Latest Odisha News

BREAKING NEWS

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ।

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି ୱାର୍ଡରୁ ୧୧ଟିରେ ବିଜୟୀ ହୋଇଛି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜିତିବାକୁ ସକ୍ଷମ ହୋଇଛନ୍ତି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ସବିତା ଭୁଏଙ୍କୁ ୪ ହଜାର ୮୨୮ ଖଣ୍ଡ ଭୋଟରେ ହରାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମୀ ବେହେରା ୧୫୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିଭଳି ହିନ୍ଦୋଳ ଏନଏସିରେ ୧୬ ଟି ୱାର୍ଡ ମଧ୍ୟରୁ ଶାସକ ବିଜେଡି ୧୧ ଟି ୱାର୍ଡରେ ଜିତିଥିବା ବେଳେ ବିଜେପି ୫ ଟି ସିଟରେ ଜିତିବାକୁ ସକ୍ଷମ ହୋଇଛି। କଂଗ୍ରେସ ସେଠାରେ ଖାତା ଖୋଲିବାକୁ ସମର୍ଥ ହୋଇପାରି ନାହିଁ।

ଏପରିକି ହିନ୍ଦୋଳରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ବିଜେପିର ଶୋଭାଗିନୀ ପ୍ରଧାନଙ୍କୁ ୪୨୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ରିତା ପଲେଇ ମାତ୍ର ୨୧୯ ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ଅତାବିରା ଓ ହିନ୍ଦୋଳ ଏନଏସିରେ ଶାସକ ବିଜେଡି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ।

ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଏଭଳି ଫଳାଫଳ ପ୍ରତିଫଳିତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି। ଏପରିକି ଏହି ବିଜୟ ବିଜେଡିର ମନୋବଳକୁ ଏତେ ବଢ଼ାଇ ଦେଇଛି ଯେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କରିବ ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି।

ଦଳ ଉଭୟ ସ୍ଥାନରେ ବଡ଼ ଧରଣର ସଫଳତା ପାଇବା ପରେ ଏହାକୁ ନେଇ ବାତାବରଣ ତିଆରି କରିବା ଆରମ୍ଭ କରିଛି। ବିଜେଡି ଯେ ସବୁ ଜିତେ ଓ ଆଗକୁ ଜିତିବା ଧାରା ବଜାୟ ରଖିବ ଏଭଳି ଢଙ୍ଗରେ ରାଜ୍ୟବ୍ୟାପୀ ବାର୍ତ୍ତା ଦେବାକୁ ଦଳୀୟ ନେତା କର୍ମୀ କାର୍ଯ୍ୟକର୍ତା ସମସ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଜେଡିର ବିଜୟ ଧାରାକୁ ନେଇ ପୋଷ୍ଟର ଶୋଭା ପାଉଥିବା ଦେଖିବାକୁ ମିଳିଛି। ଏ ସବୁକୁ ନେଇ ଏବେ ରାଜ୍ୟ ରାଜନୀତି ତୀବ୍ର ହୋଇଛି। ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର କେଇଦିନ ବାକି ଥିବା ବେଳେ ତା ପରେ ପରେ ସାଧାରଣ ନିର୍ବାଚନ ଆସୁଛି। କିନ୍ତୁ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଏନଏସି ନିର୍ବାଚନ ଫଳାଫଳ ଦେଖିଲେ ବିରୋଧୀ ଯେ ବିଜେଡିକୁ ସମ୍ମୁଖୀନ ହେବାକୁ ପୂର୍ଣ୍ଣ ଭାବେ ସମର୍ଥ ନୁହଁନ୍ତି ଏ କଥା ସ୍ପଷ୍ଟ ହୋଇଛି ବୋଲି କୁହାଯାଉଛି।

ବିଜେଡିକୁ ଯେ କୌଣସି ପ୍ରସଙ୍ଗ ନେଇ ଯେତେ ବିରୋଧ କଲେ ମଧ୍ୟ ଲୋକେ କିନ୍ତୁ ଏ କଥା ଗ୍ରହଣ କରୁ ନ ଥିବା କିମ୍ବା ଭୋଟ ସେ ଆଧାରରେ ହେଉ ନ ଥିବା ଚର୍ଚ୍ଚା ହେଉଛି। ଏପରିକି ବିରୋଧୀ କେବଳ ସାମ୍ବାଦିକ ସମ୍ମିଳନୀ, ସିଡ୍ୟୁଲ ବିରୋଧ କିମ୍ବା ରଣନୀତି ପ୍ରସ୍ତୁତ କରୁଥିଲେ ମଧ୍ୟ ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି କୁହାଯାଉଛି।

ନଚେତ ଶାସକ ବିଜେଡି ଏକତରଫା ବିଜୟ କେମିତି ହାସଲ କରନ୍ତା ବୋଲି ପ୍ରଶ୍ନ ଉଠିଛି। ଏପରିକି ନବ ଦାସ ହତ୍ୟା ଘଟଣାକୁ ନେଇ ବିରୋଧୀ ଶାସକ ଦଳକୁ ଲଗାତର ଶାଣିତ ଆକ୍ରମଣ କରି ଆସୁଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଓ ଅନ୍ୟ ବହୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି । ଆଗାମୀ ନିର୍ବାଚନରେ ଶାସନକୁ ଆସିବାର ଦୃଢୋକ୍ତି ପ୍ରକାଶ କରୁଛନ୍ତି।

କିନ୍ତୁ ନିର୍ବାଚନ ଫଳାଫଳକୁ ଦେଖିଲେ ବିରୋଧୀଙ୍କ କଥା ଯେ ସତ୍ୟରେ ପରିଣତ ହୋଇପାରିବ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି। ଏପରିକି କେବଳ ହିନ୍ଦୋଳ ଅତାବିରା ନୁହେଁ ପୂର୍ବରୁ ପଂଚାୟତ ପୌର ନିର୍ବାଚନ ହେଉ କିମ୍ବା ବିଭିନ୍ନ ଉପନିର୍ବାଚନ ସବୁଆଡେ ବିଜେଡି ବାଜିମାତ କରୁଛି।

ତୃଣମୂଳ ସ୍ତରରେ ବିଜେଡିକୁ ଛାଡିଲେ ବିଜେପି ଓ କଂଗ୍ରେସ ସେତେ ଦୃଢ଼ ନ ଥିବା କୁହାଯାଏ ଓ ନିର୍ବାଚନରେ ବି ତାହା ପ୍ରତିଫଳିତ ହେଉଛି। ତେଣୁ ବିରୋଧୀ ଦଳ ଗୁଡିକ କଣ କେବଳ ନିର୍ବାଚନୀ ହାୱା ପାଇଁ ଆଗକୁ ଜିତିବା କଥା କହୁଛନ୍ତି ନା ସତରେ ବିଜେଡିକୁ ମାତ ଦେବାକୁ ବିରୋଧୀଙ୍କ ପାଖରେ କିଛି ପ୍ଲାନ ଅଛି ବୋଲି ପ୍ରଶ୍ନ ଉଠିଛି।

ଏପରିକି ଶାସକ ବିଜେଡିର ଯଦି କିଛି ସମସ୍ୟା ହୁଏ ସେଥିରୁ ମିଳିବାକୁ ଥିବା ଫାଇଦାକୁ ବିରୋଧୀ ଅନେଇଛନ୍ତି କି ଵୋଲି ଚର୍ଚ୍ଚା ହେଉଛି। ନଚେତ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦେଖିଲେ ବିଜେଡିକୁ ମାତ ଦେବା ଅସମ୍ଭବ ପ୍ରାୟ ଲାଗୁଥିବା ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.