Latest Odisha News

ମେ’ରୁ ସାରା ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ୱର: ମେ ୧ରୁ ସାରା ରାଜ୍ୟରେ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବାକୁ ଥିବା ଏହି ସର୍ଭେ ମେ ୨୦ରେ ଶେଷ ହେବ। ୨୦୨୧ ମସିହାରେ ଓବିସି କମିଶନ ମାଧ୍ୟମରେ ପଛୁଆ ବର୍ଗ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ରହିଥିଲା। ଆଉ ଏବେ ପୁଣି ସର୍ଭେ କାମ ଆରମ୍ଭ ହେବାକୁ ଯାଉଛି।

ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଏବଂ ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର କେନ୍ଦ୍ର। ଗାଁ ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଖୋଲିବ ଏହି ଏନୁମରେଟର କେନ୍ଦ୍ର। ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ। ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେଭୁଲ୍ ଏକ୍ସଟନସନ୍ ଅଫିସର ସୁପରଭାଇଜର ଭାବେ ନିୟୋଜିତ ହେବ।

ପରିବାର ମୁଖ୍ୟ କିମ୍ବା ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟ ତଥ୍ୟ ଦେଇ ପଞ୍ଜିକରଣ କରିବେ।  ପଞ୍ଜିକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ବା ପାସପୋର୍ଟକୁ ଦେଖାଇ ପାରିବେ। ସେଲ୍ଫ ଡ଼ିକଲାରେସନ୍ ବା ନିଜସ୍ଵ ଘୋଷଣା ମୁତାଵକ ସମସ୍ତ ତଥ୍ୟ ରଖିବେ ଏନୁମିରେଟର । ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବେ। ପ୍ରତ୍ୟେକା ଜିଲ୍ଳା ଏବଂ ମ୍ୟୁନିସିପାଲିଟି ଅନୁସାରେ ଏନୁମରେଟର କେନ୍ଦ୍ର ଖୋଲାଯିବ। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ଯାଏ ଖୋଲା ରହିବ ସମସ୍ତ କେନ୍ଦ୍ର।

ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେ କାମ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ସେମାନଙ୍କର ତାଲିକା କମିଶନଙ୍କ ୱେବସାଇଟରେ ପ୍ରକାଶ କରାଯିବା ସହ ସର୍ଭେ କେନ୍ଦ୍ରରେ ମଧ୍ୟ ଲଗାଯିବ।

ଉଭୟ ସର୍ଭେ ମେ ୧ରୁ ଆରମ୍ଭ ହେବ। ଅଫଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନର ମାନଙ୍କର ତାଲିମ ଶେଷ ହୋଇଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଏବଂ ୧୮ରୁ ୨୪ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ପରେ ମିଳିବ ଏନୁମରେଟର କିଟ୍।

ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମେ ବିହାରରେ ଏହି ସର୍ଭେ କାମ ଆରମ୍ଭ ହେବା ପରେ ଦ୍ବିତୀୟ ରାଜ୍ୟ ଭାବେ ଓଡ଼ିଶାରେ ପଛୁଆବର୍ଗଙ୍କ ସର୍ଭେ ହେବାକୁ ଯାଉଛି।

 

Comments are closed.