Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅତ୍ୟନ୍ତ ଶୃଙ୍ଖଳିତ ଓ ବ୍ୟବସ୍ଥିତ ସେବା ପାଇଁ ନିୟୋଜିତ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି ସେହି କ୍ରମରେ ଆଜି ଜାଣିବା ଏକ ବିଚିତ୍ର ସେବା ବିଷୟରେ କାରଣ ଏହି ସେବା ଓ ସେବକଙ୍କ ବିଷୟ ଅଧିକାଂଶ ଭକ୍ତ ଓ ଶ୍ରଦ୍ଧାଳୁ ନିଶ୍ଚିତ ଜାଣିନଥିବେ। ଆସନ୍ତୁ ତେବେ ଜାଣିବା “ଲୁଗାଧୁଆ, ପାଣିକୁଣ୍ଡ ସେବା ” ବିଷୟରେ। ସବୁଠୁ ନିଆରା ହେଲା ଏମାନେ ବ୍ରlହ୍ମଣ ସେବକ, ଅବଶ୍ୟ ଏହା ମଧ୍ୟ ଶାଢ଼ୀ ବନ୍ଧା ସେବା ନୁହେଁ। ଏହି ସେବାକୁ ଆମେ ଦୁଇଭାଗରେ ବିଭକ୍ତ କରି ଆଲୋଚନା କରିବା, ପ୍ରଥମଟି ହେଲା
ଲୁଗାଧୁଆ ସେବା -ଦୈନିକ ଅବକାଶ ନୀତି ପରେ ଚାଙ୍ଗଡ଼ା ମେକାପ ମଇଲମ ହୋଇଥିବା ତଡପ ଉତ୍ତରୀ ମାନ ଭଣ୍ଡାର ଘର ଦ୍ୱାର ପାଖରେ ରଖିଦିଅନ୍ତି, ତାହା ଲୁଗାଧୁଆ ସେବକ ଆଣି ବଟ ଅବକାଶ ଦେଉଳ ମଧ୍ୟରେ ଉକ୍ତ ଲୁଗା ସବୁ ଧୋଇ ଶୁଖାଇ ସେହିଦିନ ରାତିରେ ପୁଣି ଭଣ୍ଡାର ଘର ଦ୍ୱାର ନିକଟରେ ଥିବା ଚାଙ୍ଗଡ଼ାରେ ରଖି ଦେଇ ଆସନ୍ତି। ସେହିପରି ନୂତନ ସୁତାବସ୍ତ୍ର ଲାଗି ହେବା ପୂର୍ବରୁ ଏ ସେବକ ସେ ବସ୍ତ୍ର ସବୁ ଧୋଇ ଶୁଖାଇ ଦିଅନ୍ତି। ଓଢଣଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ଲାଗି ହେଉଥିବା ଘୋଡ ବସ୍ତ୍ର ମାନ ତଥା ସୁତା ଫୁଟାମାନ ଧୋଇ ଶୁଖାଇ ଦିଅନ୍ତି। ପ୍ରଭୁଙ୍କ ଅଙ୍ଗ ଛୁଆଁ ବସ୍ତ୍ର ମଧ୍ୟ ବ୍ରହ୍ମ ହିସାବରେ ବିବେଚିତ ହେଉଥିବାରୁ ଏହି ସେଵା ବ୍ରlହ୍ମଣ ସେବକମାନଙ୍କ ଦ୍ୱାରା ସମ୍ପାଦିତ ହୁଏ । ଦ୍ଵିତୀୟଟି ହେଲା ପାଣିକୁଣ୍ଡ ସେଵା
ଦୈନିକ ମଙ୍ଗଳ ଆଳତି ପୂର୍ବରୁ ଏହି ପାଣିକୁଣ୍ଡ ସେବକ ବିମଳା ମନ୍ଦିର ସାମନାରେ ଥିବା କୂପରୁ ପାଣି ଆଣି ବଟ ଅବକାଶ ମନ୍ଦିର ପିଣ୍ଡlରେ ଥିବା ପଥର କୁଣ୍ଡରେ ଭରନ୍ତି। ନିୟମ ଅଛି ଏହି କୁଣ୍ଡଟି ସର୍ବଦା ଜଳ ପୂର୍ଣ୍ଣ ରହିବ। କାରଣ ଏହି ଜଳରେ ସେଵାକୁ ଆସୁଥିବା ପାଳିଆ ସେବକମାନେ ଗୋଡ଼ ଧୋଇ ଶ୍ରୀଜୀଉମାନଙ୍କ ସେବାରେ ଯୋଗ ଦେବେ। ଏହି ସେବାଟି ପ୍ରତ୍ୟକ୍ଷ ଭାବରେ ଶ୍ରୀଜୀଉମାନଙ୍କ ସେବା ନହେଲେ ମଧ୍ୟ ଏକ ଗୁରୁତ୍ୱପୂର୍ଣ ସେବା ଅଟେ। କାରଣ ପାଳିଆ ସେବକମାନଙ୍କ ସ୍ଵଚ୍ଚତା ଓ ଶୁଦ୍ଧି ଏହି ସେବା ଉପରେ ନିର୍ଭର କରେ। ଆମେ ମଧ୍ୟ ଶୁଦ୍ଧ ମନରେ, ଶୁଦ୍ଧ ଚିତ୍ତରେ କରିବା ଆରାଧନା ଓ ଭାଗବତ ପଠନ।

ଗୁରୁ ବଚନେ ଚିତ୍ତ ସ୍ଥିର
ବୈରାଗ୍ୟ ବିଷୟେ ତାହାର ।
ନିରତେ ହୋଇ ସ୍ଥିର ମନା
କ୍ରମେ ସେ ଖଣ୍ଡେ ଦୁର୍ବାସନା ।
ସଂକଳ୍ପ ତୁଟେ ନିରବଧି
ଯମାଦି ଯୋଗପଥ ସାଧି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.