Latest Odisha News

BREAKING NEWS

ଉଡ଼ିଯାଉଥିବା ଦଳେ ଚଢେ଼ଇ

ଉଡ଼ିଯାଉଥିବା ଦଳେ ଚଢେ଼ଇ

ଗାୟତ୍ରୀ ସରାଫ୍‍

କେତେବେଳେ ଆସିବ? ଆଉ କେତେବାଟ ରହିଲା ଯେ? ମନକୁ ମନ ପଚାରୁଥାଏ । ମତେ ଭାରି ଉଚ୍ଛନ୍ନ ଲାଗୁଥାଏ । କୋରାପୁଟ ଯିବା ଏଇ ମୋର ପ୍ରଥମ ତ । ଅନେକ ଶୁଣିଛି ଓ ପଢ଼ିଛି ଏଇ ସହର ବିଷୟରେ । ତା’ର ପ୍ରକୃତି, ଘନଘୋର ଜଙ୍ଗଲ ଓ ତା’ର ସରଳ, ସୁନ୍ଦର ଆଦିବାସୀଙ୍କ କଥା । ସରଳ ଓ ନିରୀହପଣର ଅମୃତରେ ଭରା ସେମାନଙ୍କ ମନ ଓ ହୃଦୟ । ଜାଣନ୍ତି ନାଇଁ ସେମାନେ ଛଳନା କ’ଣ, କୃତ୍ରିମତା କ’ଣ, ତେଣୁ ତ କୁହାଯାଏ ସେମାନେ ଅମୃତର ସନ୍ତାନ । କଣ୍ଠରେ ପୁଣି ସେମାନଙ୍କର ଭରିରହିଛି ନଦୀ, ଝରଣାର ଅମୃତ ସ୍ୱର । ନୃତ୍ୟ, ସଂଗୀତରେ ରହିଛି ଛନ୍ଦ, ଲୟର ଅପୂର୍ବ ସମ୍ଭାର । ବହୁଦିନର ଇଚ୍ଛା, ତାଙ୍କୁ ସାମନା ସାମନି ଭେଟନ୍ତି । ଗୀତ ଶୁଣନ୍ତି । ନୃତ୍ୟ ଦେଖନ୍ତି । ଯାହା ସେମାନେ କୌଣସି ଅନୁଷ୍ଠାନରୁ ଶିଖନ୍ତି ନାଇଁ କି କୌଣସି ଗୁରୁଙ୍କଠୁ ତାଲିମ ନିଅନ୍ତି ନାଇଁ । ଖୋଲା ପ୍ରକୃତି, ପାହାଡ଼, ଝରଣା ତାଙ୍କୁ ଗୀତ ଶିଖାଏ । ପାଦରେ ଛନ୍ଦ ଦିଏ ।

ତେଣୁ ଗଳ୍ପ କର୍ମଶାଳା ପାଇଁ କୋରାପୁଟ ଯିବାକୁ ଡାକରା ଆସିଲା ବେଳେ, ଅନେକ ଅସୁବିଧା ସତ୍ତ୍ୱେ ମୁଁ ହଁ କଲି । ମନ ଜାଣି ସୁଯୋଗ ଆସିଛି ଭାବିଲି । ଆଉ ଆସିଲି ।

ହେଲେ, ମୁଁ କ’ଣ ସତରେ ସେ ସୁଯୋଗଟି ପାଇବି?

