ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଭୁବନେଶ୍ୱର ଭାରି ୩ ଜୀବନ ହେଉଛି ଏମିତି ଏକ ଗଣିତ ଯାହାର ସମାଧାନ ପାଇଁ କିଛି ନୂଆ ନୂଆ ସୂତ୍ରର ପ୍ରୟୋଗ ପଡ଼ିଥାଏ । ଅହଂକାର ଏବଂ ସଂସ୍କାର- ଅହଂକାର ଅନ୍ୟକୁ ନିଚା ଦେଖେଇ ଖୁସି ହୁଏ, କିନ୍ତୁ ସଂସ୍କାର ନିଜେ ନିଚା ହୋଇ ଖୁସି ହୁଏ ।
ଅହଂକାର ଓ ଗର୍ବ ଦୁଇଟି ଯାକ ଶଦ୍ଦ ଏକା ପରି ଲାଗୁଥିଲେ ମଧ୍ୟ ଟିକିଏ ଭିନ୍ନ । କାରଣ ଗର୍ବ ମନେ ମନେ କରନ୍ତି କିନ୍ତୁ ଅହଂକାର ଦେଖେଇ ହୁଅନ୍ତି । ଥରେ ଅର୍ଜୁନ ଅହଂକାର କରି କହିଲେ, ମୁଁ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ଭକ୍ତ । ଶ୍ରୀକୃଷ୍ଣ ତାଙ୍କର ନିର୍ଦ୍ଦିଷ୍ଟ ଭାବନା ବୁଝିଥିଲେ । ଦିନେ ସେ ଅର୍ଜୁନଙ୍କୁ ସାଙ୍ଗରେ ଧରି ବୁଲିବାକୁ ଗଲେ । ବାଟରେ ସେମାନେ ଏକ ଗରିବ ବ୍ରାହ୍ମଣଙ୍କୁ ଭେଟିଲେ । ତାଙ୍କର ଆଚରଣ ଟିକିଏ ଅଜବ ଥିଲା । ସେ ଶୁଖିଲା ଘାସ ଖାଉଥିଲେ । କିନ୍ତୁ ଅଣ୍ଟାରେ ଖଣ୍ଡାଟିଏ ଝୁଲୁଥିଲା । ଅର୍ଜୁନ ପଚାରିଲେ, ତୁମେ ଅହିଂସାର ପୁରୋହିତ । ପ୍ରାଣୀମାନେ ହିଂସା ଭୟରେ ଶୁଖିଲା ଘାସ ଖାଇ ଜୀବିକା ନିର୍ବାହ କରନ୍ତି । କିନ୍ତୁ ତୁମ ପାଖରେ ଏ ହିଂସାର ଖଣ୍ଡା କାହିଁକି? ବ୍ରାହ୍ମଣ ଉତ୍ତର ଦେଲେ, ମୁଁ କିଛି ଲୋକଙ୍କୁ ଦଣ୍ଡ ଦେବାକୁ ଚାହୁଁଛି । ଅର୍ଜୁନ କୌତୁହଳରେ ପ୍ରଶ୍ନ କଲେ- ତୁମର ଶତ୍ରୁ କିଏ? ବ୍ରାହ୍ମଣ କହିଲେ, ମୁଁ ଚାରି ଜଣଙ୍କୁ ଖୋଜୁଛି । ମୋର ସେମାନଙ୍କ ସହିତ ଦେଖାହେଲେ ମୁଁ ଶାନ୍ତିରେ ରହିପାରିବି । ସର୍ବପ୍ରଥମେ, ମୁଁ ନାରଦକୁ ଖୋଜୁଛି । ନାରଦ ମୋର ପ୍ରଭୁଙ୍କୁ ଟିକେ ବିଶ୍ରାମ ଦେଉ ନାହିଁ । ଭଜନ କୀର୍ତ୍ତନ କରି ସଦା ସର୍ବଦା ଜାଗ୍ରତ ରଖୁଅଛି । ଦ୍ୱିତୀୟରେ ମୁଁ ଦ୍ରୋପଦୀଙ୍କ ଉପରେ କ୍ରୋଧିତ । କାରଣ ମୋର ପ୍ରଭୁ ଖାଇବାକୁ ବସିଥିଲେ ସେ ସମୟରେ ମୋର ପ୍ରଭୁଙ୍କୁ ଡାକିଲେ । ସେ ତୁରନ୍ତ ଖାଦ୍ୟ ଛାଡି ପାଣ୍ଡବମାନଙ୍କୁ ଋଷି ଦୁର୍ବାସାଙ୍କୁ ଅଭିଶାପରୁ ରକ୍ଷା କରିବାକୁ ଯାଇଥିଲେ । ସେ ମୋର ଭଗବାନଙ୍କୁ ବଳକା ଖାଦ୍ୟ ଖାଇବାକୁ ଦେଲେ । ତୁମର ତୃତୀୟ ଶତ୍ରୁ କିଏ? ସେ ହୃଦୟହୀନ ପ୍ରହ୍ଲାଦ । ନିର୍ଦ୍ଦୟ ବ୍ୟକ୍ତି ମୋର ପ୍ରଭୁଙ୍କୁ ଗରମ ତେଲର ଏକ ପାତ୍ରରେ ପ୍ରବେଶ କରାଇଲା, ହାତୀର ପାଦ ତଳେ ଚୂର୍ଣ୍ଣ କରାଇଲା । ଶେଷରେ ତାଙ୍କୁ ସ୍ତମ୍ଭରୁ ଦେଖା କରିବାକୁ ବାଧ୍ୟ କଲା । ଏବଂ ଚତୁର୍ଥ ଶତ୍ରୁ ହେଉଛି ଅର୍ଜୁନ । ତାଙ୍କର ଧୃଷ୍ଟତାକୁ ଦେଖ । ସେ ମୋର ପରମେଶ୍ୱରଙ୍କୁ ତାଙ୍କର ରଥର ସାରଥି କଲା । ସେ ଈଶ୍ୱରଙ୍କ ଅସୁବିଧାବିଷୟରେ ଚିନ୍ତା କଲା ନାହିଁ । ମୋର ପ୍ରଭୁଙ୍କୁ କେତେ ଅସୁବିଧା ହୋଇଥିବ। ବ୍ରାହ୍ମଣଙ୍କ ଆଖିରୁ ଅଶ୍ରୁ ଝରିଗଲା । ଏହା ଦେଖି ଅର୍ଜୁନଙ୍କ ଅହଂକାର ଭାଙ୍ଗିଗଲା । ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗି କହିଲେ । ପ୍ରଭୁ ! ମୁଁ ଜାଣି ନାହିଁ, ଏହି ଦୁନିଆରେ ଆପଣଙ୍କର କେତେ ପ୍ରକାରର ଭକ୍ତ ଅଛନ୍ତି? ମୁଁ ତ ନିମିତ୍ତ ମାତ୍ର….।
Comments are closed.