ଭୁବନେଶ୍ୱର: ଯୁଦ୍ଧ ଭୂଇଁରୁ ଫେରିଲେ ୬ ଓଡ଼ିଆ । ସୁଦାନ ଜଳୁଥିବା ବେଳେ ଅପରେସନ୍ କାବେରୀ ଜରିଆରେ ଓଡ଼ିଶାର ୬ ଜଣ ଭୁବନେଶ୍ୱର ଫେରିଛନ୍ତି । ଯୁଦ୍ଧ ସମୟରେ ସୁଦାନ ଛାଡ଼ିବା ବେଳେ ବନ୍ଧୁକ ମୁନରେ ସେମାନଙ୍କ ବ୍ୟାଗପତ୍ର ଲୁଟି ନିଆଯାଇଥିବା ଜଣାପଡ଼ିଛି ।
ସୁଦାନରୁ ଫେରିଥିବ ୬ ଜଣଙ୍କ ଘର ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁରରେ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସୁଦାନର ସ୍ଥିତି ଏବଂ ସେମାନଙ୍କ ସହ ଘଟିଥିବା ଗୋଟିଏ ଗୋଟିଏ ଘଟଣାକୁ ସେମାନେ ବର୍ଣ୍ଣନା କରିବା ବେଳେ ଆଖିରୁ ଝରି ଆସୁଥିଲା ମୁକ୍ତିର ଅଶ୍ରୁ ।
ସୁଦାନରୁ ଫେରିଥିବା ଓଡ଼ିଆ କହିଛନ୍ତି, ଏପ୍ରିଲ୍ ୧୫ରେ ସଂଘର୍ଷ ଆରମ୍ଭ ହୋଇଥିଲା । ସେଠାରେ ବିଦ୍ୟୁତ୍ ନଥିଲା । କୌଣସି ପ୍ରକାରେ କମ୍ପାନୀ ୨ ଓଳା ପାଇଁ ଖାଇବା ବନ୍ଦୋବସ୍ତ କରୁଥିଲା । ୧୭ ଓ ୧୮ ତାରିଖରେ ସ୍ଥାନୀୟ ଲୋକ ଲୁଟପାଟ୍ ଆରମ୍ଭ କରିଥିଲେ । ବିଶେଷ କରି ମୋବାଇଲ୍ ଓ ଡଲାରକୁ ବନ୍ଧୁକ ମନୁରେ ଲୁଟି ନେଉଥିଲେ ବୋଲି କହିଛନ୍ତି ସୁଦାନରୁ ଫେରିଥିବା କେଦାର ନାୟକ ।
ଏହା ପରେ ସେମାନେ ସୁଦାନ ସ୍ଥିତ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିଥିଲେ । ଏହା ପରେ ବସ୍ ଯୋଗେ ସୁଦାନ ବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ନୌସେନା ଜାହାଜରେ ଫେରିଥିଲେ । ସେହିଭଳି ଆଉ ଜଣେ କହିଛନ୍ତି, ପ୍ରବଳ ଗୁଳିଗୋଳା ମାଡ଼ରେ ୯ ଦିନ ଶୋଇ ପାରି ନଥିଲୁ । ଯୁଦ୍ଧକୁ ଦେଖି ଆଶା କରି ନଥିଲୁ ଓଡ଼ିଶା ଫେରି ପାରିବୁ ।
Comments are closed.