେଇ ଦେଇଛନ୍ତି ।
ଆଧୁନିକ ଓଡ଼ିଆ ଗପର ପରିବର୍ତ୍ତିତ ଶୈଳୀର ଜଣେ ଚମତ୍କାର କଥାଶିଳ୍ପୀ ହେଲେ ସୁନନ୍ଦା ମହାପାତ୍ର । ତାଙ୍କର ପ୍ରତ୍ୟେକ ଗପର ମୂଳରେ ଥାଏ ଗୋଟିଏ ଶକ୍ତିଶାଳୀ କାହାଣୀ । ତାକୁଇ କେନ୍ଦ୍ର କରି ଅନେକ ଚରିତ୍ର ଆତଯାତ ହୁଅନ୍ତି । ତେବେ ଚରିତ୍ରମାନଙ୍କୁ ଗୁରୁତ୍ବ ଦେବାକୁ ଯାଇ ଗାଳ୍ପିକ ବେଳେବେଳେ ମୂଳ କାହାଣୀଠାରୁ ଦୂରେଇ ଯାଏ । ମାତ୍ର ଏ କ୍ଷେତ୍ରରେ ଗାଳ୍ପିକା ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି । ନାରୀ ଜୀବନର ଘାତ ପ୍ରତିଘାତ, ତା’ ମନର ସୂକ୍ଷ୍ମ ବେଦନା ଓ ତା’ ମନୋଜଗତକୁ ଆଙ୍କିବାରେ ସୁନନ୍ଦା ହାସଲ କରିଛନ୍ତି ଅପୂର୍ବ ଗଳ୍ପକଳା ।
ସୁନନ୍ଦାଙ୍କ ପ୍ରତ୍ୟେକ ଗଳ୍ପରେ ପାଠକ ପରିଣତିକୁ ଗଲା ପରେ ମଧ୍ୟ ପୁଣି ଥରେ କିଛି ମାନେ ଅନେକ କିଛି ଛାଡିଯାଇଛି ବୋଲି ମନେକରିବ । ତେଣୁ ଗପଟିକୁ ପୁଣି ଥରେ ମୂଳରୁ ଆରମ୍ଭ କରେ । ଏକ ପ୍ରଚ୍ଛନ୍ନ ରହସ୍ୟ ବା ଉତ୍କଣ୍ଠା ଭିତରେ ଗପ ତ ଶେଷ ହୋଇଯାଏ ତଥାପି ପାଠକ ମନରେ ଅନେକ ପ୍ରଶ୍ନବାଚୀ ଛାଡିଯାଏ । ପରିବେଷଣରେ ଭିନ୍ନତା, ଅକୃତ୍ରିମ ଭାଷା, ଚରିତ୍ରମାନଙ୍କ ମନୋବିଶ୍ଳେଷଣରେ ଆତ୍ମୀୟତା ତାଙ୍କ ଗପର ଲକ୍ଷ୍ୟଣୀୟ ଦିଗ । ପାଠକମାନଙ୍କୁ ଗଳ୍ପମନସ୍କ କରିବାରେ “ଝଞ୍ଜାବର୍ତ୍ତ” ସଫଳତାର ନୂତନ ପ୍ରସ୍ତ ଉନ୍ମୋଚନ କରିବା ଆଶା କରାଯାଏ ।
୭୩୭୭୮୮୯୯୧୬
ଅଠରନଳା
Comments are closed.