Latest Odisha News

BREAKING NEWS

ଦୀର୍ଘ ୧୭ କିଲୋମିଟର ଲମ୍ବ ତ୍ରୀରଙ୍ଗା ଧରି ରାଉରକେଲାବାସୀ ପାଳିଲେ ସ୍ୱାଧୀନତା ଦିବସ !

ରାଉରକେଲା: ଏଥର ଇସ୍ପାତନଗରୀ ରାଉରକେଲାରେ ଅଭିନବ ଢଙ୍ଗରେ ପାଳିତ ହୋଇଛି ୭୩ତମ ସ୍ୱାଧୀନତା ଦିବସ । ଦୀର୍ଘ ୧୭ କିଲୋମିଟର ଲମ୍ବ ବିଶିଷ୍ଟ ଏକ ତ୍ରୀରଙ୍ଗା ପ୍ରସ୍ତୁତ ହୋଇଛି ରାଉରକେଲାରେ, ଏହାକୁ ପ୍ରାୟ ୪୦,୦୦୦ ଦେଶପ୍ରେମୀ ଛାତ୍ରଛାତ୍ରୀ ହାତରେ ଧରି ରେକର୍ଡ଼ ସୃଷ୍ଟି କରିପାରିଛନ୍ତି ।

ଏହି ନିଆରା ସ୍ୱାଧୀନତା ଉତ୍ସବ ପାଳନ ଆରମ୍ଭ ହୋଇଥିଲା ଦିନ ୯ଟା ସମୟରେ । ପ୍ରାୟ ୪୦,୦୦୦ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହି ବିଶାଳକାୟ ତ୍ରୀରଙ୍ଗା ପତାକାକୁ ଧରି ୧୭ କିମି ବ୍ୟାପୀ ଏକ ମାନବ ଚେନ୍ ସୃଷ୍ଟି କରିପାରିଥିଲେ ।

ଏହି ପତାକା ର‌୍ୟାଲି ପ୍ରସିଦ୍ଧ ହନୁମାନ ବାଟିକାରୁ ଆରମ୍ଭ ହୋଇ ଛେଣ୍ଡ କଲୋନୀ, ସେକ୍ଟର ୧୪, ଦିଲ୍ଲୀ ପବ୍ଲିକ ସ୍କୁଲ, ରିଙ୍ଗ୍ ରୋଡ଼, ସେକ୍ଟର ୨ ଏବଂ ବିଜୁ ପଟ୍ଟନାୟକ ଛକ ଦେଇ ପୁନର୍ବାର ହନୁମାନ ବାଟିକାରେ ଶେଷ ହୋଇଥିଲା ।

ସ୍ୱାଧୀନତା ଦିବସ ଉତ୍ସବରେ ପ୍ରଦର୍ଶିତ ହୋଇଥିବା ଏହି ବିରାଟକାୟ ଜାତୀୟ ପତାକାଟିର ପରିକଳ୍ପନା କରି ସାକାର ରୂପ ଦେଇଥିଲେ ସ୍ଥାନୀୟ ‘ସ୍ମାଇଲ୍ ଫର୍ ଏଭର୍ ଫାଉଣ୍ଡେସନ’ ଅନୁଷ୍ଠାନ । ଏହି ଦୀର୍ଘ ଜାତୀୟ ପତାକା ନିର୍ମାଣ କରି ‘ଗିନିଜ୍ ବୁକ୍ ଅଫ ୱାର୍ଲଡ଼ ରେକର୍ଡ଼’ ଏବଂ ‘ଲିମକା ବୁକ୍ ଅଫ ରେକର୍ଡସ’ରେ ସ୍ଥାନ ପାଇ କୀର୍ତ୍ତିମାନ ସ୍ଥାପନା କରିବା ଲକ୍ଷ୍ୟ ରଖିଛନ୍ତି ଏହି ଅନୁଷ୍ଠାନ ।

ଏହି ପତାକା ନିର୍ମାଣ କରିବାରେ ୧୨ ଜଣ କଳାକାର ନିୟୋଜିତ ହୋଇଥିବା ସହିତ ଏହାକୁ ନିର୍ମିତ କରିବାକୁ ପ୍ରାୟ ୩ ମାସ ସମୟ ଲାଗିଥିଲା ।

ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ୪୫,୦୦୦ ମିଟର କଟନ କପଡ଼ାରେ ଏହା ନିର୍ମିତ ହୋଇଛି ।

Leave A Reply

Your email address will not be published.