ପଚାରିଥିଲେ ବି ଆଗରୁ, ପୁଣି ପଚାରିଲି ମୋ ସ୍ୱାମୀଙ୍କୁ । ମ୍ୟାଗାଜିନ ପୃଷ୍ଠାରୁ ମୁହଁ ଉଠେଇ ସେ କହିଲେ –

: କର୍ମଶାଳାକୁ ଯାଉଛ । ତାଙ୍କ ଗୀତ, ସଙ୍ଗୀତ, ତୁମେ ଯେମିତି ଚାହୁଁଛ, ସେଥିପାଇଁ ତ ଟିକେ ଇଣ୍ଟେରିଅର ଯିବାକୁ ହବ । ଯାଇପାରିବ? ସମୟ ହେବା କଥା । ହଉ ଦେଖିବା । ସେଠିକି ଆଗ ଯାଉ ତ ।

ପହଞ୍ଚିଲା ପ୍ରିୟ କୋରାପୁଟ । ବହୁ ପ୍ରତୀକ୍ଷିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସହର । ଅମୃତର ସନ୍ତାନମାନଙ୍କୁ କୋଳେଇ ରଖିଥିବା ଶ୍ୟାମଳ ସହର । ଚାରିଆଡେ଼ ଟିକେ ଆଖି ବୁଲେଇଲି । ତରଙ୍ଗାୟିତ ପର୍ବତମାଳା ଭିତରେ ମତେ ଲାଗିଲା କେଉଁଠୁ ଗୋଟେ ଭାସି ଆସୁଛି ମଧୁର ବାଜଣା ଆଉ ସତେଜ ଗଛ ପତ୍ରକୁ ଧୀରେ ଝୁଲୋଉଛି ଗୋଟେ ପବନର ଝୁଲଣା । ପୋଛି ନଉଛି ଦୀର୍ଘ ଯାତ୍ରା ପରର ମୋର କ୍ଳାନ୍ତି । ପାଦଫୁଲାର ଯନ୍ତ୍ରଣା ।

ନିର୍ଦ୍ଧାରିତ ଗଳ୍ପ କର୍ମଶାଳାରେ ଯୋଗ ଦେଲି । ଭେଟିଲି ନୂଆ, ପୁରୁଣା ଗାଳ୍ପିକ ବନ୍ଧୁଙ୍କୁ । ସମସ୍ତଙ୍କ ସ୍ୱରରେ ପ୍ରକୃତିର ନୀଡ଼ କୋରାପୁଟକୁ ଭଲପାଇବା ବାସ୍ନା ଚହଟୁଥିଲା । ମୋର ଇଚ୍ଛା ଗୋପନ ରଖିଥିଲି । ହେଲେ କଥାବାର୍ତ୍ତାବେଳେ ଜାଣିଲି କିଛି ଗାଳ୍ପିକ ବନ୍ଧୁ ସେଇଆ ଚାହଁଥିଲେ । ଶାନ୍ତ, ସରଳ ଆଦିବାସୀମାନଙ୍କ ପାଖକୁ ଯାଇ କଥା କହିବାକୁ ତାଙ୍କ ଗୀତ, ସଂଗୀତ ଶୁଣିବାକୁ କେଉଁ ଗାଳ୍ପିକ ଅବା ଇଚ୍ଛା କରିବନି? ପ୍ରତ୍ୟକ୍ଷ ଅନୁଭୂତି ନହେଲେ କ’ଣ କିଛି ଲେଖି ହୁଏ? ସଭିଏଁ ତାଙ୍କ ଇଚ୍ଛା ଜାହିର କଲେ କର୍ମକର୍ତ୍ତାଙ୍କ ପାଖରେ । ସେ ଖୁସି ହେଲେ । ପ୍ରତିଶ୍ରୁତି ଦେଲେ ଯେ କର୍ମଶାଳା ସରିବା ପରେ ଯେଉଁମାନେ ଚାହିଁବେ ସେମାନଙ୍କୁ ନେଇଯିବେ ଗୋଟେ ଗାଁକୁ । ଆଦିବାସୀମାନଙ୍କ ଗହଣକୁ । ମୁଁ ବହୁତ ଖୁସି ହେଲି । ମୋବାଇଲରେ ମୋ ସ୍ୱାମୀଙ୍କୁ କହିଲି : ହୋଟେଲରୁ ତୁମେ ପାଞ୍ଚଟାରେ ଏଇ ଭେନ୍ୟୁକୁ ଚାଲି ଆସିବ । ଏଠିକା କର୍ମକର୍ତ୍ତା ଆମକୁ ନେଇଯିବେ ସେଇ ଅମୃତର ସନ୍ତାନଙ୍କ ପାଖକୁ । ଓଃ…ଯାହା ଯେମିତି ଚାହିଁଥିଲି – ହେଲା । ମୋତେ ଭାରି ଭଲଲାଗୁଛି…ରହୁଛି । ଠିକ ପାଞ୍ଚଟାରେ ଏଠି ପପହଞ୍ଚିବ ବୁଝିଲ?

