ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ବେଳେ ଘଟିଥିବା ହିଂସାକାଣ୍ଡରେ ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଏଏସପି) ଏବଂ ଧନୁପାଲି ଥାନାର ଆଇଆଇସି ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଆଇଆଇସି ଅନିତା ପ୍ରଧାନଙ୍କୁ ବୁର୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶା ସହରରେ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ବାଇକ୍ ରାଲି ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ରାଲି ଉପରକୁ ଟେକା ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୂତ୍ରରୁ ପ୍ରକାଶ, ବାଇକ୍ ରାଲି ଧନୁପାଲି ଥାନା ଛକରୁ ଆରମ୍ଭ ହୋଇ ମୋତିଝରଣ ଛକ ଅତିକ୍ରମ କରୁଥିବା ବେଳେ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି।
ଏହି ଗଣ୍ଡଗୋଳ ସମୟରେ ଏକ ଦୋକାନରେ ନିଆଁ ଲାଗି ଯାଇଥିଲା। କେବଳ ସେତିକି ନୁହେଁ, ରାସ୍ତା କଡ଼ରେ ଠିଆ ହୋଇଥିବା ଏକାଧିକ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ପଥର ଓ ଠେଙ୍ଗା ମାଡ଼ କରିଥିଲେ ଦୁର୍ବୃତ୍ତ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଖବର ପାଇ ପୁଲିସ ଲାଠି ଚାଳନା କରିବାରୁ ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ସ୍କୁଲ ଛକରେ ଧସ୍ତାଧସ୍ତି କରିଥିଲେ।
ପରେ ପ୍ରଶାସନ ପକ୍ଷରୁ ସମ୍ବଲପୁରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଅତିରିକ୍ତ ଏସପି ତପନ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ। ଏହା ପୂର୍ବରୁ ପ୍ରତିବର୍ଷ ସମ୍ବଲପୁରର ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଏକ ‘ଝଣ୍ଡା ଶୋଭାଯାତ୍ରା’ ବାଇକରେ ବାହାରିଥାଏ।
Comments are closed.