ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ଆରମ୍ଭ ହୋଇପାରେ ବର୍ଷା । ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନେକ ସ୍ଥାନରେ ଆଜି ତାପମାତ୍ରା ହ୍ରାସ ସାମାନ୍ୟ ହ୍ରାସ ପାଇପାରେ । ୧୯ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜିଠାରୁ ଖରା ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ । ଗତକାଲି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା କମିଥିଲେ ବି ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ସିଝିଥିଲା ଓଡ଼ିଶା। ନିମ୍ନ ଚାପରେଖା ସହ ଓଡ଼ିଶା ନିକଟରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ଆଡୁ ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଫଳରେ ଦିନରେ ତାତି ରହିଲେ ବି ଅପରାହ୍ଣ ସମୟରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଘଡ଼ଘଡ଼ି ବର୍ଷା ହେବାକୁ ଥିବା ବେଳେ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ପାରଦ ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତଥାପି ବିଭିନ୍ନ ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ।
Comments are closed.