କର୍ମଶାଳା ଓ ତା’ପରର ପର୍ବ ସରୁସରୁ ସାଢେ଼ ପାଞ୍ଚ । କିଛି ବନ୍ଧୁ ବିଦାୟ ନେଲେ, ଯେଉଁମାନେ ପରଦିନ ସକାଳେ ଫେରିବାକୁ ଚାହିଁଲେ ସେମାନେ କର୍ମକର୍ତ୍ତାଙ୍କ ସାଙ୍ଗରେ ସେଇ ଗାଁକୁ ବାହାରିଲୁ । ଗାଡ଼ି ଷ୍ଟାର୍ଟ ହେଲା ପରେ ଆୟୋଜକ ବନ୍ଧୁ ଜଣକ କହିଲେ –

: ଆଜି ଆଦିବାସୀମାନଙ୍କ କ’ଣ ଗୋଟେ ପର୍ବ ଚାଲିଛି । ରାତିସାରା ସେମାନଙ୍କ ନାଚ, ଗୀତ ଚାଲିବ କିନ୍ତୁ ଆମେ ନ’ ସୁଦ୍ଧା ଫେରିଲେ ଭଲ । ଯଦିଓ ସେ ରାସ୍ତାରେ କିଛି ବିପଦ ନାଇଁ ତଥାପି ସମୟ କେମିତି ଆପଣମାନେ ଜାଣନ୍ତି” ।

ଖରାପ ରାସ୍ତା ହେଲେ ବି ଆନନ୍ଦରେ କୁଳୁକୁଳୁ ମୋର ମନ । ବାଧୁନଥିଲା ଦେହ ଥରେଇ ଦଉଥିବା ସାଇଁସାଇଁ ପବନ । ବନ୍ଧୁମାନଙ୍କ ଗପସପ ଭିତରେ ପାଖେଇ ଆସିଲା ସେଇ ଗାଁ । ପାଖେଇ ଆସୁଥାଏ ଗୁମଗୁମ ବାଜା । ଅବୁଝା ଗୋଟେ ଗୀତର ସ୍ୱର ଲହର । ଗାଡ଼ି ଅଟକିଲା । ପ୍ୟାଣ୍ଟ ସାର୍ଟ ପିନ୍ଧା ଜଣେ ଯୁବକ ଲାଇଟ ପୋଷ୍ଟ ପାଖରୁ କୌତୁହଳରେ ଆମ ପାଖକୁ ଆସିଲା । କର୍ମକର୍ତ୍ତା ବନ୍ଧୁ ସେଠିକି ଆସିବାର ଉଦେ୍ଧଶ୍ୟ କହିଲେ । ସେ ଓଡ଼ିଆ କହୁଥିଲେ ବି କଷ୍ଟ ହେଲା ବୁଝିବାରେ । ହେଲେ ବୁଝି ହେଲା ତା’ର ଖୁସି । ଖୁୁସିର ଭାଷା ବୁଝିବାରେ ତ କେଉଁଠି ଅସୁବିଧା ନଥାଏ । ସେ ଆମକୁ ନେଇଗଲା ଗାଁ ଭିତରକୁ । ନାଚ, ଗୀତର ଆସର ପାଖକୁ । ଆମକୁ ଦେଖି ସେଠିକାର ବାତାବରଣ ଚହଲିଗଲା । ସଭିଙ୍କ ନଜର ଆମ ଉପରେ ।

