ଭୁବନେଶ୍ୱର: ସୋମବାର ଓଡ଼ିଶା ସରକାର ଇଲେକଟ୍ରିକ୍ ଗାଡ଼ି କିଣିବା ପାଇଁ ସବସିଡି ବଢ଼ାଇବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୧ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି ନୀତିରେ ଉଭୟ କ୍ରେତା ଓ ଉତ୍ପାଦକଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରି ରାଜ୍ୟରେ ବ୍ୟାଟେରୀ ଚାଳିତ ଯାନ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦିଆଯିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ରେ ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବୈଦ୍ୟୁତିକ ଯାନ ଗ୍ରହଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅଧିକରୁ ଅଧିକ ଲୋକଙ୍କୁ ଇଲେକଟ୍ରିକ୍ ଗାଡ଼ି କିଣିବାକୁ ଉତ୍ସାହିତ କରିବା ଏବଂ ନୀତିକୁ ଅଧିକ ପ୍ରଗତିଶୀଳ କରିବା ପାଇଁ ସବସିଡି ବୃଦ୍ଧି କରିଛନ୍ତି। ସରକାରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏହି ପଦକ୍ଷେପ ରାଜ୍ୟକୁ ଆଶାନୁରୂପକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।
ଏହି ନୀତିରେ ୨୦୨୫ ଡିସେମ୍ବର ୩୧ ତାରିଖ ଯାଏ ଓଡ଼ିଶାରେ କିଣା ଯାଇଥିବା ଇଲେକଟ୍ରିକ୍ ଯାନ ପାଇଁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଶୁଳ୍କରେ ୧୦୦% ରିହାତି ପ୍ରଦାନ କରାଯାଇଛି। ଏହି ରିହାତି ରାଜ୍ୟରେ ପଞ୍ଜିକୃତ ଉଭୟ ପରିବହନ ଏବଂ ଅଣ-ପରିବହନ ଇଲେକଟ୍ରିକ୍ ଯାନ ପାଇଁ ପ୍ରଯୁଜ୍ୟ।
ଦୁଇ ଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫% ସବସିଡି ମିଳୁଛି, ଯାହାର ମୂଲ୍ୟ ସୀମା ୫ ହଜାର ଟଙ୍କା ରହିଛି। ତିନି ଚକିଆ ଯାନ ପାଇଁ ୧୦ ହଜାର ଟଙ୍କା ଯାଏ ରିହାତି ଥିବା ବେଳେ ଚାରି ଚକିଆ ଯାନ ପାଇଁ ୫୦ ହଜାର ଟଙ୍କା ଯାଏ ରିହାତି ବା ୧୫ ପ୍ରତିଶତ ରିହାତି ରହିଛି।
ଏହାବ୍ୟତୀତ ଇଲେକଟ୍ରିକ୍ ବସ୍ ବିନା-ଏସି ପାଇଁ ୨ ଲକ୍ଷ ଟଙ୍କା, ଏସି ପାଇଁ ୩ ଲକ୍ଷ ଟଙ୍କା ଏବଂ ଏସି ଡିଲକ୍ସ ବସ୍ ପାଇଁ ୪ ଲକ୍ଷ ଟଙ୍କା ସବସିଡି ପାଇପାରିବେ। ଯାହା ଗାଡ଼ି ମୂଲ୍ୟର ୧୦% ରହିବ। ଏହାବ୍ୟତୀତ ଓଡ଼ିଶାରେ ପଞ୍ଜିକୃତ ପ୍ରଥମ ୫ ହଜାର ଇଲେକ୍ଟ୍ରିକାଲ ଗୁଡସ ଟ୍ରାନ୍ସପୋର୍ଟର ୩୦ ହଜାର ଟଙ୍କାରେ କିଣା ଉପରେ ପ୍ରୋତ୍ସାହନ ମିଳିପାରିବ।
Comments are closed.