Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ଓ ସେବକଙ୍କ ବିଷୟରେ ଆଲୋଚନା ଅବସରରେ ଆମେ ଜାଣିଲେ ଏକ ଭିନ୍ନ ସେବକ “ସୁଧ ସୁଆର “ଙ୍କ ବିଷୟରେ। ସେହି ସୁଧ ସୁଆର ସେବାର ଅନ୍ୟ ଏକ ସ୍ୱରୂପ ହେଲା “ଅଣସର ସୁଧ ସୁଆର । ନାମକରଣ ଦୃଷ୍ଟିରୁ ବିବେଚନା କଲେ ଜଣାଯାଏ, ସ୍ନାନଠାରୁ ଉଭା ଅମାବାସ୍ୟା ଯାଏ ଅଣସର ତାଟି ଭିତରେ ଏମାନଙ୍କ ସେବା ଉଦ୍ଦିଷ୍ଟ ।ଏହି ଦିନ ମାନଙ୍କରେ ତାଟି ଭିତରେ ଦଇତା ସେବକ ମାନେ ଚକଟା ଭୋଗ ସାରି ବାହାରି ଯିବା ପରେ ସୁଧ ସୁଆର ସେବକ ପଣା ଭୋଗ ପାଇଁ ଠା କରନ୍ତି ପଣାଛେକ ଆସିଲେ ପୂଜା ବସିବାକୁ ପତି ମହାପାତ୍ରଙ୍କୁ ଡାକନ୍ତି ଷଷ୍ଠୀ ଓ ସପ୍ତମୀ ତିଥିରେ ଓଷ ଘରେ ଓଷ ବାଟି ଯୋଗାନ୍ତି। ଏକାଦଶୀ ଦିନ ଏକ ହାଣ୍ଡି ପାଣି ଓଷ ଯୋଗାନ୍ତି। ଦଶମୀ ଦିନ ଖଳି ଚୁଆ ଚନ୍ଦନ ବାଟି ଯୋଗାନ୍ତି। ଏକାଦଶୀ ରାତିରେ ମଧ୍ୟ ଖଳି ଯୋଗାନ୍ତି। ତ୍ରୟୋଦଶୀ ଦିନ ଏହି ସେବକଙ୍କ ଘରୁ ଖଳି ବିଜେ ହୋଇ ଆସେ। ଉକ୍ତ ଦିନ ରାତ୍ରରେ ଚକଟା ଭୋଗ ପରେ ଭିତର ଧୋ ପଖାଳ କରିଥାନ୍ତି। ଅମୋଣିଆ ପାଣି, ଖଳି ଲାଗିଲେ ହାତୁଆଣି ଦିଅନ୍ତି। ଚିତା ଲାଗି ଓ ରାହୁରେଖା ଲାଗି ବେଳେ ସିଂହାସନ ତଳେ ଓଷୁଆ ପ୍ରସ୍ତୁତ କରି ତିନି ବାଡ଼ରେ ଯୋଗାନ୍ତି। ଖସାପଡା ଲାଗିଲେ ମଧ୍ୟ ଖଳି ପ୍ରସ୍ତୁତ କରନ୍ତି। ରେଖା ବିଜେରେ ପାହାଡା ଓ ବୋଇରାଣୀ ଲୁଗା ପକାନ୍ତି ଓ ପରେ ତାହା ପାଆନ୍ତି ଏହି ସେବକ ମାନଙ୍କ ସେବା ମଧ୍ୟ ବଂଶାନୁକ୍ରମିକ ଓ ଏମାନେ ଶୁଦ୍ର ସେବକ ଅଟନ୍ତି। ବର୍ତ୍ତମାନ ସଂଖ୍ୟାରେ ଏମାନେ ଖୁବ କମ ପରିବାର ଅଛନ୍ତି। ଆସନ୍ତୁ ତେବେ କରିବା ଆରାଧନା ଓ ଭାଗବତ ପଠନ ।

ତୋ ମାୟା ସଙ୍କଟେ ମୁଁ ଜଡି
ଭବବନ୍ଧନେ ଅଛି ପଡି।
ଏ ମୋର ମାୟା ଜାଲ ପାଶ
କିଞ୍ଚିତେ ଛେଦ ପିତବାସ ।
ନିଶ୍ଚୟ କରି ନିଜ ଦାସ
କହ ତୋ ମାର୍ଗ ଉପଦେଶ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.