ଯୁବକ ତା’ ଭଂଗୀରେ କହିଲା : ସେମାନେ ଆମର ଅତିଥି । ଆମ ନାଚ ଗୀତ ଦେଖିବେ । ଯେମିତି ଫୁଲ ଫୁଟିଗଲା ସଭିଙ୍କ ମୁହଁରେ । ଦୁଇଜଣ ଲୋକ ଦଉଡ଼ିଯାଇ ଦୁଇଟା ଦଉଡ଼ିଆ ଖଟ ନେଇ ଆସି ଆମକୁ ବସିବାକୁ କହିଲେ । ପରେ ଆସିଲା ଅଧିକ ଦୁଇଟା ଆଲୁଅ । ଜଣେ ଯୁବତୀ ଦୁଇ ହାତରେ କଳସରେ ପାଣି ଆଣିଦେଲା । ଯେମିତି ଅମୃତ କଳସ ।

ପଚାରିଲି – ତୁମ ନାଁ କ’ଣ? ମୁଲକରି ହସିଦେଇ କହିଲା – ‘ଚୁମକି’ । ଦେଖିଲି ଚିକ୍କଣ ମୁହଁ, କଳା ଭଅଁର ଆଖି । ଖୋଲାବାହୁ, ବେକରେ, ହାତରେ ତାଙ୍କ ପାରମ୍ପରିକ ଗହଣା । ବାଁ ପଟେ ଖୋସା । ଖୋସାରେ ପେନ୍ଥାଏ ଜଙ୍ଗଲିଫୁଲ । ବାରି ହେଉଥିଲା ତା’ ମୁହଁର ହଳଦି ରଙ୍ଗ । କୃତି୍ରମଲେପ ବିନା ସେ ସୁନ୍ଦରୀ । ଚପଳ ମୟୂରୀ ।

ସେଠି ଏକ ଛବିଳ ପୃଥିବୀ । ଆମ ସାମ୍ନାରେ ଦଳଦଳ ଆଦିବାସୀ ଯୁବକ ଯୁବତୀ । ସେମାନଙ୍କ ମଧୁମୟ ନୃତ୍ୟ ଆସର । ଡୁଂଗୁଡୁଂଗା ବଜେଇ ଯୁବକ ଦଳର ଗୁଣୁଗୁଣୁ ଗୀତ । ପାଳି ଧରୁଥିଲେ ଯୁବତୀଦଳ । ପିଠି ପାଖେ ହାତକୁ ହାତ ଛନ୍ଦି ଅଣ୍ଟା ବଙ୍କେଇ ନାଚୁଥିଲେ ଦୋହଲି ଦୋହଲି । କୁରୁଳି ଉଠିଥିଲା ଦଶ ଦିଗ ।

