Latest Odisha News

BREAKING NEWS

ସାମାଜିକ ସଂସ୍କାରର ବାର୍ତ୍ତାବହ: ଗାୟକ ଦତ୍ତକୃଷ୍ଣ ପଣ୍ଡା

ଭୁବନେଶ୍ୱର: ପାଲାକୁ ସାହିତ୍ୟ ସଙ୍ଗୀତଠାରୁ ନେଇ ସାମାଜିକ ସଂସ୍କାର ଓ ବେଦ, ବେଦାନ୍ତ, ଦର୍ଶନ ପାଖରେ ପହଞ୍ଚାଇବାରେ ଯେଉଁ କେତେଜଣ ଗାୟକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଦର୍ଶନ ତରଙ୍ଗ ଦତ୍ତକୃଷ୍ଣ ପଣ୍ଡା ।

କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ ୧୯୪୯ ମସିହା ଅଗଷ୍ଟ ୧୩ ତାରିଖରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦତ୍ତକୃଷ୍ଣ ପଣ୍ଡା । ବାପା ଦଇତାରୀ ପଣ୍ଡା ଓ ମାଆ ରମା ସୁନ୍ଦରୀ ପଣ୍ଡା । ଚାରି ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ ଦତ୍ତକୃଷ୍ଣ । ଜେଜେବାପା ପର୍ଶୁରାମ ପଣ୍ଡା ଥିଲେ ଜଣେ ପ୍ରତିଷ୍ଠିତ ଗାୟକ । ବାପା ମଧ୍ୟ ପାଲା ଗାୟକ ଥିଲେ । ପରିବାରରେ ତିନି ପୀଢି ଧରି ପାଲା ପରମ୍ପରା ରହିଥିଲା, ଯାହାର ପ୍ରଭାବ ପଡିଥିଲା ଦତ୍ତକୃଷ୍ଣଙ୍କ ଉପରେ ।

ପିଲାଟି ଦିନରୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଦତ୍ତକୃଷ୍ଣଙ୍କର ଦୁର୍ବଳତା ରହିଥିଲା । ସେ ଯେତେବେଳେ ଏକାଦଶ ଶ୍ରେଣୀରେ ପଢୁଥିଲେ ସ୍କୁଲର ବାର୍ଷିକ ଉତ୍ସବ ପାଇଁ ଏକ ପାଲାର ଆୟୋଜନ କରାଯାଇଥିଲା । ତତକାଳୀନ ପ୍ରଧାନଶିକ୍ଷକ ସୁରପ୍ରସାଦ ମହାପାତ୍ର ନିଜେ ପାଲା ଶିଖାଇଲେ । ଗାନ୍ଧିଜୀଙ୍କ ଉପରେ ଚିତାଭସ୍ମ ବିଷୟକୁ ନେଇ ପ୍ରସ୍ତୁତ ହେଲା ପାଲା । ଏହାଥିଲା ଦତ୍ତକୃଷ୍ଣଙ୍କର ପ୍ରଥମ ପାଲା ଗାଇବା, ଏହାପରେ ପଣ୍ଡିତ ଆଦିକନ୍ଦ ମିଶ୍ରଙ୍କଠାରୁ ସେ ଚାମର ଗ୍ରହଣ କଲେ ।

ପରବର୍ତ୍ତୀ ସମୟରେ ଗାୟକ ରତ୍ନ ହରିନାଥଙ୍କୁ ଗୁରୁ କରି ପାଲା କ୍ଷେତ୍ରରେ ଆଗେଇ ଚାଲିଲେ । ତାଙ୍କୁ ଯେତେବେଳେ ମାତ୍ର ୩୩ ବର୍ଷ ବୟସ ସେ କଟକ ବାଦାମବାଡି ପାଲା ମଣ୍ଡପରେ ବାଦୀ ପାଲା ଗାଇବାର ସୁଯୋଗ ପାଇଲେ । ପ୍ରତିପକ୍ଷ ଗାୟନାଚାର‌୍ୟ୍ୟ ଥିଲେ ଗାୟକ ବାଣୀଶ୍ରୀ ବିନାୟକ ମିଶ୍ର । ଉଭୟଙ୍କ ମଧ୍ୟରେ ଉଚ୍ଚକୋଟୀର ପାଲା ପରିବେଷଣ ହେଲା, ଯାହା ଦତ୍ତକୃଷ୍ଣଙ୍କୁ ପାଲା ଜଗତରେ ପ୍ରତିଷ୍ଠା ଆଣିଦେଇଥିଲା । ଏହାପରେ ସାରା ରାଜ୍ୟରେ ଦତ୍ତକୃଷ୍ଣଙ୍କ ପାଲାର ଭୁରି ଭୁରି ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଗୋଠପାଟଣାରେ ଭାଗବତ ଭୂଷଣ ବଳଭଦ୍ର ପଣ୍ଡାଙ୍କ ସହିତ ବାଦିପାଲାରେ ଅବତୀର୍ଣ୍ଣ ହେଲେ । ଏହିଠାରୁ ତାଙ୍କ ପାଲାରେ ପଟ୍ଟପରିବର୍ତ୍ତନ ହେଲା । ପାରମ୍ପରିକ ପାଲାରେ ସେ ସିଦ୍ଧାନ୍ତ, ଦର୍ଶନ, ବେଦ, ବେଦାନ୍ତର ପ୍ରବେଶ ଘଟାଇଲେ, ଯାହାକୁ ଦର୍ଶକ ଅଧିକ ଗ୍ରହଣ କଲେ ।
ରାଜ୍ୟର କୋଣ ଅନୁକୋଣ ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଞ୍ଚରେ ପାଲା ପରିବେଷଣ କରିଛନ୍ତି ଗାୟକ ଦତ୍ତକୃଷ୍ଣ ପଣ୍ଡା । ଏହାସହ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଓ ଦିଲ୍ଲୀରେ ମଧ୍ୟ ପାଲା ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇ ତାଙ୍କୁ ଅନେକ ପୁରସ୍କାର, ମାନପତ୍ର ଓ ଉପାଧି ମିଳିଛି । ୨୦୦୧ ମସିହାରେ ଦୋଳବେଦୀରୁ ଗାୟକ ସୁଧାକରଠାରୁ ଗାୟକ ଦର୍ଶନ ତରଙ୍ଗ, ଗାୟକ ତତ୍ତ୍ୱକୌମୁଦୀ, ଗାୟକ ରତ୍ନ, ଗାୟକ ମଣି, ଗାୟକ ପୃଥ୍ୱୀଦେବୀ ଆଦି ଅନେକ ଉପାଧି ଲାଭ କରିଛନ୍ତି ଦତ୍ତକୃଷ୍ଣ ପଣ୍ଡା । ପାଲା ଜଗତର ଏହି ପ୍ରଚଣ୍ଡ ପ୍ରତିଭା ଏବେ ମଧ୍ୟ ବର୍ଷକୁ ୨୫୦ରୁ ଅଧିକ ରାତି ପାଲା ଗାୟନ କରି ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି ।

Leave A Reply

Your email address will not be published.