ଗୀତ ତାଳରେ ନିଶା ।

ନୃତ୍ୟ ଛନ୍ଦରେ ନିଶା ।

ଆମ ଦେଖଣାହାରୀମାନଙ୍କ ମନରେ ବି ନିଶା । ଆକଣ୍ଠ ଉପଭୋଗ ଆମର । କାହିଁ କେଉଁଠି ନଥିଲା ଆଧୁନିକତାର ଝଲକ । ଅଥଚ ଭଲ ଲାଗୁଥିଲା । ଦେଖିଲି, ନୃତ୍ୟର ତାଳେତାଳେ, ଗୀତର ସୁରେସୁରେ ଯୁବକ ଯୁବତୀଙ୍କ ପରସ୍ପର ଆଡ଼କୁ ଫୁଲ ଫିଙ୍ଗାଫିଙ୍ଗି । ଚାହାଣୀର ଅଦଳବଦଳ । ଆଖିରେ ଆଖିରେ ପୀରତିର ଇସାରା । ମାନ-ଅଭିମାନର ଖେଳ । ଅପୂର୍ବ ସତରେ । ଆମେ ମଜ୍ଜି ଯାଉଥିଲୁ । ହଜି ଯାଉଥିଲୁ । ସେଠି ବୟସ ବାଧା ନଥିଲା । ସମୟ ବାଧା ନଥିଲା । ନଥିଲା କା’ର ଅଲଗା ସତ୍ତା । ଆଧୁୁନିକ ସମାଜର ନୃତ୍ୟ ଦେଖୁଛୁ ଅହରହ ଟିଭି ପର୍ଦ୍ଧାରେ, ଆଲବମ ଗୀତ ଶୁଣୁଛୁ କିନ୍ତୁ ସଭ୍ୟ ସମାଜଠୁ ବହୁ ଦୂରରେ, ପ୍ରକୃତିର ଶ୍ୟାମଳ କୋଳରେ ଏ ଯେଉଁ ନାଚ, ଗୀତ, ଛନ୍ଦ, ତାଳ ସବୁ ତ ନିଆରା । ସବୁ ଯେମିତି କମନୀୟ, ଜୀବନମୟ ।

ସହସା ଚହଲିଗଲା ସମୁଦାୟ ବାତାବରଣ । ପବନରେ ଭାସି ଆସିଲା ଏକ ବିଦେଶୀ ପରଫ୍ୟୁମର ତୀବ୍ର ବାସ୍ନା । ଶୁଭିଲା ଇଂରାଜୀମିଶା ଓଡ଼ିଆ କଥା । ହୋ ହଲ୍ଲା, ଧୁମଧଡ଼ାକା ମୁ୍ୟଜିକ । ଯୋତା ଓ ହାଇହିଲର ବେପରୱା ଚାଲି । ସଭିଙ୍କ ନଜର ଉଠିଗଲା ସେଆଡେ଼ । ଜିନସ, ଟପ ପିନ୍ଧା ତିନିଜଣ ଯୁବତୀ । ପଛେପଛେ ତିନି ଯୁବକ । କିଏ ଏମାନେ? ଏତିକିବେଳେ ଏଠି କେମିତି? କାନ୍ଧରେ କ୍ୟାମେରା, ଅଣ୍ଟାରେ, ବେକରେ ଝୁଲୁଛି ମୋବାଇଲ । ଆଖିରେ ବେଖାତିର ଚାହାଣୀ । ବିଶୃଙ୍ଖଳ ଚାଲି । ହୁଏତ ଆଖପାଖରେ କେଉଁଠି କ୍ୟାମ୍ପ ପଡ଼ିଥିବ କିମ୍ବା ଆସିଥିବେ ଷ୍ଟଡିଟୁରରେ । ଆମ ଭଳି ନାଚ, ଗୀତ ଉପଭୋଗ ପାଇଁ ଆସିଥିବେ । ହଁ ଆସନ୍ତୁ ଭଲ କଥା । ଯୁବାପୀଢ଼ି ବି ଏ ଅପୂର୍ବ ପରମ୍ପରା ସହ ପରିଚିତ ହେବା ଦର୍କାର । ଏମାନଙ୍କୁ ଚିହ୍ନିବା ଦର୍କାର । ଆମେ ସେମାନଙ୍କ ପାଇଁ ଜାଗା କରିଦେଲୁ । ଦୁଇଜଣ ଯୁବତୀ ମୋ ପାଖରେ ଆସି ବସିଲେ । ଗପସପରେ ମସଗୁଲ ହେଇଗଲେ । ମୁଁ, ସେ ଦୁହିଁଙ୍କୁ ଚାହିଁ ମୋର ଅସନ୍ତୋଷ ଜଣେଇଲି ମୁଖଭଂଗୀରେ । ଅନ୍ୟ ଗାଳ୍ପିକ ବନ୍ଧୁ ଓ ମୋ ସ୍ୱାମୀ ବି ସେମାନଙ୍କ ଆଚରଣରେ ଆହତ ଜଣାପଡ଼ିଲେ । ଦୁଇ ଝିଅ ପୁଣି ବିଚିତ୍ର ଓଡ଼ିଆରେ କଥା ହେଉଥିଲେ ।

: ୟାର ଦେଖ ସେ ଟ୍ରାଇବାଲ ପିପୁଲ କେତେ ଫନି ଦେଖାଯାଉଛନ୍ତି । ମୁଁ ଶୋଚୁଛି ଷ୍ଟେଟ ମିଉଜିଅମ ହିଁଁ ଏମାନଙ୍କ ପାଇଁ ରାଇଟ ପ୍ଲେସ ।

ଆର ଜଣକ ବି ପରିହାସ କରି କହିଲା –

: ୟୁ ଜଷ୍ଟ ସି ଦେଆର ଗହଣା ଆଣ୍ଡ ଶାଢ଼ିଜ । ଓଃ କେତେ ନ୍ୟାଷ୍ଟି ଓ ଅନକଲଚରଡ ଏମାନେ? ଏମାନଙ୍କୁ ନେଇ ଏତେ ଚର୍ଚ୍ଚା?

ହୋ ହୋ ହସ । ଲାଇଫ କ’ଣ ବୁଝିବେ ଏ ପିପୁଲ? ଲୁକ । ଡ୍ରେସ ନାଁରେ ପୁଅମାନଙ୍କ ଚାଖଣ୍ଡେ କପଡ଼ା, ଝିଅମାନଙ୍କ ବଡ଼ି ଲୁଚୁନଥିବା ଦୁଇ ମିଟର ଶାଢ଼ି । ହେ! ସେଥିରେ ଫେର କି ଗୀତ କି ଡ୍ୟାନ୍ସ…

ମୁଁ ଅତିଷ୍ଠ ସେମାନଙ୍କ କଥା ଭାଷାରେ । ହସରେ । ଆଚରଣରେ । କିଛି କହିବା ପାଇଁ ଭାବୁଥାଏ ମୋତେ ଲାଗି ବସିଥିବା ଝିଅଟି ଉଠିପଡ଼ି କହିଲା – “ଲେଟଅସ ମୁଭ ୟାର । ଏଠି କ’ଣ ଦେଖିବାର ଅଛି? ସମୟ ବରବାଦ । ଚଲୋ । ଉଠୋନା…ଏ ପ୍ରୀତିଶ, ମନିଷ ଚଲୋ ୟାର…ମୁଁ ଫେଡଅପ…”

ଭ୍ରୁକୁଞ୍ଚନ କରୁଥିବା ସେଇ ଝିଅଟିକୁ ଦେଖିଲି । ତାକୁ ଜବାବ ଦେବାକୁ ଚାହିଁଲି ହେଲେ ଏକ ଅପ୍ରୀତିକର ପରିବେଶ ଚାହିଁଲିନି । କିଛି ନ କହିବାକୁ ମୋ ସ୍ୱାମୀ ମତେ ଇଶାରା କଲେ । ସେ ଝିଅଟିକୁ କିନ୍ତୁ ମୁଁ ବିରକ୍ତରେ ପୁଣି ଚାହିଁଲି । ଏଥର କେମିତି ଯେ ତା’ ମୁହଁଟା ମୋତେ ଚିହ୍ନା ଚିହ୍ନା ଲାଗିଲା । କେଉଁଠି ଦେଖିଛି ଯେମିତି । ହେଲେ ମନେପଡ଼ିଲାନି ।

ସେ ଦଳ ଚାଲିଗଲେ । କିଛି ସମୟ ପରେ ଆମେ ବି ବାହାରିଲୁ । ଅନ୍ୟମାନେ ହୁଏତ ବେଶୀ ପ୍ରଭାବିତ ନଥିଲେ ସେମାନଙ୍କ କମେଣ୍ଟସରେ କିନ୍ତୁ ମୁଁ ଗଭୀର ଆଘାତ ପାଇଥାଏ । ଭାବୁଥାଏ । ସେଇ ଝିଅଟିକୁ କେଉଁଠି ଦେଖିଛି ବି ଭାବୁଥାଏ ଓଃ…କେଉଁଠି ଦେଖିଛି? ବଲାଙ୍ଗିର ବହିହାଟରେ? ଲୋକ ଉତ୍ସବରେ? ନା ରାଜଧାନୀ ପୁସ୍ତକମେଳାରେ?

ହୋଟେଲ ପହଞ୍ଚି ଅନ୍ୟମାନଙ୍କଠୁ ବିଦାୟ ନେଇ ଆମେ ଆମ ରୁମକୁ ଆସିଲୁ । ଟେବୁଲରେ ସେଦିନର ଖବରକାଗଜ । ପଢ଼ିଲି । ମଝି ପୃଷ୍ଠାରେ ପାର୍କ ସମ୍ବନ୍ଧୀୟ ଲେଖାଟିଏ । ପାର୍କ ଶବ୍ଦଟି ପଢ଼ୁପଢ଼ୁ ଯେମିତି ଚେଇଁଉଠିଲା ମୋର ସ୍ମୃତିଶକ୍ତି । ହଁ…ହଁ ମନେପଡ଼ିଲା ସେ ଝିଅକୁ ଦେଖିଛି ରାଜଧାନୀର ଏକ ପାର୍କରେ । ଗୋଟେ ଅପ୍ରୀତିକର ଦୃଶ୍ୟର ନାୟିକା । ସେଇ ଝିଅ, ଅଥଚ ତା’ର ପୁଣି କମେଣ୍ଟସ? ଧିକ…ଧିକ…ତାକୁ ।

ଭୁବନେଶ୍ୱର ଗଲେ, ସନ୍ଧ୍ୟାବେଳେ ଆମେ କିଛି ସମୟ ପାର୍କରେ ଯାଇ ବସୁ । ସେଥର ବି ବସିଥିଲୁ ଗୋଟେ ପାର୍କରେ । ଟିକେ ଦୂରରେ ଥିଲା ଫୁଲଗଛର ଗୋଟେ ବୁଦା । ଗପସପ ଭିତରେ ମୋ ନଜର ପଡ଼ିଲା ବୁଦା ଉହାଡ଼ରେ ଲୁଚି ବସିଥିବା ଦୁଇଜଣ ପୁଅଝିଅଙ୍କ ଉପରେ । ଭାବିଲି – କେହି ପ୍ରେମୀଯୁଗଳ । ମଧୁର ପ୍ରେମାଳାପରେ ମଗ୍ନ । କିନ୍ତୁ ଦୁହିଁଙ୍କ ଭାବଭଙ୍ଗୀ ଅଲଗା ଲାଗୁଥାଏ। ମଝିରେ ମଝିରେ ଶୁଭୁଥାଏ ଉଃ…ଆଃ…ଓଃ… ଟିକେ ବେଳ ପରେ ସେଇଠୁ ବାହାରି ଆସିଲା ଯୁବକଟି ତା’ର କଲର ସଜାଡ଼ି । ପରେ ପରେ ସେଠିକି ଗଲା ଆଉ ଜଣେ । ପୁଣି ସେଇ ଦୃଶ୍ୟ । ସ୍ୱର । ବୁଝିଲି, ସେଠି ଚାଲିଛି ଦେହର ଏକ କଦାକାର ଖେଳ । ନାୟିକା ସମାନ । ନାୟକ ବଦଳ । ମତେ କେମିତି ଯେ ଭାରି ଅଣନିଶ୍ୱାସୀ ଲାଗିଲା । ସ୍ୱାମୀଙ୍କୁ କହିଲି : ଚାଲ, ଏଠି ଭଲ ଲାଗୁନାଇଁ । ସେତିକିବେଳେ ବୁଦା ଉହାଡ଼ରୁ ଉଠି ଆସୁଥିଲେ ସେ ଦୁହେଁ । ଝିଅଟି ମୋ ପାଖାପାଖି ଆସି ନିର୍ବିକାର ଭାବରେ ଠିଆହେଲା । ମୁହଁ ପୋଛିଲା । ବାଳରେ ବ୍ୟାକ କ୍ଲିପ ଦେଲା । ଜିନ୍ସ ଝାଡ଼ିଲା । ମୋ ଆଡେ଼ ଟିକେ ଦେଖିଲା । ମୁଁ ବି ଦେଖିଲି ତାକୁ । ସେଇ ଖେଳୁଆଡ଼ ଝିଅକୁ । ସେଇ ପୁଅ ସାଙ୍ଗରେ ସେ ଚାଲିଗଲା ସହଜ ଭଙ୍ଗୀରେ ।

ଇଏ ସେଇ ଝିଅ । ସେଦିନର ଦେହ ଖେଳର ନାୟିକା । ସେ ପୁଣି ମନ୍ତବ୍ୟ ଦେଉଥିଲା ଆଦିବାସୀ ତରୁଣ, ତରୁଣୀଙ୍କ ଉପରେ? ବହୁତ ରାଗ ଲାଗିଲା ।

ପାର୍କରେ, ସାଥୀବଦଳ କରି, ଅନୈତିକ ଦେହଲୀଳାରେ ମାତିଥିବା ଝିଅ, କେମିତି ବୁଝିବ ସେଇ ସରଳ, ନିଷ୍ପାପ ତରୁଣ-ତରୁଣୀଙ୍କ ସ୍ୱଚ୍ଛ, ସୁନ୍ଦର ପ୍ରେମ? କେମିତି ବୁଝିବ ତାଙ୍କ ନୃତ୍ୟ, ଗୀତର ମହିମା, ତାଙ୍କ ଗହଣାର ଗରିମା? ଦେହ ଢାଙ୍କି ପାରୁନଥିବା ଗୋଟେ ଲୁଗାରେ ଯେ କୋଟିବସ୍ତ୍ରର ମର୍ଯ୍ୟାଦା ସେ ସତରେ କେମତି ବୁଝିବ? ସେଭଳି ଝିଅ ସାଙ୍ଗରେ ଏମାନଙ୍କ ବିରଳ ଜୀବନର ତଉଲ ହୁଏନା ।

ଝର୍କାରୁ ଦେଖିଲି-

ରାତିର ଆକାଶରେ, ଉଡ଼ିଯାଉଥିଲେ ଦଳେ ନିରୀହ ଚଢେ଼ଇ । ମୋର ମନେ ହେଲା ଏମାନେ ସେଇ ନୃତ୍ୟରତା, ଛନ୍ଦ କପଟହୀନା ସ୍ୱପ୍ନମୟୀ ଦଳେ ତରୁଣୀ । ଯେଉଁମାନେ ସୁନୀଳ । ବ୍ୟାପ୍ତ । ମୁକୁଳିତ ଆତ୍ମାର ଅଧିକାରୀ । ଆହା! ସେମାନେ କ’ଣ ଜାଣିବେ ତାଙ୍କୁ ନେଇ କିଏ ଭ୍ରୁକୁଞ୍ଚନ କରୁଛି । କ’ଣ କହୁଛି । ଜାଣିଲେ ବି ଈର୍ଷା ନାଇଁ । ଦ୍ୱେଷ ନାଇଁ । ସମସ୍ତଙ୍କୁ ଭଲପାଇବା ଭଳି ହୃଦୟ ଅଛି ତାଙ୍କର ।

ଏମିତି ଭାବିଭାବି ବିଛଣାକୁ ଆସି କେତେବେଳେ ଯେ ଶୋଇପଡ଼ିଲି । ଆଖି ଖୋଲିଲାବେଳକୁ ଏକ ବ୍ୟବସ୍ଥିତ ସକାଳ ।

Leave A Reply

Your email address will not be published.